ଅବପାତର ରୂପ ନେଲା ଲଘୁଚାପ, ପ୍ରବଳ ବର୍ଷିବ !

👇समाचार सुनने के लिए यहां क्लिक करें

ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ କ୍ଷେତ୍ର ଅଧିକ ଘନୀଭୂତ ହୋଇ ଅବପାତରେ ପରିଣତ ହୋଇଛି। ଏହାର ପ୍ରଭାବରେ ଆଗାମୀ ୨୪ ଘଣ୍ଟାରେ ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ଦୁଇ ଦିନ ଯାଏ ଅଧିକ ବର୍ଷା ସମ୍ଭାବନା , ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଜାରି ସୂଚନା ଅନୁସାରେ ଦକ୍ଷିଣ-ପୂର୍ବ ଗାଙ୍ଗେୟ ପଶ୍ଚିମବଙ୍ଗ ଉପତ୍ୟକା, ବାଂଲାଦେଶ ଉପକୂଳ ଅଞ୍ଚଳରେ ସକ୍ରିୟ ଲଘୁଚାପ କ୍ଷେତ୍ର ଆଜି ଆହୁରି ଘନୀଭୂତ ହୋଇ ଅବପାତରେ ପରିଣତ। ଆଗାମୀ ୨୪ ଘଣ୍ଟା ପର୍ଯ୍ୟନ୍ତ ଏହା ପଶ୍ଚିମ ଉତ୍ତର-ପଶ୍ଚିମ ଦିଗରେ ପଶ୍ଚିମବଙ୍ଗ ଆଡ଼କୁ ଗତି କରିବ। ଏହାର ପ୍ରଭାବରେ ଅତି ପ୍ରବଳ ବର୍ଷା ନେଇ ରେଡ୍‌ ଆଲର୍ଟ ମୟୂରଭଞ୍ଜ, କେନ୍ଦୁଝର ଓ ସୁନ୍ଦରଗଡ଼ ଜିଲା। ଏଠାରେ ପବନର ବେଗ ୪୦ରୁ ୫୦ କିମି ମଧ୍ୟରେ ରହିବା ସହ ବଜ୍ରପାତ ସହ ବର୍ଷା ସମ୍ଭାବନା ଅଛି। ସେହିପରି ଅନୁଗୁଳ, ଢେଙ୍କାନାଳ, ଦେବଗଡ଼, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ାକୁ ଅରେଞ୍ଜ ଆଲର୍ଟ ସହ ଅନ୍ୟ ୧୬ଟି ଜିଲାକୁ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ୟେଲୋ ଆଲର୍ଟ ଜାରି କରାଯାଇଛି। ଅବପାତ ପ୍ରଭାବରେ ଆସନ୍ତା ୧୮ଜୁଲାଇ ଯାଏଁ ବର୍ଷା ଲାଗି ରହିବ। ବିଶେଷକରି ଉତ୍ତର-ପଶ୍ଚିମ ଓଡ଼ିଶାରେ ଦୁଇ ଦିନ ପ୍ରବଳ ବର୍ଷା ସମ୍ଭାବନା ରହିଛି। ବର୍ଷା ହେତୁ ମହାନଦୀ, ବୁଢ଼ାବଳଙ୍ଗ, ସୁବର୍ଣ୍ଣରେଖା, ବ୍ରାହ୍ମଣୀ ଅବବାହିକାରେ ବର୍ଷା ସମ୍ଭାବନା ଥିବାରୁ ଏସବୁ ନଦୀରେ ବନ୍ୟା ସୃଷ୍ଟି ହେବାର ଆଶଙ୍କା ରହିଛି। ସମ୍ଭାବ୍ୟ ପରିସ୍ଥିତିର ମୁକାବିଲା ପାଇଁ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି। ଯେକୌଣସି ପ୍ରକାର ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ମନ୍ତ୍ରୀ ବିଭାଗୀୟ ଅଧିକାରୀଙ୍କୁ ନିର୍ଦେଶ ଦେଇଛନ୍ତି। ଶ୍ରୀ ପୂଜାରୀ କହିଛନ୍ତି, ପୂର୍ବ ସରକାରର ଭୁଲ୍‌ ପାଇଁ ସହରର ବର୍ଷା ଜଳ ନିଷ୍କାସନ ହୋଇପାରୁନି। ଏସବୁ ସ୍ଥାୟୀ ସମାଧାନ ପାଇଁ ପଦକ୍ଷେପ ନିଆଯାଉଛି। ରାଜ୍ୟ ସରକାରଙ୍କ ପକ୍ଷରୁ ଖୁବ୍‌ଶୀଘ୍ର ନଦୀ ସଫେଇ ଅଭିଯାନ ଆରମ୍ଭ ହେବ। ବିଭିନ୍ନ କାରଣରୁ ନଦୀର ଗତିପଥ ଅବରୋଧ ଥିବାରୁ ଜଳ ନିଷ୍କାସନ ସମସ୍ୟା ଉଭୟ ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ବଢ଼ି ଚାଲିଛି।

Sidha Sambad
Author: Sidha Sambad

Leave a Comment

और पढ़ें