ସରକାରୀ କ୍ୱାର୍ଟରକୁ ନିଜର ପୈତୃକ ସମ୍ପତ୍ତି ଭାବୁଥିବା କର୍ମଚାରୀଙ୍କ ପାଇଁ ଏକ ବଡ଼ ଖବର। ଅବସର କିମ୍ବା ବଦଳି ପରେ ମଧ୍ୟ ବର୍ଷ ବର୍ଷ ଧରି ସରକାରୀ ଘର ମାଡି ବସୁଥିବା ବାବୁମାନଙ୍କ ଉପରେ ବର୍ଷିଛନ୍ତି ଓଡ଼ିଶା ହାଇକୋର୍ଟ। ଏହାକୁ ଏକ ଗୁରୁତର ଅନୈତିକ ଆଚରଣ ବୋଲି ଦର୍ଶାଇ କୋର୍ଟ କଣ ରାୟ ଦେଇଛନ୍ତି, ଦେଖନ୍ତୁ ଏହି ରିପୋର୍ଟ।
ଓଡ଼ିଶା ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇ ସ୍ପଷ୍ଟ କରିଛନ୍ତି ଯେ, ସରକାରୀ ଆବାସ କେବଳ ଏକ ସୀମିତ ସୁବିଧା, ଏହା କର୍ମଚାରୀଙ୍କ ଅଧିକାର ନୁହେଁ। ଚାକିରିରୁ ଅବସର ନେବା ପରେ କିମ୍ବା ବଦଳି ହେବା ପରେ ଅନୁମତିପ୍ରାପ୍ତ ଅବଧିଠାରୁ ଅଧିକ ସମୟ କ୍ୱାର୍ଟରରେ ରହିବା ସମ୍ପୂର୍ଣ୍ଣ ଅନୁଚିତ।
କୋର୍ଟ କଡ଼ା ଭାଷାରେ କହିଛନ୍ତି ଯେ, କୋର୍ଟ କଚେରୀ ମାମଲା କିମ୍ବା ଆଇନଗତ ବିବାଦ ଆଳ ଦେଖାଇ ଲମ୍ବା ସମୟ ଧରି ଘର ମାଡି ବସିବା ଅକ୍ଷମଣୀୟ ଅପରାଧ। ଏପରିକି ଜଣେ ଅବସରପ୍ରାପ୍ତ କର୍ମଚାରୀ ଅନଧିକୃତ ଭାବେ କ୍ୱାର୍ଟରରେ ରହିଥିବା ସମୟ ପାଇଁ ଜରିମାନା ଭଡ଼ା (Penal Rent) ଦେବାକୁ ପଡିବ ବୋଲି ହାଇକୋର୍ଟ ସ୍ପଷ୍ଟ କରିଛନ୍ତି। ପୂର୍ବରୁ ଜଣିକିଆ ବିଚାରପତି ଦେଇଥିବା ରାୟ ବିରୋଧରେ ରାଜ୍ୟ ସରକାରଙ୍କ ଆବେଦନକୁ ହାଇକୋର୍ଟ ଗ୍ରହଣ କରି ଏହି ନିର୍ଦ୍ଦେଶ ଦେଇଛନ୍ତି।
ତେବେ ହାଇକୋର୍ଟଙ୍କ ଏହି ରାୟ ପରେ ଏବେ ବେଆଇନ ଭାବେ ଘର ମାଡି ବସିଥିବା ବାବୁମାନଙ୍କ ମନରେ ଛନକା ପଶିଛି। ଅଧିକ ଖବର ପାଇଁ ଦେଖୁଥାନ୍ତୁ ସିଧା ସମ୍ବାଦ।




