ନୀଳଗିରି,୧୬/୪(ସିଧାସମ୍ବାଦ);
ଏବେବି ଦୂରାରୋଗ୍ୟ କୋଷ୍ଠ ବ୍ୟାଧିରେ ପୀଡ଼ିତ ହୋଇ ଅଧିକାଂଶ ଲୋକ ସମାଜରୁ ନିଜକୁ ବାଛନ୍ଦ କରି ଯନ୍ତ୍ରଣା ଭୋଗୁଛନ୍ତି। କେନ୍ଦ୍ର ଓ ରାଜ୍ୟସରକାର କୋଷ୍ଠର ସମ୍ପୂର୍ଣ୍ଣ ବିନାଶପାଇଁ ବିଭିନ୍ନ ପ୍ରତିଷେଧକ ବ୍ୟବସ୍ଥା ହାତକୁ ନେଇଥିଲେ ମଧ୍ୟ ଏହାର ସମ୍ପୂର୍ଣ୍ଣ ସମାଧାନ କରିବାରେ ବିଫଳ ହୋଇଛନ୍ତି।ଏଭଳି ଏକ ଗାଁ ରହିଛି ଯଉଠି ଅଧିକାଂଶ ଲୋକ ଯକ୍ଷ୍ମା ଓ କୋଷ୍ଠ ବ୍ୟାଧିରେ ଏବେବି ପୀଡ଼ିତ ଅଛନ୍ତି। ନୀଳଗିରି ଉପଖଣ୍ଡ ଔପଦା ବ୍ଲକ୍ ଦକ୍ଷିଣନରସିଂହପୁର ପଞ୍ଚାୟତ ଗାଙ୍ଗପୁରା ଗ୍ରାମର ଝୁରେଇସାହି ଯାହା ନୀଳଗିରି ଉପଖଣ୍ଡ ଚିକିତ୍ସାଳୟ ଠାରୁ ମାତ୍ର ୩କିଲୋମିଟର ଦୂରରେ ଅବସ୍ଥିତ ଉକ୍ତ ଗ୍ରାମର ଅଧିକାଂଶ ଲୋକ ଯକ୍ଷ୍ମା ଓ କୋଷ୍ଠ ରୋଗରେ ଆକ୍ରାନ୍ତହୋଇ ଯନ୍ତ୍ରଣା ଭୋଗୁଛନ୍ତି। ଅଧିକାଂଶ ଲୋକଙ୍କର ଯକ୍ଷ୍ମାରୋଗରେ ଜୀବନ ମଧ୍ୟ ଯାଇଛି। ଏବେବି କୋଷ୍ଠରୋଗରେ ଗ୍ରାମର ରତନ ସିଂ, ଗୁରୁବାରି ସିଂ, ସନିଆ ସିଂ, ସନିଆର ଝିଅ ଏହି ବ୍ୟାଧିରେ ପୀଡିତ ଅଛନ୍ତି। ଏତଦ୍ ଭିନ୍ନ ଜଗା ସିଂ, ସସ୍ମିତା ସିଂ, ରୁହ୍ୟା ସିଂ, ବିଜୟ ସିଂ, କାଲି ସିଂ, ସମ୍ବାରି ସିଂ, କାର୍ତ୍ତିକ ସିଂ, ପୂଜା ସିଂ ପ୍ରମୁଖ ବହୁ ଆଦିବାସୀ ସଂପ୍ରଦାୟର ଲୋକ ଏହି ରୋଗରେ ପୀଡିତ ଥିବା ଜଣାଯାଇଛି। ବହୁଲୋକ ମଧ୍ୟ ଯକ୍ଷ୍ମାରୋଗରେ ସୁସ୍ଥହୋଇ ସାଧାରଣ ଜୀବନ ଅତିବାହିତ କରୁଛନ୍ତି। ତେବେ ଉକ୍ତ ଗ୍ରାମର ଅଧିବାସୀ ଆଧୁନିକ ଚିକିତ୍ସା ପ୍ରତି ସଚେତନ ନଥିବା କିମ୍ବା ସରକାରୀ ଉଦାସୀନତା ଯୋଗୁଁ ଏଭଳି ଘଟଣା ଦେଖିବାକୁ ମିଳିଛି।ଏନେଇ ଉକ୍ତ ପଞ୍ଚାୟତର ସମିତିସଭ୍ୟା ତଥା ସମାଜସେବୀ ପଦ୍ମଜା କାନୁନଗୋ ନୀଳଗିରି ଉପଖଣ୍ଡ ଚିକିତ୍ସାଧିକାରିଙ୍କୁ ଚିଠିଲେଖି ତୁରନ୍ତ ମେଡ଼ିକାଲ ଟିମ୍ ପଠାଇ ଚିକିତ୍ସା କରାଇବା ସଙ୍ଗେ ସଙ୍ଗେ ସଚେତନ କରାଇବାକୁ ଅନୁରୋଧ କରିଛନ୍ତି।




