ଚାଷୀଙ୍କ ଧାନ କିଣାରେ ମଣ୍ଡିରେ ଅନିୟମିତତା ଅଭିଯୋଗରେ ରାଇଘର ଲ୍ୟାମ୍ପ ନିର୍ଦ୍ଧେଶକ ନିଲମ୍ବିତ।
ନବରଙ୍ଗପୁର ଜିଲ୍ଲା(ସିଧା ସମ୍ବାଦ) ରାଇଘର ବ୍ଲକର ଲ୍ୟାମ୍ପରେ ଚଳିତ ବର୍ଷ ଖରିପ ଋତୁରେ ଧାନ କିଣାରେ ବ୍ୟାପକ ଅନିୟମିତତା ଅଭିଯୋଗ କୁ ଆଧାର କରି ସହକାରୀ ନିବନ୍ଧକ ସମବାୟ ସମିତି ସମୂହ (ARCS ) ନବରଙ୍ଗପୁର ଙ୍କ ନିର୍ଦ୍ଧେଶ କ୍ରମେ ରାଇଘର ଲ୍ୟାମ୍ପ ପରିଚାଳନା ପରିଷଦ ଲ୍ୟାମ୍ପ ନିର୍ଦ୍ଧେଶକ ନିରାକାର ରାଉତ ଙ୍କୁ କାର୍ଯ୍ୟରୂ ନିଲମ୍ବନ କରିଛନ୍ତି ବୋଲି ସୂଚନା ମିଳିଛି। ଅନ୍ୟପଟେ ଘଟଣାର ଏକ ବିସ୍ତୃତ ରିପୋର୍ଟ ସରକାର ଙ୍କୁ ପଠା ଯାଇଛି, ଚାଷୀ କିପରି ଶୀଘ୍ର ଟଙ୍କା ପାଇବେ ସେଦିଗରେ କାର୍ଯ୍ୟ କରାଯାଉଛି ବୋଲି ସୂଚନା ମିଳିଛି।
ସୂଚନା ଅନୁଯାୟୀ ଚଳିତ ବର୍ଷ ଖରିପ ଋତୁରେ ରାଇଘର ବ୍ଲକର ଚାଷୀ ରେଜିଷ୍ଟ୍ରସନ କରିବା ପରେ ଜାନୁଆରୀ, ଫେବୃଆରୀ ମାସରେ ଶତାଧିକ ଚାଷୀ ଧାନ ମଣ୍ଡିରେ ଧାନ ଦେଇଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ଧାନ ଟଙ୍କା ପାଇ ନାହାଁନ୍ତି । ଚଳିତ ବର୍ଷ ଖରିପ ଋତୁରେ ଧାନ ମଣ୍ଡିରେ ଚାଷୀ ଧାନ ଦେଇଥିଲେ ଏବଂ ମିଲ ମାଲିକ ମାନେ ମଣ୍ଡିରୁ ଧାନ ନେଇଥିଲେ କିନ୍ତୁ ଲ୍ୟାମ୍ପ ପକ୍ଷରୁ TP କଟାଯାଇ ପାରି ନଥିଲା ଯାହା ଫଳରେ ବର୍ତମାନ ସୁଦ୍ଧା 344 ଜଣ ଚାଷୀଙ୍କ 14,200 କୁଇଣ୍ଟାଲ ଧାନ ମଣ୍ଡିରେ ଦେଇଥିଲେ ସୁଦ୍ଧା 4 କୋଟି 40 ଲକ୍ଷରୁ ଉର୍ଦ୍ଧ ଟଙ୍କା ଚାଷୀ ପାଇ ପାରି ନାହାଁନ୍ତି।ଘଟଣାକୁ ନେଇ ବିଗତ ଦିନରେ ରାଇଘର ଲ୍ୟାମ୍ପ ସମ୍ମୁଖରେ ଶତାଧିକ ଚାଷୀ ଧାରଣା ମଧ୍ୟ ଦେଇଥିଲେ।



