ରାଜ୍ୟରେ ମାତିଛନ୍ତି ବେଆଇନ ବାଲି ମାଫିଆ। ସରକାରୀ ଅଧିକାରୀଙ୍କୁ ଆକ୍ରମଣ କରିବାକୁ ମଧ୍ୟ ପଛାଉ ନାହାନ୍ତି ଏହି ଦୁର୍ବୃତ୍ତ। ବାଲେଶ୍ୱର ଜିଲ୍ଲା ସୋର ଥାନା ଅଞ୍ଚଳରେ ଦେଖିବାକୁ ମିଳିଛି ଏଭଳି ଏକ ଚାଞ୍ଚଲ୍ୟକର ଘଟଣା। ସୋର ତହସିଲଦାର ଚିନ୍ମୟ ରାଉତ ଏବଂ ଅତିରିକ୍ତ ତହସିଲଦାର କୃଷ୍ଣ ମୋହନ ସିଂହଙ୍କୁ ମରଣାନ୍ତକ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି।
ମିଳିଥିବା ସୂଚନା ଅନୁଯାୟୀ, ତହସିଲଦାର ଏବଂ ଅତିରିକ୍ତ ତହସିଲଦାର ଅନନ୍ତପୁର ଅଞ୍ଚଳରୁ ସୋର ଅଭିମୁଖେ ଫେରୁଥିଲେ। ଏହି ସମୟରେ ଅଇଁରୀ ଛକ ନିକଟରେ ଏକ ବେଆଇନ ବାଲି ବୋଝେଇ ଗାଡ଼ି (OD 22AC 3662) କୁ ଅଟକାଇ କାଗଜପତ୍ର ଯାଞ୍ଚ କରିଥିଲେ। ମାତ୍ର କାଗଜପତ୍ର ଦେଖାଇବା ପରିବର୍ତ୍ତେ ଗାଡ଼ି ଚାଳକ ଏବଂ ତାଙ୍କ ସହଯୋଗୀ ତହସିଲଦାରଙ୍କ ସହ ଯୁକ୍ତିତର୍କ କରିବା ସହ ତାଙ୍କୁ ଆକ୍ରମଣ କରିଥିଲେ। ଏତିକିରେ ମାଫିଆଙ୍କ ମନ ବୁଝିନଥିଲା, ସେମାନେ ତହସିଲଦାରଙ୍କ ହାତରୁ ଜରୁରୀ କାଗଜପତ୍ର ଛଡ଼ାଇ ନେଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ।
ଆଶ୍ଚର୍ଯ୍ୟର କଥା ହେଉଛି, ଘଟଣାସ୍ଥଳରେ ଅନନ୍ତପୁର ପୋଲିସ ପହଞ୍ଚି ଗାଡ଼ିକୁ ଜବତ କରିଥିଲେ ମଧ୍ୟ ମାଫିଆଙ୍କ ଦାଦାଗିରି ଥମିନଥିଲା। ପୋଲିସ ଉପସ୍ଥିତିରେ ହିଁ ବାଲି ମାଫିଆ ଜବରଦସ୍ତ ବାଲି ଅନଲୋଡ୍ କରି ଖସି ପଳାଇବାରେ ସକ୍ଷମ ହୋଇଥିଲେ।
ଥାନାଠାରୁ ମାତ୍ର ଏକ କିଲୋମିଟର ଦୂରରେ ଜଣେ ପ୍ରଶାସନିକ ଅଧିକାରୀଙ୍କ ଉପରେ ଏଭଳି ଆକ୍ରମଣ ଏବେ ସ୍ଥାନୀୟ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା ଉପରେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି। ତହସିଲଦାରଙ୍କ ଅଭିଯୋଗ ଆଧାରରେ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି।



