ମୁ
⁸କୁନ୍ଦପୁର ବଳଦେବଜୀଉ ମନ୍ଦିରକୁ ଠାକୁର ମାହାଲର ଅସହଯୋଗ। ଆସନ୍ତା ୩ରେ ଧାରଣା ସହ ଅନଶନରେ ବସିବେ ମନ୍ଦିର ଟ୍ରଷ୍ଟି।
ନୀଳଗିରି -୨୯/୫(ସିଧାସମ୍ବାଦ);
ନୀଳଗିରି ଠାକୁରମାହାଲ ଅଧୀନରେ ତୃତୀୟ ଶ୍ରୀକ୍ଷେତ୍ର ଜଗନ୍ନାଥ ମନ୍ଦିର ଏବଂ ନୀଳଗିରି ଅଞ୍ଚଳର ବହୁ ମନ୍ଦିର,ମଠ ଓ କୀର୍ତ୍ତିରାଜିର ରକ୍ଷଣାବେକ୍ଷଣ ଓ ପରିଚାଳନା ହେଉଥିବା ବେଳେ ଔପଦା ବ୍ଲକ କାଣ୍ଡଗରଡି ପଞ୍ଚାୟତ ମୁକୁନ୍ଦପୁର ଗ୍ରାମର ଶ୍ରୀଶ୍ରୀ ବଳଦେବଜୀଉ ମନ୍ଦିର ତନ୍ମଧ୍ୟରୁ ଅନ୍ୟତମ। ଉକ୍ତ ମନ୍ଦିରର ବାର୍ଷିକ ନୀତିକାନ୍ତି ଏବଂ ରଥଯାତ୍ରା ପ୍ରତି ଠାକୁରମାହାଲ ଅସହଯୋଗ କରୁଥିବା ନେଇ ଗତ ୧୩ତାରିଖରେ ମନ୍ଦିର ଟ୍ରଷ୍ଟ ତରଫରୁ ବିଭିନ୍ନ ସମସ୍ୟା ନେଇ ଏକ ଅଭିଯୋଗ ପତ୍ର ଠାକୁରମହାଲ ନିର୍ବାହୀ ଅଧିକାରୀଙ୍କୁ ପ୍ରଦାନ କରାଯାଇଥିଲା।ମାତ୍ର କୌଣସି ସନ୍ତୋଷ ଜନକ ଉତ୍ତର ମିଳିନଥିବା ଟ୍ରଷ୍ଟ ତରଫରୁ ସୂଚନା ମିଳିଛି। ସୂଚନା ଅନୁଯାୟୀ ପ୍ରତିବର୍ଷ ଠାକୁରମହାଲ ତରଫରୁ ୨୦ହଜାର ଟଙ୍କା ଅନୁଦାନ ମିଳୁଥିବା ବେଳେ ଏଥିରେ ମନ୍ଦିରର ନୀତିକାନ୍ତି , ଯାନିଯାତ୍ରା କରିବା ଅସମ୍ଭବ ହୋଇପଡ଼ୁଛି। ଏପରିକି ମନ୍ଦିରର ପୂଜକ ନିଜର ପାରିଶ୍ରମିକ ନପାଇବା ଫଳରେ ପୂଜାକାର୍ଯ୍ୟରେ ବିମୁଖ ରହୁଛନ୍ତି। ଦୀର୍ଘ ତିନିବର୍ଷ ଧରି ରଥନିର୍ମାଣ ପାଇଁ କାଠପ୍ରଦାନ କରାଯାଇନାହିଁ। ତେଣୁ ରଥରେ ଆବଶ୍ୟକ ହେଉଥିବା କାଠର ଅଭାବ ଦେଖାଦେଇଛି। ଏପରିକି ଚଳିତବର୍ଷ ରଥନିର୍ମାଣ ପାଇଁ ୪ଟି ଚକ ଏବଂ ୨ଟି ଅଖ ପାଇଁ କାଠର ଆବଶ୍ୟକତା ରହିଛି। କାଠଯୋଗାଇ ଦିଆନଗଲେ ରଥନିର୍ମାଣ ହୋଇପାରିବ ନାହିଁ ବୋଲି କ୍ଷଭୋର ସହ ମନ୍ଦିର ଟ୍ରଷ୍ଟ ପକ୍ଷରୁ କିଛି ସଦସ୍ୟ ଅଭିଯୋଗ କରିଛନ୍ତି। ଠାକୁରମାହଲ କେବଳ କାଠର ତଦାରଖ କରାଯାଉଥିବା ବେଳେ କୌଣସି ଠୋସ ପଦକ୍ଷେପ ଗ୍ରହଣ କରାଯାଉନାହିଁ। ତେଣୁ ଠାକୁରମହାଲ ଅଧିକାରୀ ତଥା ତହସିଲଦାର ସୋନମ୍ ଦାସ ମନ୍ଦିରର ଆବଶ୍ୟକତାକୁ ଉପଲବ୍ଧି କରି ତୁରନ୍ତ ପଦକ୍ଷେପ ନେବାକୁ ମନ୍ଦିରର ସମ୍ପାଦକ ସୁରେନ୍ଦ୍ର ରାଉଳ,ସଦସ୍ୟ ଶରତ ଚନ୍ଦ୍ର ଦାସ, ଶ୍ରୀରାମ ଚନ୍ଦ୍ର ବାରିକଙ୍କ ସମେତ ମୁକୁନ୍ଦପୁର, ସିକିଡ଼ିଆ, ଚିନ୍ତାମଣିପୁର, ବଉଳଗଡିଆ ଅଞ୍ଚଳର ବହୁ ଜଗନ୍ନାଥ ପ୍ରେମୀ ଭକ୍ତ ଦାବୀ କରିଛନ୍ତି।






