ନାଳଗିରି, ୨୭/୩(ସିଧାସମ୍ବାଦ); ଦୀଘ ଦୁଇ ମାସରୁ ଉର୍ଦ୍ଧ ସମୟ ହେବ ଖୋଜି ମଧ୍ୟ ଝିଅକୁ ପାଉନି ବୃଦ୍ଧା ମା’ । ଆଖିରେ ଲୁହ ଗଡ଼ାଇବା ଛଡ଼ା ଆଉ କିଛି ବାଟ ଦିଶୁନାହିଁ । ନୀଳଗିରି ଏନଏସି ୬ ନମ୍ବର ୱାଡ଼ ଅଧିନ ମଙ୍ଗଳା ସାହିରେ ବାସ କରି ଆସୁଛନ୍ତି ମୟୂରଭଞ୍ଜ ଜିଲ୍ଲା ବୈଶିଙ୍ଗା ନିକଟ ଥାଲଝରି ଆଞ୍ଚଳର ପାର୍ବତା ମାରାଣ୍ଡି(୭୮) । ତାଙ୍କ ସହ ପୁଅ ଦୁଲ୍ଲାଲ , ବୋହୂ ସୋମବାରୀ ଏବଂ ଝିଅ ବୁଦୁନି (୫୩) ରହି ଆସୁଥିଲେ। ଗତ ମାସ ୨୬ ତାରିଖରେ ସମସ୍ତେ ଖାଇ ପିଇ ଶୋଇଥିବା ଅବସ୍ଥାରେ ରାତି ପ୍ରାୟ ୩ଟା ବେଳେ ଝିଅ ବୁଦୁନି ଘର ଛାଡ଼ି କୁଆଡ଼େ ଅନ୍ତଦ୍ଧାନ ହୋଇ ଯାଇଛନ୍ତି । ସାହି ପଡ଼ିଶାଙ୍କ ଠାରୁ ଆରମ୍ଭ କରି ବନ୍ଧୁବାନ୍ଧବଙ୍କ ଘର ଯାଏଁ ପୁଅ ସହ ସାଇକଲରେ ବସି ଏହି ବୃଦ୍ଧା ଜଣକ ଖୋଜି ଚାଲିଛନ୍ତି। ହେଲେ ଝିଅର କୌଣସି ଖୋଜ ଖବର ମିଳିପାରିନି। ଏ ସମ୍ପର୍କରେ ମଧ୍ୟ ନୀଳଗିରି ଥାନାରେ ଗତ ଜାନୁୟାରୀ ମାସ ୨୭ ତାରିଖ ରେ ନିଖୋଜ ବାବଦରେ ଏକ ଲିଖିତ ଅଭିଯୋଗ କରାଯାଇଛି। ଏହି ପରିବାର ଅତ୍ୟନ୍ତ ଗରିବ ଶ୍ରେଣୀର ହୋଇଥିବା ବେଳେ ଝିଅ ଆନ୍ତର୍ଧ୍ୟାନ ହେବା ଘଟଣାରେ ସମସ୍ତେ ଖାଇବା ପିଇବା ଛାଡ଼ି ଦେଇଛନ୍ତି। କୌଣସି ସ୍ବେଛାସେବୀ ସଂଗଠନ ପୁଲିସ କିମ୍ବା ପ୍ରଶାସନିକ ସ୍ତରରେ ଝିଅକୁ ଖୋଜିବାକୁ ବୃଦ୍ଧା ମା’ ଜଣକ ନିବେଦନ କରିଛନ୍ତି । ତେବେ ଗତ କାଲି ରାତ୍ରିରେ ବୁଲୁଥିବା ବେଳେ ବାଲେଶ୍ୱର ସାଂସଦ ଙ୍କ ବ୍ୟକ୍ତିଗତ ସହାୟକ ଚନ୍ଦ୍ରବିନ୍ଦୁ ଦାସ ତାଙ୍କ ଅଫିସ କୁ ନେଇ ଏସମ୍ପର୍କରେ ବୁଝାସୁଝା କରିବା ସହିତ ଝିଅ କୁ ଖୋଜିବା ପାଇଁ ପୋଲିସ ପ୍ରଶାସନ ସହିତ ଆଲୋଚନା କରିଥିଲେ | ପରେ ଖୁବ ଶୀଘ୍ର ଝିଅ କୁ ଖୋଜି ଅଣାଯିବ ବୋଲି କହିଥିଲେ |





