ନୀଳଗିରି,୧୭/୪(ସିଧାସମ୍ବାଦ):
ବାଲେଶ୍ୱର ଜିଲ୍ଲା ନୀଳଗିରି ବ୍ଳକ ପୀଠହତା ପଞ୍ଚାୟତ ବେହେରା ସାହି ଗ୍ରାମରେ ଗୁଣିଗାରେଡ଼ି ଘଟଣାକୁ ନେଇ ବିଭିନ୍ନ ଗଣ ମାଧ୍ୟମରେ ଖବର ପ୍ରକାଶ ପାଇଥିଲା । ବୁଧବାର ରାତି ୮ ଟାରେ ଏହି ଗାଁରେ ବରହମପୁର ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ବେହେରା ସାହିର ଧରମା ବେହେରା ଗୁଣିଗାରେଡ଼ି କରୁଥିବା ନେଇ ଗ୍ରାମବାସୀ ଅଭିଯୋଗ କରିଥିଲେ। ସେହି ଗ୍ରାମର ରଞ୍ଜନ ବେହେରାଙ୍କ ନାବାଳିକା କନ୍ୟା, ହରିଶ ବେହେରାଙ୍କ ନାବାଳକ ପୁଅ ସମେତ ଗ୍ରାମର ଅନେକ ପରିବାର ସଦସ୍ୟଙ୍କୁ ବିଭିନ୍ନ ସମୟରେ ଦାସୀ ବିଶ୍ରାମ ହେବା ପରେ ଗାଁରେ ମେଳି ବାନ୍ଧିଥିଲେ ଅଞ୍ଚଳବାସୀ । ଏନେଇ ଗତ ମାର୍ଚ୍ଚ ୩୦ ତାରିଖରେ ଏକ ବୈଠକ ବସିଥିବାବେଳେ ଧରମା ବୈଠକକୁ ଆସିନଥିଲା । ଏପରିକି ରଞ୍ଜନ ତାଙ୍କ ସ୍ତ୍ରୀକୁ ଗୁଣି କରି ମାରିଦେବା ଭଳି ସଙ୍ଗିନ ଅଭିଯୋଗ ମଧ୍ୟ ଆଣିବା ପରେ ଗ୍ରାମରେ ଅପ୍ରୀତିକର ପରିସ୍ଥିତି ଦେଖାଦେଇଥିଲା। ପରେ ବରହମପୁର ଥାନାରେଗ୍ରାମବାସୀ ମିଳିତ ଭାବେ ଅଭିଯୋଗ କରିଥିଲେ ମଧ୍ୟ ସେଥିରେ କିଛି ସୁଫଳ ମିଳିପାରି ନଥିଲା | ଗତ ୧୫ ତାରିଖ ଦିନ ଗ୍ରାମବାସୀ ମାନେ ଏକଜୋଟ ହୋଇ ନୀଳଗିରି ଏସଡିପିଓଙ୍କୁ
ଜଣାଇଥିଲେ। ଘଟଣାକୁ ଗୁରୁତ୍ୱ ଦେଇ ଏସଡିପିଓ ପ୍ରମୋଦ କୁମାର ମଲ୍ଲିକଙ୍କ ନିର୍ଦ୍ଦେଶରେ ବୁଧବାର ରାତିରେ ବରହମପୁର ପୁଲିସ ବେହେରା ସାହି ଗାଁକୁ ଯାଇ ତଦନ୍ତ କରିବା ସହ ଏଭଳି ଅନ୍ଧବିଶ୍ବାସ ଠାରୁ ଦୂରରେ ରହିବାକୁ ପରାମର୍ଶ ଦେଇଛନ୍ତି ।




