କୋଲକାତା: ପଶ୍ଚିମବଙ୍ଗ ନିର୍ବାଚନ ଫଳାଫଳ ପରେ ରାଜ୍ୟ ରାଜନୀତି ଏବେ ସରଗରମ ହୋଇଛି। ବିଜେପି ବହୁମତ ହାସଲ କରିବା ପରେ ପ୍ରଥମ ଥର ପାଇଁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସାମ୍ବାଦିକ ସମ୍ମିଳନୀ କରି ବିଜେପି ଓ ନିର୍ବାଚନ କମିଶନଙ୍କ ଉପରେ ବର୍ଷିଛନ୍ତି। ନିଜର ପରାଜୟକୁ ସ୍ୱୀକାର କରିବା ପରିବର୍ତ୍ତେ ସେ ଏହାକୁ ‘ଜନାଦେଶର ଲୁଟ୍’ ବୋଲି ଅଭିହିତ କରିଛନ୍ତି।
ପରମ୍ପରା ଅନୁସାରେ ନିର୍ବାଚନରେ ହାରିବା ପରେ ମୁଖ୍ୟମନ୍ତ୍ରୀ ରାଜ୍ୟପାଳଙ୍କୁ ଭେଟି ଇସ୍ତଫା ଦେଇଥାନ୍ତି, ମାତ୍ର ମମତା ବାନାର୍ଜୀ ଆଜି ସ୍ପଷ୍ଟ କରିଛନ୍ତି ଯେ ସେ ଇସ୍ତଫା ଦେବେ ନାହିଁ। ସେ କହିଛନ୍ତି, “ମୁଁ ହାରି ନାହିଁ, ତେଣୁ ରାଜଭବନ ଯିବାର ପ୍ରଶ୍ନ ଉଠୁନାହିଁ। ବିଜେପି ବଳପୂର୍ବକ ୧୦୦ଟି ଆସନ ଲୁଟ୍ କରି ବିଜୟ ହାସଲ କରିଛି।”
ମମତା ବାନାର୍ଜୀ ତାଙ୍କ ପରାଜୟ ପାଇଁ ଭାରତୀୟ ନିର୍ବାଚନ କମିଶନ (ECI) ଏବଂ କେନ୍ଦ୍ରୀୟ ସୁରକ୍ଷା ବଳକୁ ଦାୟୀ କରିଛନ୍ତି। ତାଙ୍କ ଅଭିଯୋଗ ଅନୁଯାୟୀ, ନିର୍ବାଚନ କମିଶନ ପକ୍ଷପାତିତା କରିଛନ୍ତି ଏବଂ ବିଜେପି ସହ ମିଶି ଏକ ‘ଖରାପ ଖେଳ’ ଖେଳିଛନ୍ତି। କେନ୍ଦ୍ର ସରକାର ସିଧାସଳଖ ନିର୍ବାଚନ ପ୍ରକ୍ରିୟାରେ ହସ୍ତକ୍ଷେପ କରି ଗଣତନ୍ତ୍ରକୁ ହତ୍ୟା କରିଥିବା ସେ କହିଛନ୍ତି।
୭୧ ବର୍ଷୀୟ ମମତା ଆହୁରି ମଧ୍ୟ ଅଭିଯୋଗ କରିଛନ୍ତି ଯେ, କାଉଣ୍ଟିଂ ସେଣ୍ଟରରେ ତାଙ୍କୁ ଶାରୀରିକ ନିର୍ଯାତନା ଦିଆଯାଇଛି। ସିସିଟିଭି ବନ୍ଦ କରି ତାଙ୍କୁ ଧକ୍କା ମରାଯାଇଥିବା ଏବଂ ଜଣେ ମହିଳା ହିସାବରେ ତାଙ୍କ ସହ ଅତ୍ୟନ୍ତ ଅଶୋଭନୀୟ ବ୍ୟବହାର କରାଯାଇଥିବା ସେ ପ୍ରକାଶ କରିଛନ୍ତି।
ନିର୍ବାଚନ ପରବର୍ତ୍ତୀ ହିଂସା କଥା ଉଠାଇ ମମତା କହିଛନ୍ତି ଯେ, ବିଜେପି କର୍ମୀମାନେ ଟିଏମସି ଅଫିସ ପୋଡ଼ିବା ସହ କର୍ମୀମାନଙ୍କୁ ଭୟଭୀତ କରୁଛନ୍ତି। ଟିଏମସି ମୁଖ୍ୟାଳୟ ଦଖଲ ପାଇଁ ମଧ୍ୟ ଚେଷ୍ଟା କରାଯାଉଥିବା ସେ ଅଭିଯୋଗ କରିଛନ୍ତି।
ରାଜ୍ୟରେ ବିଜେପି ସରକାର ଗଠନ ପାଇଁ ପ୍ରସ୍ତୁତି ଚଳାଇଥିବା ବେଳେ ମମତାଙ୍କ ଏହି ଆଭିମୁଖ୍ୟ ପଶ୍ଚିମବଙ୍ଗ ରାଜନୀତିକୁ କେଉଁ ମୋଡ଼ ନେଉଛି, ତାହା ଦେଖିବାକୁ ବାକି ରହିଲା।






