ଗ୍ରୀଷ୍ମ ପ୍ରବାହରେ କଲବର ହେଉଛନ୍ତି ରାଜ୍ୟବାସୀ। ସୂର୍ଯ୍ୟଙ୍କ ପ୍ରକୋପରେ ସାରା ଓଡ଼ିଶା ସିଝୁଥିବା ବେଳେ ଏବେ ସାଧାରଣ ଲୋକଙ୍କ ଚିନ୍ତା ବଢ଼ାଇଛି ବିଦ୍ୟୁତ ସଙ୍କଟ। ଗୋଟିଏ ପଟେ ଅସହ୍ୟ ଗରମ ଓ ଗୁଳୁଗୁଳି, ଅନ୍ୟପଟେ ରାଜ୍ୟର ବିଭିନ୍ନ ସ୍ଥାନରେ ଚାଲିଛି ଅଘୋଷିତ ବିଦ୍ୟୁତ କାଟ୍। ସ୍ଥିତି ଏଭଳି ହୋଇଛି ଯେ, ରାଜ୍ୟର ବିଜୁଳି ଆବଶ୍ୟକତା ମେଣ୍ଟାଇବା ପାଇଁ ଏବେ ସରକାରଙ୍କୁ ପାୱାର ଏକ୍ସଚେଞ୍ଜ ଜରିଆରେ ବାହାରୁ ବିଦ୍ୟୁତ କିଣିବାକୁ ପଡ଼ୁଛି।ରାଜ୍ୟରେ ଏବେ ଗ୍ରୀଷ୍ମ ଲହରୀ ଜାରି ରହିଛି। ଅଧିକାଂଶ ଜିଲ୍ଲାରେ ପାରଦ ଉପରମୁହାଁ ଥିବା ବେଳେ ଲୋକେ ଘରୁ ବାହାରିବା ମୁସ୍କିଲ ହୋଇପଡ଼ିଛି। ଠିକ୍ ଏହି ସମୟରେ ବିଜୁଳି ଗାଏବ ହେବା ସାଧାରଣ ଜୀବନଯାତ୍ରାକୁ ଅସ୍ତବ୍ୟସ୍ତ କରିଦେଇଛି। ବିଭିନ୍ନ ସ୍ଥାନରୁ ଅଘୋଷିତ ପାୱାର କଟ୍କୁ ନେଇ ଅସନ୍ତୋଷ ବଢ଼ୁଥିବା ବେଳେ ଉପଭୋକ୍ତାମାନେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ବିଜୁଳି ସଙ୍କଟ ଏତେ ତୀବ୍ର ହୋଇଛି ଯେ, ସରକାର ଏବେ ଜରୁରୀକାଳୀନ ଭିତ୍ତିରେ ପାୱାର ଏକ୍ସଚେଞ୍ଜରୁ ବିଦ୍ୟୁତ କ୍ରୟ କରୁଛନ୍ତି।ହାରି ମଧ୍ୟରେ, ଆଜି ରବିବାର ଦିନ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ଯୋଜନାବଦ୍ଧ ଭାବେ ବିଦ୍ୟୁତ ସେବା ବାଧାପ୍ରାପ୍ତ ହେବାକୁ ଯାଉଛି। ବିଦ୍ୟୁତ ବିଭାଗ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ବିଦ୍ୟୁତ ଯୋଗାଣ ନେଟୱାର୍କର ଜରୁରୀ ରକ୍ଷଣାବେକ୍ଷଣ, ଟ୍ରାନ୍ସଫର୍ମର ଅପଗ୍ରେଡ୍, କେବୁଲ ମରାମତି ଏବଂ ଅନ୍ୟାନ୍ୟ ବୈଷୟିକ କାର୍ଯ୍ୟ ପାଇଁ ଏହି ଶଟ୍ଡାଉନ୍ କରାଯାଉଛି। ଖରା ଦିନେ ଯେପରି କୌଣସି ବଡ଼ ଧରଣର ଯାନ୍ତ୍ରିକ ତ୍ରୁଟି ନଘଟେ, ସେଥିପାଇଁ ଏହି ଆଗୁଆ ମରାମତି କାର୍ଯ୍ୟ ହାତକୁ ନିଆଯାଇଛି। କିନ୍ତୁ ଏହି ଗରମରେ ଘଣ୍ଟା ଘଣ୍ଟା ଧରି ବିଜୁଳି ନରହିବା ଲୋକଙ୍କ ଧୈର୍ଯ୍ୟଚ୍ୟୁତି ଘଟାଉଛି।





