ବନ୍ୟା ପ୍ରଭାବିତ ଅଞ୍ଚଳ ସମୀକ୍ଷା ବେଳେ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ଚାଷୀଙ୍କ ଋଣ ଛାଡ଼, ପେପର ମିଲ୍‌ ପୁନରୁଦ୍ଧାର ଦାବି ରଖିଲେ ବାହିନୀପତି

👇समाचार सुनने के लिए यहां क्लिक करें

ଜୟପୁର: ଜିଲ୍ଲାର ବର୍ଷା ଓ ବନ୍ୟା ପ୍ରଭାବିତ ଅଞ୍ଚଳର ସ୍ଥିତି ସମୀକ୍ଷା କରିବା ପାଇଁ ଆଜି ରବିବାର ଜୟପୁର ଗସ୍ତରେ ଆସିଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏହି ଅବସରରେ ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି ନିର୍ବାଚନମଣ୍ଡଳୀର ବିଭିନ୍ନ ସମସ୍ୟା ନେଇ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି।

ବିଧାୟକଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଦୁଇଟି ପୃଥକ ଦାବିପତ୍ର ପ୍ରଦାନ କରାଯାଇଥିବା ସୂଚନା ମିଳିଛି। ଲଗାଣ ବର୍ଷା ଓ ବନ୍ୟା ଯୋଗୁଁ ଜିଲ୍ଲାରେ ବ୍ୟାପକ ଫସଲ ନଷ୍ଟ ହୋଇଥିବାରୁ କ୍ଷତିଗ୍ରସ୍ତ ଚାଷୀଙ୍କ କୃଷି ଋଣ ଛାଡ଼, ତୁରନ୍ତ କ୍ଷତିପୂରଣ ଏବଂ ପୁନଃଚାଷ ପାଇଁ ଆବଶ୍ୟକ ସହାୟତା ଯୋଗାଇଦେବାକୁ ଦାବି ହୋଇଛି।

ଅନ୍ୟପଟେ, ଜୟପୁରର ଶିଳ୍ପ ଓ ଅର୍ଥନୀତି ସହ ଜଡ଼ିତ ସେବା ପେପର ମିଲ୍‌ର ପୁନରୁଦ୍ଧାର ପ୍ରସଙ୍ଗ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଉଠାଇଛନ୍ତି ବିଧାୟକ। ମିଲ୍‌ର ଶ୍ରମିକମାନଙ୍କୁ ଅଗଷ୍ଟ ୨୦୨୪ରୁ ଦରମା ମିଳିନଥିବା, କର୍ମଚାରୀଙ୍କ ଭବିଷ୍ୟନିଧି ପାଣ୍ଠି ଅର୍ଥ ଜମା ହୋଇନଥିବା ଏବଂ ଅବସରପ୍ରାପ୍ତ କର୍ମଚାରୀଙ୍କ ଗ୍ରାଚ୍ୟୁଇଟି ଓ ଛୁଟି ନଗଦୀକରଣ ଅର୍ଥ ଅଟକି ରହିଥିବା ନେଇ ସେ ଦୃଷ୍ଟି ଆକର୍ଷଣ କରିଥିଲେ।

ଏଥିସହ କୋଲାବ ଓ ତେଲେଙ୍ଗିରି ନୂଆ ପ୍ରକଳ୍ପର କାର୍ଯ୍ୟ ଶୀଘ୍ର ଶେଷ କରିବାକୁ ମଧ୍ୟ ଦାବିପତ୍ରରେ ଉଲ୍ଲେଖ କରାଯାଇଛି। ଚାଷୀ, ଶ୍ରମିକ ଓ ଅବସରପ୍ରାପ୍ତ କର୍ମଚାରୀଙ୍କ ସମସ୍ୟାର ସମାଧାନ ସହ ପେପର ମିଲ୍‌ ପୁନରୁଦ୍ଧାର ଦିଗରେ ତୁରନ୍ତ ପଦକ୍ଷେପ ନେବାକୁ ବିଧାୟକ ଦାବି କରିଛନ୍ତି।

Sidha Sambad
Author: Sidha Sambad

Leave a Comment

और पढ़ें