ନୂଆଦିଲ୍ଲୀ: ବ୍ୟାଙ୍କ ଗ୍ରାହକଙ୍କ ପାଇଁ ବଡ଼ ଆଶ୍ୱସ୍ତି। ସେପ୍ଟେମ୍ବର ୨୮ରୁ ୩୦ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ଦେଶବ୍ୟାପୀ ବ୍ୟାଙ୍କ ଧର୍ମଘଟକୁ ସ୍ଥଗିତ ରଖାଯାଇଛି। ଇଣ୍ଡିଆନ୍ ବ୍ୟାଙ୍କସ୍ ଆସୋସିଏସନ୍ (IBA) ଓ ୟୁନାଇଟେଡ୍ ଫୋରମ୍ ଅଫ୍ ବ୍ୟାଙ୍କ ୟୁନିୟନ୍ସ (UFBU) ମଧ୍ୟରେ ହୋଇଥିବା ଆଲୋଚନା ପରେ ଏହି ନିଷ୍ପତ୍ତି ହୋଇଛି।
ଏହି ଧର୍ମଘଟ ଡାକରା ଦେଇଥିଲା UFBU। ବ୍ୟାଙ୍କ କର୍ମଚାରୀ ଓ ଅଧିକାରୀଙ୍କ ୭ଟି ସଂଗଠନକୁ ନେଇ ଗଠିତ ଏହି ମଞ୍ଚ ପକ୍ଷରୁ ମୁଖ୍ୟତଃ ‘ଫାଇଭ୍-ଡେ ବ୍ୟାଙ୍କିଂ’ ଲାଗୁ କରିବା ଦାବି କରାଯାଇଥିଲା। ଅର୍ଥାତ୍ ଶନିବାର ଓ ରବିବାର ସାପ୍ତାହିକ ଛୁଟି ସହ ସପ୍ତାହକୁ ୫ ଦିନ ବ୍ୟାଙ୍କ କାର୍ଯ୍ୟ ଚାଲୁ ରଖିବାକୁ ଦାବି ରହିଥିଲା।
ଧର୍ମଘଟ ହୋଇଥିଲେ ପ୍ରାୟ ୮ ଲକ୍ଷ ବ୍ୟାଙ୍କ କର୍ମଚାରୀ ଓ ଅଧିକାରୀ ଏଥିରେ ସାମିଲ ହୋଇଥାନ୍ତେ। ଫଳରେ ଦେଶର ୧ ଲକ୍ଷ ୮୧ ହଜାରରୁ ଅଧିକ ବ୍ୟାଙ୍କ ଶାଖାରେ ସେବା ପ୍ରଭାବିତ ହେବାର ଆଶଙ୍କା ରହିଥିଲା।
ଅନ୍ୟପଟେ, ଅର୍ଥ ମନ୍ତ୍ରଣାଳୟ ମଧ୍ୟ ଧର୍ମଘଟ ନକରି ଆଲୋଚନା ମାଧ୍ୟମରେ ଦାବିଗୁଡ଼ିକର ସମାଧାନ କରିବାକୁ ଅନୁରୋଧ କରିଥିଲା। ଏବେ IBA ଓ UFBU ମଧ୍ୟରେ ଆଲୋଚନା ଜାରି ରହିବ। ଧର୍ମଘଟ ସ୍ଥଗିତ ହୋଇଥିବାରୁ ଆସନ୍ତା ୩ ଦିନ ବ୍ୟାଙ୍କ ସେବା ସ୍ୱାଭାବିକ ଭାବେ ଚାଲିବ।