ଖଣ୍ତପଡା ୨୨।୨(ସିଧା ସମ୍ବାଦ) ନୟାଗଡ଼ ଜିଲ୍ଲା ସଦର ମହକୁମାରୁ ଖଣ୍ଡପଡ଼ା ଦେଇ ଭାପୁର ଓ ଫତେଗଡ ଛକକୁ ସଂଯୋଗ କରୁଥିବା ମୁଖ୍ଯ ରାସ୍ତା ଟିକୁ ରାଜ୍ୟ ରାଜପଥର ମାନ୍ୟତା ପ୍ରଦାନ ନିମନ୍ତେ ରାଜ୍ଯ ସରକାର ଦୃଷ୍ଟି ଦେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।ପୂର୍ତ୍ତବିଭାଗ ଅଧୀନରେ ଥିବା ଏହି ରାସ୍ତାର ଦୁରତ୍ବ ୩୮ କିଲୋମିଟର ହୋଇଥିବା ବେଳେ ଗତ ୧୦ ବର୍ଷ ଧରି ଉକ୍ତ ରାସ୍ତାଟି ଏକ ବ୍ୟସ୍ତବହୁଳ ରାସ୍ତା ଭାବେ ପରିଗଣିତ ହେଉଛି।ଦୈନିକ ଶହଶହ ସଂଖ୍ୟାରେ ଯାନବାହନ ଓ ଯାତ୍ରୀବାହୀ ବସ ଉକ୍ତ ରାସ୍ତାଦେଇ ଚଳାଚଳ କରୁଛି। ସମୟାନୁକ୍ରମେ ଉକ୍ତ ରାସ୍ତାରେ ଯାନବାହନ ଚଳାଚଳ ବୃଦ୍ଧି ପାଇବାରେ ଲାଗିଛି। ସେହି ରାସ୍ତାରେ ଅବସ୍ଥିତ ଭାପୁର ଓ ବାହାଡା ବଜାରରେ ରାସ୍ତା ପାର୍ଶ୍ବ ଦୋକାନୀଙ୍କ ଯୋଗୁଁ ସଦାସର୍ବଦା ଟ୍ରାଫିକ ସମାସ୍ୟା ସୃଷ୍ଟି ହେଉଛି।ତେଣୁ ଉକ୍ତ ରାସ୍ତାର ପ୍ରଶସ୍ତୀକରଣ ସହ ରାସ୍ତାଟିକୁ ରାଜ୍ଯ ରାଜପଥର ମାନ୍ଯତା ପ୍ରଦାନ କରାଗଲେ ଅଞ୍ଚଳବାସୀ ଓ ଏ ଅଞ୍ଚଳକୁ ବର୍ଷ ତମାମ ପରିଦର୍ଶନରେ ଆସୁଥିବା ପର୍ଯ୍ୟଟକମାନେ ବେଶ ଉପକୃତ ହୋଇ ପାରନ୍ତେ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି। ପ୍ରକାଶଥାଉକି ରାଜ୍ଯ ସରକାର ପର୍ଯ୍ୟଟନସ୍ଥଳୀ ଗୁଡିକୁ ସଂଯୋଗ କରୁଥିବା ରାସ୍ତାର ଉନ୍ନତିକରଣ ଦିଗରେ କୋଟି କୋଟି ଟଙ୍କା ବ୍ୟୟ କରୁଛନ୍ତି।ଫତେଗଡ ଗ୍ରାମସ୍ଥିତ ଶ୍ରୀରାମ ମନ୍ଦିର ଠାରୁ ଆରମ୍ଭ କରି ଜଗନ୍ନାଥ ସଂସ୍କୃତିର ଆଦିପୀଠ ପ୍ରଭୁ ଶ୍ରୀନୀଳମାଧବ କ୍ଷେତ୍ର ଓ ସିଧାମୂଳା ଗ୍ରାମସ୍ଥିତ ଶ୍ରୀ ଗୋକୁଳାନନ୍ଦଜୀଉଙ୍କ ପୀଠ, କଣ୍ଟିଲୋ ନିକଟସ୍ଥ ମା ନାରାୟଣୀଙ୍କ ପୀଠକୁ ବର୍ଷ ତମାମ ବହୁ ଦୁର ଦୁରାନ୍ତରୁ ପର୍ଯ୍ୟଟକମାନଙ୍କ ସୁଅ ଛୁଟୁଥିବା ବେଳେ ସମସ୍ତ ପର୍ଯ୍ୟଟକ ଫତେଗଡରୁ ଭାପୁର,ଓ ଖଣ୍ଡପଡ଼ା ଦେଇ ଯାତାୟାତ କରିଥାନ୍ତି।ସେହିପରି ଭାପୁର,ଖଣ୍ତପଡା ଓ ଗଣିଆ ପରି ୩ ଟି ବ୍ଲକ ଅଞ୍ଚଳର ଜନସାଧାରଣଙ୍କ ଯାତାୟତ ନିମନ୍ତେ ଏହି ରାସ୍ତାଟି ଲାଇଫ ଲାଇନ ରାସ୍ତା ଭାବେ ବେଶ ଜଣାଶୁଣା ଅଟେ।ରାଜ୍ୟ ସରକାର ଏହି ରାସ୍ତାଟିକୁ ରାଜ୍ୟ ରାଜପଥର ମାନ୍ୟତା ପ୍ରଦାନ କଲେ ଗମନାଗମନ କ୍ଷେତ୍ରରେ ଏକ ବୈପ୍ଳବିକ ପରିବର୍ତ୍ତନ ଆସି ପାରନ୍ତା ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି।



