ଭୁ
ବନେଶ୍ୱର: ଦେଶର ସବୁଠାରୁ ବଡ଼ ସଙ୍ଗୀତ ରିଆଲିଟି ସୋ’ ‘ଇଣ୍ଡିଆନ୍ ଆଇଡଲ୍ ସିଜନ୍-୧୬’ର ବିଜେତା ହୋଇ ଇତିହାସ ରଚିଛନ୍ତି ଓଡ଼ିଶାର ଝିଅ ଜ୍ୟୋତିର୍ମୟୀ ନାୟକ। ପ୍ରଥମ ଓଡ଼ିଆ ପ୍ରତିଯୋଗୀ ଭାବେ ଏହି ଗୌରବମୟ ଟ୍ରୋଫି ହାସଲ କରି ସେ ସମଗ୍ର ଓଡ଼ିଶା ତଥା ଦେଶବାସୀଙ୍କ ମନ ଜିଣିନେଇଛନ୍ତି।
କଳିଙ୍ଗ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡଷ୍ଟ୍ରିଆଲ୍ ଟେକ୍ନୋଲୋଜି (KIIT)ର ଗବେଷିକା ତଥା ଛାତ୍ରୀ ଜ୍ୟୋତିର୍ମୟୀ ନିଜର ମଧୁର ସ୍ୱର, ସାଧନା ଓ ନିଷ୍ଠା ବଳରେ ପ୍ରାରମ୍ଭିକ ପର୍ଯ୍ୟାୟରୁ ହିଁ ବିଚାରକମାନଙ୍କ ପ୍ରଶଂସା ସାଉଁଟି ଚାଲିଥିଲେ। ଗ୍ରାଣ୍ଡ ଫିନାଲେରେ କଡ଼ା ପ୍ରତିଯୋଗିତା ସତ୍ତ୍ୱେ ଜନସାଧାରଣଙ୍କ ଅପାର ଭଲପାଇବା ଓ ଭୋଟ୍ ବଳରେ ସେ ସଫଳତାର ଶୀର୍ଷରେ ପହଞ୍ଚିପାରିଛନ୍ତି।
ବିଜୟୀ ଘୋଷଣା ହେବା ପରେ ଜ୍ୟୋତିର୍ମୟୀଙ୍କୁ ସୋ’ ପକ୍ଷରୁ ଚାମ୍ପିଅନ୍ ଟ୍ରୋଫି ସହ ଆକର୍ଷଣୀୟ ପୁରସ୍କାର ରାଶି ପ୍ରଦାନ କରାଯାଇଛି। ନିଜର ଏହି ମାଇଲଖୁଣ୍ଟ ସଫଳତା ପାଇଁ ସେ ନିଜ ପରିବାର, ଗୁରୁ, କିଟ୍ ଅନୁଷ୍ଠାନ ଏବଂ ସାରା ଓଡ଼ିଶାବାସୀଙ୍କ ନିରନ୍ତର ସହଯୋଗ ଓ ସ୍ନେହ ପାଇଁ କୃତଜ୍ଞତା ଜ୍ଞାପନ କରିଛନ୍ତି।
ଜ୍ୟୋତିର୍ମୟୀଙ୍କ ଏହି ଐତିହାସିକ ସଫଳତା ପାଇଁ ବିଶିଷ୍ଟ ବ୍ୟକ୍ତିବିଶେଷ, ସଙ୍ଗୀତପ୍ରେମୀ ଓ କିଟ୍ ପରିବାର ପକ୍ଷରୁ ଛୁଟୁଛି ଶୁଭେଚ୍ଛାର ସ୍ରୋତ। ଏହି ବିଜୟ ଓଡ଼ିଶାର କଳା ଓ ସଂସ୍କୃତି କ୍ଷେତ୍ରରେ ଆଉ ଏକ ସୁବର୍ଣ୍ଣ ଫର୍ଦ୍ଦ ଯୋଡ଼ିବା ସହ ଯୁବ ପ୍ରତିଭାମାନଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟିଛି।


