ସବଜେଲ୍ ସ୍ଥାନାନ୍ତର ସ୍ଥଗିତ ପାଇଁ ନୀଳଗିରିର ଉଭୟ ଓକିଲ ସଂଘର ଦାବୀ।
ନୀଳଗିରି,୮/୭ (ସିଧାସମ୍ବାଦ);
ନୀଳଗିରି ଉପଖଣ୍ଡ ସବଜେଲ ନୀଳଗିରିରୁ ଉଠିଯାଇ ବାଲେଶ୍ୱର ଜେଲ ସହ ମିଶ୍ରଣ ହେବାନେଇ ରାଜ୍ୟ ସରକାରଙ୍କ ଗୃହବିଭାଗ ପକ୍ଷରୁ ଗତ ଜୁଲାଇ ୭ତାରିଖରେ ଏକ ନିର୍ଦ୍ଦେଶନାମା ଜାରି କରିଛନ୍ତି। ଫଳରେ ଓଡ଼ିଶାର ନୟାଗଡ଼ ଜିଲ୍ଲାର ଖଣ୍ଡପଡା, ବାଲେଶ୍ୱର ଜିଲ୍ଲାର ନୀଳଗିରି ଏବଂ ବରଗଡ ଜିଲ୍ଲାର ସୋହେଲା ସବଜେଲ ଜିଲ୍ଲାମୁଖ୍ୟ ଜେଲ ସହିତ ସମ୍ମିଶ୍ରଣ ହେବାନେଇ ଅତିରିକ୍ତ ମୁଖ୍ୟ ଶାସନସଚିବ ତରଫରୁ ନିର୍ଦ୍ଦେଶନାମା ପ୍ରକାଶପାଇଛି।୨୦୧୭ମସିହାରେ ତତ୍କାଳୀନ ରାଜ୍ୟ ସରକାରଙ୍କ ନିଷ୍ପତି ଅନୁଯାୟୀ ୩୦କି.ମି ଦୂରତା ମଧ୍ୟରେ ଥିବା ସବଜେଲ ଗୁଡିକ ଜିଲ୍ଲା ମୁଖ୍ୟଜେଲ ସହିତ ମିଶ୍ରଣ କରାଯିବ। ଏହି ନିର୍ଦ୍ଦେଶନାମା ଜାରି ପରେ ନୀଳଗିରି ର ଉଭୟ ଓକିଲସଂଘ ଏଭଳି ନିଷ୍ପତିକୁ ଗ୍ରହଣ କରିପାରିନାହାନ୍ତି। ଉପଖଣ୍ଡ ବାର ଏସୋସିଏସନ୍ ମଙ୍ଗଳବାର ୧.୩୦ସମୟରେ ସଭାପତି ବରିଷ୍ଠ ଆଇନଜୀବୀ ଚିତ୍ତରଞ୍ଜନ ଷଡ଼ଙ୍ଗୀଙ୍କ ନେତୃତ୍ବରେ ଏକ ଜରୁରୀ ବୈଠକରେ ସବଜେଲ ମିଶ୍ରଣ ନିଷ୍ପତିର ଯଥାର୍ଥତା ନଥିବା କହିବାସହିତ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ଲୋକଙ୍କର ସ୍ୱାର୍ଥକୁ ଦୃଷ୍ଟିରେ ରଖି ଏହାର ପୁନର୍ବିଚାର କରି ସ୍ଥଗିତ ରଖିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିବାକୁ ସର୍ବସମ୍ମତ ମତ ପ୍ରକାଶ ପାଇଥିବା ସାମ୍ବାଦିକ ମାନଙ୍କୁ ସୂଚନା ଦେଇଛନ୍ତି। ବୈଠକରେ ଆଇନଜୀବି କିଶୋର ଦାସ , କାର୍ତ୍ତିକ କୁମାର ରାଉତ, ସୂର୍ଯ୍ୟନାରାୟଣ ଦାସ, ଯଚିନ୍ଦ୍ରନାଥ ନାୟକ, ଗୌରହରି ବେହେରା ପ୍ରମୁଖ ବହୁ ଆଇନଜୀବି ଉପସ୍ଥିତ ଥିଲେ। ଅନୁରୂପ ଭାବେ ନୀଳଗିରି ଓକିଲସଂଘରେ ମଧ୍ୟ ବୈଠକ କରାଯାଇ ସରକାରଙ୍କ ଏଭଳି ନିଷ୍ପତ୍ତିର ପୁନର୍ବିଚାର କରିବାକୁ ସଭାପତି ତଥା ବରିଷ୍ଠ ଆଇନଜୀବି ଅମରେନ୍ଦ୍ର ପଟ୍ଟନାୟକ, ସମ୍ପାଦକ ଦେବେନ୍ଦ୍ର ପଣ୍ଡା, କିଶୋର ଷଡ଼ଙ୍ଗୀ, ସତ୍ୟଜିତ ମିଶ୍ର, ସୋମନାଥ ନାୟକ, ସୂର୍ଯ୍ୟନାରାୟଣ ଆଇଚ, କରୁଣାକର ସ୍ୱାଇଁ, ପିତାମ୍ବର ଜେନା, ବିଘ୍ନେଶ୍ୱର ବାରିକ ପ୍ରମୁଖ ସାମିଲହୋଇ ଏକ ଲିଖିତ ଅଭିଯୋଗ ଦେବାକୁ ସ୍ଥିର ହୋଇଥିବା ବେଳେ ମୁଖ୍ୟମନ୍ତ୍ରୀ ଏହାର ପୁନର୍ବିଚାର କରିବାକୁ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।
9




