ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ ଏବେ ରାଜଧାନୀ ଭୁବନେଶ୍ୱରର ରୋଷେଇ ଘରୁ ନେଇ ହୋଟେଲ-ରେଷ୍ଟୁରାଣ୍ଟ ପର୍ଯ୍ୟନ୍ତ ସବୁଠି ଅନୁଭୂତ ହେଲାଣି। ଦେଶରେ ରନ୍ଧନ ଗ୍ୟାସ୍ ସଙ୍କଟ ଦେଖାଦେଇଥିବାରୁ ବ୍ୟବସାୟୀମାନେ ଏବେ ଘୋର ଦ୍ୱନ୍ଦ୍ୱରେ ପଡ଼ିଛନ୍ତି। ଏହି ସମସ୍ୟାର ସମାଧାନ ପାଇଁ ଭୁବନେଶ୍ୱର ମହାନଗର ନିଗମ (BMC) ଏକ ବଡ଼ ନିଷ୍ପତ୍ତି ନେବାକୁ ଯାଉଛି।ଗ୍ୟାସ୍ ଅଭାବ ଯୋଗୁଁ ସହରର ଛୋଟ ଛୋଟ ଚା’ ଦୋକାନ, ଜଳଖିଆ ଦୋକାନ ଏବଂ ଫାଷ୍ଟଫୁଡ୍ ସେଣ୍ଟରଗୁଡ଼ିକ ପ୍ରାୟ ବନ୍ଦ ହେବା ଅବସ୍ଥାକୁ ଆସିଗଲାଣି। ବଡ଼ ବଡ଼ ହୋଟେଲରେ ମଧ୍ୟ ଗ୍ରାହକଙ୍କୁ ପସନ୍ଦର ଖାଦ୍ୟ ମିଳୁନାହିଁ, କାରଣ ଗ୍ୟାସ୍ ସଞ୍ଚୟ କରିବା ପାଇଁ ମେନ୍ୟୁରେ କାଟ୍ଛାଣ୍ଟ କରାଯାଇଛି।ବାୟୁ ପ୍ରଦୂଷଣ ରୋକିବା ପାଇଁ ପୂର୍ବରୁ ଭୁବନେଶ୍ୱରରେ କାଠ ଓ କୋଇଲା ଚୁଲା ବ୍ୟବହାର ଉପରେ କଡ଼ା କଟକଣା ଲଗାଯାଇଥିଲା। ଏହି ନିୟମ ଭାଙ୍ଗିଲେ ଜୋରିମାନା ଆଦାୟ କରାଯାଉଥିଲା। ମାତ୍ର ବର୍ତ୍ତମାନର ଗ୍ୟାସ୍ ସଙ୍କଟକୁ ଦୃଷ୍ଟିରେ ରଖି ଏହି କଟକଣାକୁ ସାମୟିକ ଭାବେ ହଟାଇବା ପାଇଁ ବିଏମ୍ସି ମେୟର ସୁଲୋଚନା ଦାସ ସଙ୍କେତ ଦେଇଛନ୍ତି।



