ଜାମ୍ମୁ-କାଶ୍ମୀର ରାଜନୀତିରେ ବଡ଼ ବିସ୍ଫୋରଣ! ବିଜେପି ବିରୋଧରେ ସାଂଘାତିକ ଅଭିଯୋଗ ଆଣିଲେ ମୁଖ୍ୟମନ୍ତ୍ରୀ ତଥା ନ୍ୟାସନାଲ କନଫରେନ୍ସର ଉପାଧ୍ୟକ୍ଷ ଓମାର ଅବଦୁଲ୍ଲା। ଏନସି ବିଧାୟକମାନଙ୍କୁ କିଣିବା ପାଇଁ ୨୦ରୁ ୩୦ କୋଟି ଟଙ୍କାର ଅଫର ଦିଆଯାଉଥିବା ନେଇ ସେ ଶନିବାର ଦିନ ଏକ ବଡ଼ ଦାବି କରିଛନ୍ତି। ଓମାର ଅବଦୁଲ୍ଲା କହିଛନ୍ତି ଯେ, କେବଳ ଟଙ୍କା ନୁହେଁ, ବରଂ ମନ୍ତ୍ରିପଦ ଏବଂ ଜାମ୍ମୁ-କାଶ୍ମୀରକୁ ପୂର୍ଣ୍ଣ ରାଜ୍ୟ ପାହ୍ୟା ପ୍ରଦାନ କରିବାର ଲୋଭନୀୟ ପ୍ରସ୍ତାବ ମଧ୍ୟ ଦଳ ବଦଳାଇବା ପାଇଁ ଦିଆଯାଇଥିଲା। ବିଜେପିର ଜଣେ ବଡ଼ ପଦାଧିକାରୀ ବନ୍ଦ କୋଠରି ଭିତରେ ଏନସି ବିଧାୟକଙ୍କ ସହ ଯୋଗାଯୋଗ କରି ଏହି ଡିଲ୍ କରିବାକୁ ଚେଷ୍ଟା କରୁଥିଲେ ବୋଲି ଜଣେ ବିଧାୟକ ତାଙ୍କୁ ସୂଚନା ଦେଇଛନ୍ତି। କେନ୍ଦ୍ର ସରକାର ଏବଂ ବିଜେପିକୁ ଚେତାବନୀ ଦେଇ ଓମାର କହିଛନ୍ତି, “ଆମର ଧୈର୍ଯ୍ୟ ଏବଂ ଶାଳୀନତାର ପରୀକ୍ଷା ନିଆନଯାଉ। ବିଜେପି ଆମକୁ ଦୁର୍ବଳ ନଭାବୁ। ସେମାନେ ପଛ ଦ୍ୱାର ଦେଇ ପ୍ରବେଶ କରି କେବେ ବି ଆଗ ସିଟ୍କୁ ଆସିପାରିବେ ନାହିଁ।”


