ନିଳଗିରି,୯/୫(ସିଧାସମ୍ବାଦ);
ନିଳଗିରି ତହସିଲ ଅଧିନରେ ଥିବା ବିଭିନ୍ନ ବାଲି ସୌରତ ଗୁଡିକରୁ ପ୍ରତିଦିନ ଶହ ଶହ ଟ୍ରିପ ବାଲି ଚୋରାରେ ଚାଲାଣ ହେଉଥିବା ବେଳେ ରାଜସ୍ବ ବିଭାଗ କୋଟି କୋଟି ଟଙ୍କାର ରାଜସ୍ବ ହରାଉଛି। ଏନେଇ ବାରମ୍ବାର ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶିତ ହେବା ପରେବି ଖଣି ବିଭାଗ, ରାଜସ୍ବ ବିଭାଗ ନୀରବଦ୍ରଷ୍ଟା ସାଜିଛି। ମାତ୍ର ପ୍ରଶାସନ କାମକୁ ଆଜି ଗ୍ରାମବାସୀ କରି ଦେଖାଇଛନ୍ତି। ପ୍ରାପ୍ତ ସୂଚନା ଅନୁସାରେ ଅଯୋଧ୍ୟା ଅଞ୍ଚଳରେ ଥିବା ବିଭିନ୍ନ ବାଲି ଉତ୍ସ ଗୁଡିକରୁ ପ୍ରତିଦିନ ଶହ ଶହ ଟ୍ରିପ୍ ବାଲି ଚୋରାରେ ଚାଲାଣ ହେଉଥିବା ବେଳେ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ ନକରିବା ଯୋଗୁଁ ଶେଷରେ ଶୁକ୍ରବାର ଦିନ ଅଯୋଧ୍ୟା ଗ୍ରାମବାସୀ ଏକଜୁଟ ହୋଇ ଚୋର ବାଲି ବୋଝେଇ ଟ୍ରକକୁ ଅଟକାଇଥିବାର ଦେଖିବାକୁ ମିଳିଛି। ଫଳରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା। ଖବରପାଇ ନୀଳଗିରି ପୋଲିସ ଘଟଣାସ୍ଥଳରେ ପହଂଚି ବାଲି ଗାଡ଼ିକୁ ଜବତ କରିଥିବାର ଶୁଣିବାକୁ ମିଳୁଛି। ତେବେ ଗ୍ରାମବାସୀଙ୍କ ଏପରି କାର୍ଯ୍ୟକୁ ସାଧାରଣରେ ବେଶ୍ ପ୍ରଶଂସା କରାଯାଇଛି। ଏପଟେ ଚୋର ବାଲି ମାଫିଆଙ୍କ ମଧ୍ୟରେ ଏକ ପ୍ରକାର କକୁଆ ଭୟ ଦେଖିବାକୁ ମିଳିଛି।








