ମୁଖ୍ୟମନ୍ତ୍ରୀ ସ୍ଵତନ୍ତ୍ର ଉନ୍ନୟନ ସହାୟତା ରାଶି ବିନିଯୋଗରେ ଉଦାସୀନତା |
୨୩ରେ ବିଜେଡିର ଗଣବିକ୍ଷୋଭ।
ନୀଳଗିରି -୧୯/୫(ସିଧାସମ୍ବାଦ);
ନୀଳଗିରିର ବିଭିନ୍ନ ଭିତ୍ତିଭୂମି ଉନ୍ନୟନ ପ୍ରକଳ୍ପ ଓ ମନ୍ଦିରର ରକ୍ଷଣାବେକ୍ଷଣ ପାଇଁ ତତ୍କାଳୀନ ବିଜେଡ଼ି ସରକାର ମୁଖ୍ୟମନ୍ତ୍ରୀ ସ୍ଵତନ୍ତ୍ର ଉନ୍ନୟନ ସହାୟତା ଯୋଗାଇ ଦେଇଥିଲେ। ଏନେଇ ୨୦୨୪ମସିହା ଫେବୃଆରୀ ୨୩ରେ ୧କୋଟି ୧୫ଲକ୍ଷ ୫୦ହଜାର ଟଙ୍କା ଏବଂ ମାର୍ଚ୍ଚ ୧ତାରିଖରେ ୫୫ଲକ୍ଷ ୫୦ହାଜର ଟଙ୍କାର ଅନୁଦାନ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ନୀଳଗିରିକୁ ପ୍ରଦାନ କରିଥିଲେ। ବିଭିନ୍ନ କାଳକ୍ଷେପଣ ନୀତି ଅବଲମ୍ବନ କରି ବିଭାଗୀୟ କର୍ତୃପକ୍ଷ ଏହି କାର୍ଯ୍ୟଗୁଡ଼ିକ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ କରିନାହାନ୍ତି। ଫଳରେ ୧କୋଟି ୭୦ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ନୀଳଗିରି ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ବିନିଯୋଗରୁ ବଞ୍ଚିତ ହୋଇଛି। ରାଜ୍ୟସରକାର ମଧ୍ୟ ଏଥିପ୍ରତି ଗୁରୁତ୍ୱାରୋପ କରିନାହାନ୍ତି। ତେବେ ନୀଳଗିରି ବିଜେଡ଼ି ତରଫରୁ ଆଗାମୀ ୨୩ତାରିଖ ଗୁରୁବାର ଆଇଟିଡିଏ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବ ବୋଲି ଚେତାବନୀ ଦେଇ ଉପଜିଲ୍ଲାପାଳ, ନୀଳଗିରି ଆଇଆଇସି ସମେତ ଅନ୍ୟ ଅଧିକାରୀଙ୍କୁ ବ୍ଲକ୍ ଅଧ୍ୟକ୍ଷା ଶୁଭଲକ୍ଷ୍ମୀ ମାଝୀ ଏବଂ ପୂର୍ବତନ ବିଧାୟକ ସୁକାନ୍ତ କୁମାର ନାୟକ ଚିଠିଲେଖି ସୂଚିତ କରିଥିବା ଜଣାଯାଇଛି।



