ବାଲେଶ୍ବର, ପଳାସିଆ ଗାଁରେ ଏଫଏମ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ବିଶିଙ୍କ ଶେଷକୃତ୍ୟ ମଙ୍ଗଳବାର ସମ୍ପନ୍ନ ହୋଇଛି। ଭୁବନେଶ୍ଵରରୁ ମରଶରୀରକୁ ତାଙ୍କ ଗାଁକୁ ନିଆଯିବା ପରେ ଗାଁରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଥିଲା। ଗାଁ କାନ୍ଦବୋବାଳିରେ ଫାଟିପଡ଼ିଥିଲା। ଲୁହ ଛଳ ଛଳ ଆଖିରେ ପରିବାର ଏବଂ ଗ୍ରାମବାସୀ ସୌମ୍ୟାଶ୍ରୀଙ୍କୁ ଚିରଦିନ ପାଇଁ ବିଦାୟ ଦେଇଥିଲେ। ଗାଁ ଶ୍ମଶାନରେ ତାଙ୍କର ଶେଷକୃତ୍ୟ ହୋଇଥିଲା।
ଏଫଏମ୍ କଲେଜ ଛାତ୍ରୀ ସୌମ୍ୟାଶ୍ରୀଙ୍କ ମୃତ୍ୟୁକୁ ନେଇ ରାହୁଲ ଗାନ୍ଧୀଙ୍କ ଉଦବେଗ। ‘ଏହା ଆତ୍ମହତ୍ୟା ନୁହେଁ, ବ୍ୟବସ୍ଥା ଦ୍ଵାରା ସଙ୍ଗଠିତ ହତ୍ୟା। ଯୌନ ଶୋଷଣ ବିରୋଧରେ ସାହାସୀ ଝିଅ ସ୍ଵର ଉଠାଇଲେ। କିନ୍ତୁ ନ୍ୟାୟ ପରିବର୍ତ୍ତେ ତାଙ୍କୁ ଧମକ ଦିଆଗଲା, ଅପମାନିତ କରାଗଲା। ନୀରିହ ଝିଅକୁ ଆତ୍ମାହୁତି ପାଇଁ ବାଧ୍ୟ କରାଗଲା। ଆଜି ଦେଶର ଝିଅମାନଙ୍କୁ ସୁରକ୍ଷା ଓ ନ୍ୟାୟ ଦରକାର।’
ସୌମ୍ୟାଶ୍ରୀଙ୍କୁ ତାଙ୍କ କଲେଜ ଅଧ୍ୟାପକ ସମୀର ସାହୁ ନିର୍ଯାତନା ଦେଉଥିବା ଅଭିଯୋଗ ହୋଇଥିଲା। ସୌମ୍ୟାଶ୍ରୀ ଏ ନେଇ କଲେଜ ଅଧ୍ୟକ୍ଷ ଦିଲିପ ଘୋଷଙ୍କଠାରୁ ଆରମ୍ଭ କରି ପୁଲିସ ଏବଂ ସ୍ଥାନୀୟ ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ଗୁହାରି କରି ନ୍ୟାୟ ଦାବି କରିଥିଲେ। କିନ୍ତୁ କେହି ତାଙ୍କ ଅଭିଯୋଗକୁ ଗୁରୁତ୍ଵ ଦେଇ ନ ଥିଲେ। ସେ କଲେଜରେ ଧାରଣା ବି ଦେଇଥିଲେ। କିନ୍ତୁ ସବୁଆଡୁ ନିରାଶ ହେବା ପରେ ଗତ ଶୁକ୍ରବାର ସେ କଲେଜରେ ଦେହରେ ନିଆଁ ଲଗାଇ ଆତ୍ମାହୁତି ଉଦ୍ୟମ କରିଥିଲେ। ଭୁବନେଶ୍ଵର ଏମସରେ ତାଙ୍କର ଚିକିତ୍ସା ଚାଲିଥିବାବେଳେ ଗତ ସୋମବାର ରାତି ପ୍ରାୟା ୧୧ଟା ୪୬ରେ ସେ ଆଖି ବୁଜିଥିଲେ।
୬୦ ଘଣ୍ଟାର ସଙ୍ଘର୍ଷ ପରେ ନୀରବି ଯାଇଛନ୍ତି ଏଫଏମ୍ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ବିଶି। ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ସୋମବାର ରାତି ୧୧.୪୬ ମିନିଟରେ ତାଙ୍କର ମୃତ୍ୟୁ ହୋଇଥିଲା । ପୀଡ଼ିତାଙ୍କ ପୋଷ୍ଟମର୍ଟମ କରି ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରାଯାଇଥିଲା। ଜନ୍ମମାଟି ଭୋଗରାଇ ପଳାସିଆରେ ଆଜି ତାଙ୍କର ଅନ୍ତିମ ସଂସ୍କାର କରାଯାଇଛି।




