ଏକ ବଡ଼ ଏବଂ ଦୁଃଖଦ ଖବର ଭଦ୍ରକ ଜିଲ୍ଲାରୁ ସାମ୍ନାକୁ ଆସୁଛି। ଭଦ୍ରକ ଜିଲ୍ଲା ବାସୁଦେବପୁରରେ ଘଟିଛି ଏକ ବଡ଼ ଧରଣର ସଡ଼କ ଦୁର୍ଘଟଣା। ଶ୍ରମିକ ଓ ଢାଳେଇ ମେସିନ୍ ନେଇ ଯାଉଥିବା ଏକ ପିକଅପ୍ ଗାଡ଼ି ଭାରସାମ୍ୟ ହରାଇ ଓଲଟି ପଡ଼ିଛି। ଏହି ଭୟାବହ ଦୁର୍ଘଟଣାରେ ଗାଡ଼ିରେ ଥିବା ପାଖାପାଖି ୨୦ ଜଣ ଶ୍ରମିକ ଗୁରୁତର ଭାବେ ଆହତ ହୋଇଛନ୍ତି। କେମିତି ଏବଂ କେଉଁ ପରିସ୍ଥିତିରେ ଘଟିଲା ଏହି ଦୁର୍ଘଟଣା, ଆସନ୍ତୁ ନଜର ପକାଇବା ସମ୍ପୂର୍ଣ୍ଣ ରିପୋର୍ଟ ଉପରେ।ସୂଚନା ଅନୁଯାୟୀ, ଭଦ୍ରକରୁ ଢାଳେଇ ମେସିନ୍ ଏବଂ ଶ୍ରମିକମାନଙ୍କୁ ଧରି ଏକ ପିକଅପ୍ ଗାଡ଼ି ବାସୁଦେବପୁର ଅଞ୍ଚଳକୁ କାମ ପାଇଁ ଆସୁଥିଲା। କିନ୍ତୁ ବାସୁଦେବପୁର-ପଦ୍ମପୁର ରାସ୍ତାର ବେକମୁଡ଼ି ଛକ ନିକଟରେ ହଠାତ୍ ଗାଡ଼ି ଆଗକୁ ଏକ ଗାଈ ଚାଲି ଆସିଥିଲା। ଗାଈଟିକୁ ବଞ୍ଚାଇବାକୁ ଯାଇ ଚାଳକ ଜଣକ ଗାଡ଼ି ଉପରୁ ନିୟନ୍ତ୍ରଣ ହରାଇ ବସିଥିଲେ। ଫଳରେ ପିକଅପ୍ ଗାଡ଼ିଟି ରାସ୍ତା ଉପରେ ହିଁ ଓଲଟି ପଡ଼ିଥିଲା। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଗାଡ଼ିରେ ଥିବା ଶ୍ରମିକମାନେ ଢାଳେଇ ମେସିନ୍ ଏବଂ ଗାଡ଼ି ତଳେ ଚାପି ହୋଇ ରହିଯାଇଥିଲେ।
ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ଗାଡ଼ି ତଳୁ ସମସ୍ତ ଆହତ ଶ୍ରମିକମାନଙ୍କୁ ଉଦ୍ଧାର କରାଯାଇ ପ୍ରଥମେ ବାସୁଦେବପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତେବେ ସେମାନଙ୍କ ମଧ୍ୟରୁ କେତେକଙ୍କ ଅବସ୍ଥା ଅତ୍ୟନ୍ତ ସଂକଟାପନ୍ନ ଥିବାରୁ ସେମାନଙ୍କୁ ପ୍ରାଥମିକ ଚିକିତ୍ସା ପରେ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ମିଳିଥିବା ସୂଚନା ମୁତାବକ, ଆହତ ହୋଇଥିବା ସମସ୍ତ ଶ୍ରମିକଙ୍କ ଘର ମୟୂରଭଞ୍ଜ ଜିଲ୍ଲାର ଠାକୁରମୁଣ୍ଡା ଓ କରଞ୍ଜିଆ ଅଞ୍ଚଳରେ। କାମ ସନ୍ଧାନରେ ସେମାନେ ଭଦ୍ରକ ଆସିଥିବା ବେଳେ ଏହି ଦୁର୍ଘଟଣାର ଶିକାର ହୋଇଛନ୍ତି।





