ବାଲେଶ୍ୱର ଜିଲ୍ଲା ରାଜନୀତି ଏବେ ସରଗରମ। ପୂର୍ବତନ ସାଂସଦ ରବୀନ୍ଦ୍ର ଜେନା ବିଜେପିରେ ସାମିଲ ହେବା ଏବଂ ତାଙ୍କ ପତ୍ନୀ ତଥା ବସ୍ତା ବିଧାୟିକା ସୁବାସିନୀ ଜେନାଙ୍କୁ ବିଜେଡିରୁ ନିଲମ୍ବନ କରାଯିବା ପରେ ଜିଲ୍ଲା ସଂଗଠନରେ ବଡ଼ ଧରଣର ହଲଚଲ୍ ଦେଖାଦେଇଛି। ବିଶେଷ କରି ତୃଣମୂଳ ସ୍ତରର ନେତାମାନେ ଜଣକ ପରେ ଜଣେ ଦଳ ଛାଡୁଥିବାରୁ ଆଗାମୀ ପଞ୍ଚାୟତ ଓ ପୌର ନିର୍ବାଚନ ପୂର୍ବରୁ ବିଜେଡି ପାଇଁ ବଡ଼ ଆହ୍ୱାନ ସୃଷ୍ଟି ହୋଇଛି।
ଏଭଳି ସଂକଟ ସମୟରେ ଦଳକୁ ସଜାଡ଼ିବା ପାଇଁ ବିଜେଡି ସୁପ୍ରିମୋ ଏବେ ପୁରୁଣା ସାଥୀଙ୍କୁ ଫେରାଇ ଆଣିବାକୁ ଯୋଜନା କରୁଥିବା ଚର୍ଚ୍ଚା ହେଉଛି। ସୂଚନା ଅନୁଯାୟୀ, ବାଲେଶ୍ୱରର ଦୁଇ ଟାଣୁଆ ନେତା ତଥା ପୂର୍ବତନ ମନ୍ତ୍ରୀ ରଘୁନାଥ ମହାନ୍ତି ଏବଂ ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ଦାଶ ଖୁବଶୀଘ୍ର ପୁଣି ଥରେ ‘ଶଙ୍ଖ’ ଧରିପାରନ୍ତି। ଉଭୟ ନେତା ନବୀନ ନିବାସ ଯାଇ ବିଧିବଦ୍ଧ ଭାବେ ଦଳରେ ସାମିଲ ହେବା ନେଇ କ୍ଷେତ୍ର ପ୍ରସ୍ତୁତ ହୋଇସାରିଥିବା ସୂଚନା ମିଳିଛି।
ରବୀନ୍ଦ୍ର ଜେନା ପଦ୍ମ ଧରିବା ପରେ ବସ୍ତାରେ ବିଜେପି ନେତା ରବୀନ୍ଦ୍ର ଅଣ୍ଡିଆଙ୍କ ରାଜନୈତିକ ଭବିଷ୍ୟତ କ’ଣ ହେବ, ତାକୁ ନେଇ ପ୍ରଶ୍ନ ଉଠିଛି। ଅନ୍ୟପଟେ କଂଗ୍ରେସ ପ୍ରାର୍ଥୀ ବିଜନ ନାୟକଙ୍କ ପାଇଁ ଏହି ଗୋଳିଆ ସ୍ଥିତି କେତେ ଅନୁକୂଳ ରହିବ, ତାହା ବି ଏକ ବଡ଼ ପ୍ରସଙ୍ଗ। ଜିଲ୍ଲା ସଭାପତି ପଦ ଖାଲି ଥିବାରୁ ଏବେ ସୁକାନ୍ତ ନାୟକ, ଜ୍ୟୋତିପ୍ରକାଶ ପାଣିଗ୍ରାହୀ ଏବଂ ଲେଖାଶ୍ରୀ ସାମନ୍ତସିଂହାରଙ୍କ ଭଳି ନେତାଙ୍କ କାର୍ଯ୍ୟଶୈଳୀ ଉପରେ ସମସ୍ତଙ୍କ ନଜର ରହିଛି।



