ଜାତୀୟ ଯୁବ ଦିବସ ପାଳନ ଅବସରରେ ଓଡ଼ିଶାର ସମସ୍ତ ଶିକ୍ଷାନୁଷ୍ଠାନରେ ବନ୍ଦେମାତରମ୍‌ ସାମୂହିକ ଗାନ ୧୬ ହଜାରରୁ ଉର୍ଦ୍ଧ୍ୱ ଶିକ୍ଷାନୁଷ୍ଠାନ ଏବଂ ୨୧ଲକ୍ଷରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀଙ୍କ କଣ୍ଠରେ ମା ଭାରତୀର ଜୟଗାନ

👇समाचार सुनने के लिए यहां क्लिक करें

 

ଭୁବନେଶ୍ୱରତା ୧୨/୧(ସିଧାସମ୍ବାଦ);

ଆଜି ସ୍ୱାମୀ ବିବେକାନନ୍ଦଙ୍କ ଜୟନ୍ତୀ ଓ ଜାତୀୟ ଯୁବ ଦିବସ ପାଳନ ଅବସରରେ ଓଡ଼ିଶାର ସମସ୍ତ ବିଦ୍ୟାଳୟ, ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟରେ “ବନ୍ଦେମାତରମ୍”ର ସାମୂହିକ ଗାନ କରାଯାଇଛି। ବନ୍ଦେ ମାତରମ୍ ସାମୂହିକ ଗାନ କାର୍ଯ୍ୟକ୍ରମରେ ଓଡ଼ିଶାର ୧୬ ହଜାରରୁ ଅଧିକ ଶିକ୍ଷାନୁଷ୍ଠାନ ଅଂଶଗ୍ରହଣ କରିଥିବାବେଳେ ୨୧ଲକ୍ଷରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀମାନେ ବନ୍ଦେ ମାତରମ୍ ସାମୂହିକ ଗାନ କରିଛନ୍ତି।

ରାଜ୍ୟ ସରକାରଙ୍କ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ଉଚ୍ଚଶିକ୍ଷା, ବିଦ୍ୟାଳୟ ଓ ଗଣଶିକ୍ଷା, କ୍ରୀଡ଼ା ଓ ଯୁବସେବା ବିଭାଗର ମିଳିତ ଆନୁକୂଲ୍ୟରେ ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନମାନଙ୍କରେ “ବନ୍ଦେମାତରମ୍ ସାମୂହିକ ଗାନ” କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଆଜି ପୂର୍ବାହ୍ନ ୧୧ ଘଟିକା ସମୟରେ ସାରା ରାଜ୍ୟର ସରକାରୀ ଓ ଘରୋଇ ଶିକ୍ଷାନୁଷ୍ଠାନଗୁଡ଼ିକରେ ‘ବନ୍ଦେ ମାତରମ୍’ ସାମୂହିକ ଗାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଲକ୍ଷ ଲକ୍ଷ ଛାତ୍ରଛାତ୍ରୀ, ଶିକ୍ଷକ, ଶିକ୍ଷୟିତ୍ରୀ ଏବଂ କର୍ମଚାରୀମାନେ ଏକାଠି ହୋଇ ମା ଭାରତୀଙ୍କର ବନ୍ଦନା କରିଥିଲେ।

ବନ୍ଦେମାତରମ୍ ସାମୂହିକ ଗାନ କାର୍ଯ୍ୟକ୍ରମର ସଫଳ ଆୟୋଜନକୁ ନେଇ ଉଚ୍ଚଶିକ୍ଷା, କ୍ରୀଡ଼ା ଓ ଯୁବସେବା ଏବଂ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ ଖୁସିବ୍ୟକ୍ତ କରିଛନ୍ତି। ମନ୍ତ୍ରୀ ଶ୍ରୀ ସୂରଜ ଏହି କାର୍ଯ୍ୟକ୍ରମକୁ ଏକ “ଐତିହାସିକ ମୁହୂର୍ତ୍ତ” ଭାବେ ବର୍ଣ୍ଣନା କରିବା ସହ ଯୁବବର୍ଗଙ୍କ କଣ୍ଠରେ ବନ୍ଦେ ମାତରମ୍‌ର ଏହି ସାମୂହିକ ଗାନ ରାଷ୍ଟ୍ର ପ୍ରତି ରହିଥିବା ଆମର ଅନନ୍ୟ ସମର୍ପଣ ଭାବର ଏକ ନିଚ୍ଛକ ନିଦର୍ଶନ ବୋଲି ମତପ୍ରକାଶ କରିଛନ୍ତି। ଏଥିସହ ମନ୍ତ୍ରୀ ଶ୍ରୀ ସୂରଜ “ବନ୍ଦେ ମାତରମ୍ ସାମୂହିକ ଗାନ” କାର୍ଯ୍ୟକ୍ରମରେ ସାମିଲ ହୋଇଥିବା ସମସ୍ତ ଶିକ୍ଷାନୁଷ୍ଠାନ, ଛାତ୍ରଛାତ୍ରୀ ଏବଂ ଶିକ୍ଷକ ଓ ଶିକ୍ଷୟିତ୍ରୀମାନଙ୍କୁ ସାଧୁବାଦ ଜଣାଇଛନ୍ତି।

ପ୍ରକାଶଯୋଗ୍ୟ ଯେ,ଶିକ୍ଷାନୁଷ୍ଠାନମାନଙ୍କରେ ସାମୂହିକ ବନ୍ଦେ ମାତରମ୍ ଗାନ ନିମନ୍ତେ ରାଜ୍ୟବ୍ୟାପୀ “ବନ୍ଦେ ମାତରମ୍ ପ୍ରଶିକ୍ଷଣ କାର୍ଯ୍ୟକ୍ରମ”ର ଆୟୋଜନ କରାଯାଇଥିଲା। ରାଜ୍ୟର ସମସ୍ତ ଜିଲ୍ଲାକୁ ୫ଟି ମଣ୍ଡଳ – *ଜୟପୁର ମଣ୍ଡଳ* (କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ରାୟଗଡ଼ା, କଳାହାଣ୍ଡି ଓ ନୂଆପଡ଼ା) *ବ୍ରହ୍ମପୁର ମଣ୍ଡଳ* (ଗଞ୍ଜାମ, ଗଜପତି, କନ୍ଧମାଳ, ବୌଦ୍ଧ ଏବଂ ନୟାଗଡ଼ ), *ବାଲେଶ୍ୱର ମଣ୍ଡଳ* (ବାଲେଶ୍ୱର, ମୟୂରଭଞ୍ଜ, ଭଦ୍ରକ, କେନ୍ଦୁଝର ଓ ଯାଜପୁର), *ସମ୍ବଲପୁର ମଣ୍ଡଳ* (ସମ୍ବଲପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼, ଦେଓଗଡ଼, ବରଗଡ଼, ବଲାଙ୍ଗୀର ଓ ସୁବର୍ଣ୍ଣପୁର) ଏବଂ *ଭୁବନେଶ୍ୱର ମଣ୍ଡଳ* (ଖୋର୍ଦ୍ଧା, କଟକ, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଢେଙ୍କାନାଳ ଏବଂ ଅନୁଗୁଳ)ରେ ବିଭକ୍ତ କରାଯାଇ “ମଣ୍ଡଳ ସ୍ତରୀୟ ବନ୍ଦେ ମାତରମ୍ ପ୍ରଶିକ୍ଷଣ କାର୍ଯ୍ୟକ୍ରମ”ର ଆୟୋଜନ କରାଯାଇଥିଲା। ଏଥିସହ ଜିଲ୍ଲା, ପୌରପରିଷଦ ଓ ବ୍ଲକ ସ୍ତରରେ ମଧ୍ୟ “ବନ୍ଦେ ମାତରମ୍ ପ୍ରଶିକ୍ଷଣ ଶିବିର”ର ଆୟୋଜନ କରାଯାଇଥିଲା।

ଅମ୍ଳାନ ଦାସ
ଲୋକସମ୍ପର୍କ ଅଧିକାରୀ

Sidha Sambad
Author: Sidha Sambad

Leave a Comment

और पढ़ें