ଖଣ୍ଡପଡ଼ା ୧|୧୧ (ସିଧା ସମ୍ବାଦ) ବିଦ୍ୟାଳୟରେ ମଧ୍ଯାହ୍ନଭୋଜନ ପ୍ରସ୍ତୁତ ନିମନ୍ତେ ସରକାରଙ୍କ ପକ୍ଷରୁ ବିଦ୍ୟାଳୟଗୁଡ଼ିକୁ ଯୋଗାଇ ଦିଆଯାଉଥିବା ସାମଗ୍ରୀ ଗୁଡ଼ିକ ହରିଲୁଟ ହେଉଥିବା ନେଇ ବିଭିନ୍ନ ସମୟରେ ଅଭିଯୋଗ ହୋଇ ଆସୁଥିଲା।ତେବେ ଖଣ୍ଡପଡ଼ା ବ୍ଲକ ଅଧିନ କିଆଝର ଉଚ୍ଚ ବିଦ୍ୟାଳୟରୁ ଶନିବାର ମଧ୍ଯାହ୍ନ ଭୋଜନ ସାମଗ୍ରୀ ସୋୟାବିନ ବଡି,ଅମୂଲ, ଚିନି ଓ ହରଡ ଡାଲି ଆଦି ଜନୈକ ଶିକ୍ଷକ ନେଉଥିବା ବେଳେ ଏହି ଘଟଣା ସ୍ଥାନୀୟ ବାସିନ୍ଦା ଓ ଛାତ୍ରମାନଙ୍କ ନଜରକୁ ଆସିଥିଲା।ଘଟଣା ସାଧାରଣରେ ପ୍ରଘଟ ହେବା ପରେ ମଧ୍ଯାନ୍ନଭୋଜନ ସାମଗ୍ରୀ ଘରକୁ ନେଉଥିବା ଶିକ୍ଷକ ଜଣକ ହଡବଡେଇ ଯାଇ ବିଦ୍ୟାଳୟରେ ପୁର୍ନବାର ମଧ୍ଯାହ୍ନ ଭୋଜନ ସାମଗ୍ରୀ ଗୁଡିକ ରଖିଦେବା ଘଟଣା ଏବେ କିଆଝର ପଞ୍ଚାୟତରେ ଚର୍ଚ୍ଚାର ବିଷୟ ହୋଇଛି। ଘଟଣା ସଂର୍ପକରେ ଖବରପାଇ ଗଣମାଧ୍ୟମର ପ୍ରତିନିଧିମାନେ ଉକ୍ତ ବିଦ୍ୟାଳୟ ଠାରେ ପହଞ୍ଚିବା ବେଳକୁ ସଂପୃକ୍ତ ଶିକ୍ଷକ ଓ ଅନ୍ଯ ଶିକ୍ଷକମାନେ ବିଦ୍ୟାଳୟର ମୁଖ୍ଯ ଫାଟକରେ ତାଲା ଝୁଲାଇ ଘରକୁ ପଳାଇ ଯାଇଥିବା ଜଣାପଡିଛି।ତେବେ ଘଟଣା ସଂର୍ପକରେ ସ୍ଥାନୀୟ ବାସିନ୍ଦାଙ୍କୁ ପଚାରିବାରେ ଘଟଣାର ସତ୍ଯତା ଥିବା ନେଇ ସୂଚନା ଦେଇଥିଲେ।ବିଦ୍ୟାଳୟରୁ ମଧ୍ଯାହ୍ନଭୋଜନ ସାମଗ୍ରୀ ନେଉଥିବା ଶିକ୍ଷକଙ୍କ ନାମ ମୁରଲୀଧର ବାରିକ ଓ ତାଙ୍କ ଘର ଖଣ୍ଡପଡ଼ା ସହରରେ ବୋଲି କିଆଝର ଗ୍ରାମବାସୀଙ୍କ ସୁତ୍ରରୁ ଜଣାପଡିଛି।ବିଦ୍ୟାଳୟର ପ୍ରଧାନଶିକ୍ଷକ କାହ୍ନୁଚରଣ ବାରିକଙ୍କ ସହ ଯୋଗାଯୋଗ କରିବାରେ ଶନିବାର ସକାଳ ୧୦ ଟା ପରେ ବିଦ୍ୟାଳୟରେ କାର୍ଯ୍ଯ ଶେଷ କରି ସେ ଘରକୁ ଫେରିବା ପରେ ଏହି ଘଟଣା ଘଟିଥିବା କଥା ପ୍ରକାଶ କରିଥିଲେ।ତେବେ ଘଟଣାର ସତ୍ଯତା ଥିବା ନେଇ ସେ ସୂଚନା ଦେଇଥିବା ବେଳେ ଏହି ଘଟଣାର ତଦନ୍ତ ସହ କାର୍ଯ୍ଯାନୁଷ୍ଠାନ ନିମନ୍ତେ ଶିକ୍ଷା ବିଭାଗ ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ କିଆଝର ପଞ୍ଚାୟତବାସୀ ଦାବି କରିଛନ୍ତି।ଉପରୋକ୍ତ ଅଭିଯୋଗ ସଂର୍ପକରେ ଖଣ୍ଡପଡ଼ା ଗୋଷ୍ଠୀ ଶିକ୍ଷାଧିକାରୀ କୈଳାସ ଚନ୍ଦ୍ର କରଙ୍କୁ ପଚାରିବାରେ ସେଥିପ୍ରତି ସେ ଦୃଷ୍ଟି ଦେବେ ବୋଲି କହିଛନ୍ତି।ପ୍ରଶ୍ନ ଉଠେ ଛାତ୍ରଛାତ୍ରୀମାନଙ୍କ ମଧ୍ଯାହ୍ନଭୋଜନ ପ୍ରସ୍ତୁତ ନିମନ୍ତେ ସରକାରଙ୍କ ନିର୍ଦ୍ଦେଶକ୍ରମେ ଖଣ୍ଡପଡ଼ା ବ୍ଳକ ଅଞ୍ଚଳର ସମସ୍ତ ବିଦ୍ୟାଳୟକୁ ଅକ୍ଷୟପାତ୍ର ଫାଉଣ୍ଡେସନ ପକ୍ଷରୁ ମଧ୍ଯାହ୍ନଭୋଜନ ସାମଗ୍ରୀ ଗୁଡ଼ିକ ଯୋଗାଇ ଦିଆଯାଉଥିବା ବେଳେ ବିଭିନ୍ନ ବିଦ୍ୟାଳୟରେ କାର୍ଯ୍ୟରତ ଶିକ୍ଷକମାନେ ଅସଦ ଉପାୟ ଅବଲମ୍ବନ କରି ମଧ୍ଯାହ୍ନଭୋଜନ ସାମଗ୍ରୀ ଗୁଡ଼ିକ କିଭଳି ହରିଲୁଟ କରୁଛନ୍ତି ତାହା ଉପରୋକ୍ତ ଘଟଣାରୁ ସ୍ପଷ୍ଟ ବାରି ହୋଇପଡୁଛି।ଏହି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ସହ ସଂପୃକ୍ତ ଶିକ୍ଷକଙ୍କ ବିରୁଦ୍ଧରେ ଆଇନ ଅନୁଯାୟୀ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିଭିନ୍ନ ମହଲରୁ ଦାବି ହେଉଛି। ନୟାଗଡ ଜିଲ୍ଲା ଶିକ୍ଷାଧିକାରୀ ଓ ଜିଲ୍ଲାପାଳ ଉପରୋକ୍ତ ଘଟଣାରେ ହସ୍ତକ୍ଷେପ କରିବାକୁ କିଆଝର ପଞ୍ଚାୟତର ଜନସାଧାରଣ ଦାବି କରିଛନ୍ତି




