କୋଲକାତା/ଗୁଆହାଟୀ: ପଶ୍ଚିମବଙ୍ଗ ଏବଂ ଆସାମ ବିଧାନସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟିର ବଡ଼ ସଫଳତା ପରେ ଏବେ ସରକାର ଗଠନ ପ୍ରକ୍ରିୟା ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ବିଶେଷ କରି ପଶ୍ଚିମବଙ୍ଗରେ ବିଜେପିର ଐତିହାସିକ ବିଜୟ ପରେ କିଏ ହେବେ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ, ସେନେଇ ଚର୍ଚ୍ଚା ଜୋର ଧରିଛି। ଏହି ପ୍ରକ୍ରିୟାକୁ ଶୃଙ୍ଖଳିତ କରିବା ପାଇଁ ବିଜେପି କେନ୍ଦ୍ରୀୟ ନେତୃତ୍ୱ ପର୍ଯ୍ୟବେକ୍ଷକ ନିଯୁକ୍ତ କରିଛନ୍ତି।
ପଶ୍ଚିମବଙ୍ଗରେ ବିଧାୟକ ଦଳର ନେତା ଚୟନ ଏବଂ ସରକାର ଗଠନ ପ୍ରକ୍ରିୟାର ତଦାରଖ ପାଇଁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ କରାଯାଇଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଏହି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟରେ ସହ-ପର୍ଯ୍ୟବେକ୍ଷକ ଭାବେ ଦାୟିତ୍ୱ ଦିଆଯାଇଛି। ଏହି ଦୁଇ ବରିଷ୍ଠ ନେତା ପଶ୍ଚିମବଙ୍ଗ ଗସ୍ତ କରି ବିଧାୟକମାନଙ୍କ ସହ ଆଲୋଚନା କରିବେ ଓ ମୁଖ୍ୟମନ୍ତ୍ରୀ ଚୟନ ପ୍ରକ୍ରିୟାରେ ସହଯୋଗ କରିବେ।
ସେହିପରି ଆସାମରେ ବିଜେପିର ବିଜୟ ପରେ ସେଠାରେ ସରକାର ଗଠନର ତଦାରଖ କରିବା ପାଇଁ କେନ୍ଦ୍ର ମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ଜେପି ନଡ୍ଡାଙ୍କୁ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ କରାଯାଇଛି।
ଏହି ନିର୍ବାଚନରେ ପଶ୍ଚିମବଙ୍ଗରେ ବିଜେପି ସମସ୍ତ ସମୀକରଣକୁ ବଦଳାଇ ଦେଇଛି। ରାଜ୍ୟର ମୋଟ ୨୯୪ଟି ଆସନ ମଧ୍ୟରୁ ବିଜେପି ଏକାକୀ ୨୦୭ଟି ଆସନ ହାସଲ କରି ସମ୍ପୂର୍ଣ୍ଣ ବହୁମତ ପାଇଛି। ଏହି ବିପୁଳ ବିଜୟ ପରେ ରାଜ୍ୟରେ ଏକ ଶକ୍ତିଶାଳୀ ସରକାର ଗଠନ କରିବା ପାଇଁ ଦଳ ପ୍ରସ୍ତୁତି ଚଳାଇଛି।
ବ୍ୟୁରୋ ରିପୋର୍ଟ, ସିଧା ସମ୍ବାଦ







