ନୀଳଗିରି, ୨/୪(ସିଧାସମ୍ବାଦ); ନୀଳଗିରି ଏନଏସି ୭ ନମ୍ବର ୱାଡ଼ ବାଲିଗୋହିରି ଗ୍ରାମର ସମାଜ ସେବୀ ତଥା ଅବସରପ୍ରାପ୍ତ ରେଞ୍ଜର ଗିରିଧାରୀ ବେହେରା ଙ୍କ ୮୧ ବର୍ଷ ବୟସରେ ଅକାଳ ବିୟୋଗ ହୋଇଯାଇଛି | ଏନେଇ
ଅଞ୍ଚଳରେ ଶୋକାକୋଳ ପରିବେଶ ସୃଷ୍ଟି ହୋଇଛି | ହସ୍ତଗତ ସୂଚନା ରୁ ଜଣା ପଡ଼ିଛି ଗତ ୩୧ ତାରିଖ ଅପରାହ୍ନ ରେ ତାଙ୍କ ବାଇକ ରେ ପଡୋଶୀ ବାଞ୍ଛାନିଧି ପାତ୍ର ଙ୍କୁ ନେଇ ବଜାର କାମ ସାରି ଘରକୁ ଫେରୁଥିବା ବେଳେ ଘର ଠାରୁ ଅନତି ଦୂରରେ ଏକ ଷଣ୍ଢ ସହିତ ଧକ୍କା ହେବାରୁ ଗିରିଧାରୀ ଙ୍କର ଡାହାଣ ହାତ ମଝୀ ଅଙ୍ଗୁଠି ଭାଙ୍ଗି ଯାଇଥିଲା | ପଛରେ ବସିଥିବା ବାଞ୍ଛାନିଧି ଙ୍କର ମୁଣ୍ଡ ଫାଟିଯାଇଥିଲା | ପରେ ସେ ବାଲେଶ୍ୱର ମେଡ଼ିକାଲ ରେ ଚିକିତ୍ସା ହୋଇ ଘରକୁ ଫେରିଥିଲେ | ସେହି ରାତିରେ ପରିସ୍ରା ବନ୍ଦ ହେବାରୁ ଜ୍ୟୋତି ହସ୍ପିଟାଲରେ ପୁଣି ତାଙ୍କୁ ଚିକିତ୍ସା କରାଯାଇଥିଲା | ଗୁରୁତ୍ତର ଥିବାରୁ ଗତ କାଲି ସନ୍ଧ୍ୟାରେ ଭୁବନେଶ୍ୱର ଏକ ଘରୋଇ ହସ୍ପିଟାଲ କୁ ନେବା ପାଇଁ ସଜବାଜ ହେଉଥିବା ବେଳେ ସେ ଚେତାଶୂନ୍ୟ ହୋଇଯାଇଥିଲେ | ସଙ୍ଗେ ସଙ୍ଗେ ତାଙ୍କୁ ନୀଳଗିରି ଡାକ୍ତରଖାନାକୁ ଅଣାଯାଇଥିଲେ ହେଁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ | ଆଜି ବ୍ୟବଚ୍ଛେଦ କରାଯାଇ ବାସ ଭବନକୁ ଅଣାଯିବା ପରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ଶେଷ ଦର୍ଶନ କରି ଅମର ଆତ୍ମାର ସଦଗତି କାମନା କରିଥିଲେ | ଶେଷ କୃତ୍ୟ ନିଜ ବାଡ଼ିରେ ସମ୍ପନ୍ନ କରାଯାଇଥିଲା | ଏକମାତ୍ର ପୁତ୍ର ମାନସ ବେହେରା ମୁଖାଗ୍ନି ଦେଇଥିବା ବେଳେ ତାଙ୍କ ଧର୍ମପତ୍ନୀ, ତିନି ଝିଅ, ଜ୍ୱାଇଁ, ନାତି, ନାତୁଣୀ, ଗ୍ରାମବାସୀ ଉପସ୍ଥିତ ଥିଲେ | ତାଙ୍କର ଚାକିରୀ ଜୀବନରେ ସେ ପ୍ରଥମେ କୋରାପୁଟ ପରେ ସମ୍ବଲପୁର, ବଲାଙ୍ଗିରି, ଶେଷରେ ବାଲେଶ୍ୱର ଜିଲ୍ଲା ସୋରୋ ରେଞ୍ଜ ରୁ ୨୦୦୨ରେ ରେଞ୍ଜର ଭାବେ ଅବସର ନେଇଥିଲେ | ପରେ ସେ ନୀଳଗିରି ଅବସରପ୍ରାପ୍ତ କର୍ମଚାରୀ ସଂଘର ଜଣେ ସକ୍ରିୟ ସଦସ୍ୟ ଭାବେ କାର୍ଯ୍ୟରତ ଥିଲେ | ସେ ଜଣେ ମେଳାପି, ମିଷ୍ଠ ଭାଷୀ, ପରୋପକାରି ସ୍ଵଭାବର ବ୍ୟକ୍ତି ଥିବାରୁ ତାଙ୍କର ଏଭଳି ମୃତ୍ୟୁରେ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି |




