ଦିଲ୍ଲୀର ଐତିହାସିକ ଲାଲକିଲ୍ଲାକୁ ବୋମାରେ ଉଡ଼ାଇ ଦେବାକୁ ବଡ଼ ଧମକ! ଶନିବାର ଦିନ ମୁମ୍ବଇ ପୁଲିସକୁ ଏକ ସାଂଘାତିକ ଧମକପୂର୍ଣ୍ଣ ଇମେଲ୍ ମିଳିବା ପରେ ଦେଶର ରାଜଧାନୀରେ ଚହଳ ପଡ଼ିଯାଇଛି। ମୁମ୍ବଇ ପୁଲିସଠାରୁ ସୂଚନା ପାଇବା ମାତ୍ରେ ତୁରନ୍ତ ଆକ୍ସନ ମୋଡ୍କୁ ଆସିଥିଲା ଦିଲ୍ଲୀ ପୁଲିସ। ସୁରକ୍ଷା ବାହିନୀ ଓ ବୋମା ନିଷ୍କ୍ରିୟକାରୀ ଦଳ ପକ୍ଷରୁ ଲାଲକିଲ୍ଲା ଏବଂ ଏହାର ଆଖପାଖ ସମଗ୍ର ଅଞ୍ଚଳରେ ଜୋରଦାର ସର୍ଚ୍ଚ ଅପରେସନ କରାଯାଇଥିଲା। ଘଣ୍ଟା ଘଣ୍ଟାର ତଲାସି ପରେ କୌଣସି ବିସ୍ଫୋରକ ଦ୍ରବ୍ୟ ମିଳିନଥିବା ବେଳେ ଏହା ଏକ ମିଥ୍ୟା ବା ହୋକ୍ସ (Hoax) ଇମେଲ୍ ଥିଲା ବୋଲି ଦିଲ୍ଲୀ ପୁଲିସ ସ୍ପଷ୍ଟ କରିଛି। ତେବେ ଦିଲ୍ଲୀରେ ଏଭଳି ଧମକପୂର୍ଣ୍ଣ ଇମେଲ୍ ଆସିବା ଏହା ପ୍ରଥମ ଘଟଣା ନୁହେଁ। ଗତ ମାସରେ ଦିଲ୍ଲୀ ମହାନଗର ନିଗମ (MCD) ମେୟରଙ୍କ କାର୍ଯ୍ୟାଳୟକୁ ମଧ୍ୟ ଏକ ସମାନ ଧରଣର ଇମେଲ୍ ଆସିଥିଲା, ଯେଉଁଥିରେ ସମଗ୍ର ଦିଲ୍ଲୀ ଓ ଏହାର ଆଖପାଖ ଅଞ୍ଚଳକୁ ବୋମାରେ ଉଡ଼ାଇବାକୁ ଚେତାବନୀ ଦିଆଯାଇଥିଲା। ପରବର୍ତ୍ତୀ ସମୟରେ ସେହି ଇମେଲ୍ରେ ମଧ୍ୟ କୌଣସି ସତ୍ୟତା ନଥିବା ଜଣାପଡ଼ିଥିଲା।ବାରମ୍ବାର ଏଭଳି ମିଥ୍ୟା ଇମେଲ୍ ପଠାଇ ସୁରକ୍ଷା ଏଜେନ୍ସିକୁ ନାକେଦମ୍ କରୁଥିବା ଅଭିଯୁକ୍ତଙ୍କୁ ଖୋଜିବା ପାଇଁ ପୁଲିସ ତଦନ୍ତ ଜାରି ରଖିଛି।


