ସିଧା ସମ୍ବାଦ (ବ୍ୟୁରୋ): ରାଜ୍ୟରେ ଆପାର୍ଟମେଣ୍ଟ ୟୁନିଟ୍ଗୁଡ଼ିକର ପଞ୍ଜୀକରଣ (Registration) ଏବଂ ହସ୍ତାନ୍ତର ପ୍ରକ୍ରିୟାକୁ ଅଧିକ ସରଳ, ସ୍ୱଚ୍ଛ ଓ ସୁଗମ କରିବା ପାଇଁ ରାଜ୍ୟ ସରକାର ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ଏହି ଉଦ୍ଦେଶ୍ୟରେ ବିଧାନସଭାରେ ‘ଭାରତୀୟ ଷ୍ଟାମ୍ପ (ଓଡ଼ିଶା ସଂଶୋଧନ) ବିଲ୍, ୨୦୨୬’ ବିଚାର ପାଇଁ ଆଗତ କରାଯାଇଛି। ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ ବିଧାନସଭାରେ ଏହି ଗୁରୁତ୍ୱପୂର୍ଣ୍ଣ ବିଲ୍କୁ ଉପସ୍ଥାପନ କରିଛନ୍ତି।
-
ଆର୍ଥିକ ଭାର ହ୍ରାସ: ଆପାର୍ଟମେଣ୍ଟ କିଣୁଥିବା ମାଲିକମାନଙ୍କ ଉପରୁ ଅନାବଶ୍ୟକ ଅତିରିକ୍ତ ଆର୍ଥିକ ବୋଝ କମାଇବା।
-
ସରଳ ହସ୍ତାନ୍ତର ପ୍ରକ୍ରିୟା: ଆପାର୍ଟମେଣ୍ଟର ସାଧାରଣ କ୍ଷେତ୍ର (Common Areas) ଓ ମିଳିତ ସୁବିଧାଗୁଡ଼ିକର ହସ୍ତାନ୍ତର ପ୍ରକ୍ରିୟାକୁ ଅଧିକ ସହଜ କରିବା।
-
ରାଜସ୍ୱ ସୁରକ୍ଷା: ରାଜ୍ୟ ସରକାରଙ୍କ ଆର୍ଥିକ ଓ ରାଜସ୍ୱ ସ୍ୱାର୍ଥକୁ ସମ୍ପୂର୍ଣ୍ଣ ସୁରକ୍ଷିତ ରଖିବା।
‘ଓଡ଼ିଶା ଆପାର୍ଟମେଣ୍ଟ (ମାଲିକାନା ଏବଂ ପରିଚାଳନା) ଅଧିନିୟମ, ୨୦୨୩’ ଅନୁଯାୟୀ, ପ୍ରମୋଟରମାନେ ବ୍ୟକ୍ତିଗତ ଆପାର୍ଟମେଣ୍ଟ ୟୁନିଟ୍ ବିକ୍ରି କରିବା ପୂର୍ବରୁ ପ୍ରକଳ୍ପର ସାଧାରଣ କ୍ଷେତ୍ର (ଯେପରିକି ଜମି, ଗ୍ୟାରେଜ୍, ସିଡ଼ି, ଲିଫ୍ଟ, ଓ ଅନ୍ୟାନ୍ୟ ସୁବିଧା)କୁ ଆପାର୍ଟମେଣ୍ଟ ଆସୋସିଏସନ୍ (Association of Allottees) ନାମରେ ପଞ୍ଜୀକୃତ ଦଲିଲ ମାଧ୍ୟମରେ ହସ୍ତାନ୍ତର କରିବା ବାଧ୍ୟତାମୂଳକ ରହିଥିଲା।
ତେବେ ଏହି ସାଧାରଣ କ୍ଷେତ୍ରଗୁଡ଼ିକୁ ଆସୋସିଏସନ୍ ସପକ୍ଷରେ ହସ୍ତାନ୍ତର କରିବା ସମୟରେ ବିପୁଳ ପରିମାଣର ଷ୍ଟାମ୍ପ ଡ୍ୟୁଟି (Stamp Duty) ଲାଗୁଥିଲା। ଫଳରେ ଆପାର୍ଟମେଣ୍ଟ କ୍ରେତା/ମାଲିକମାନଙ୍କ ଉପରେ ଅତିରିକ୍ତ ବୋଝ ପଡ଼ୁଥିଲା, ଯାହାକୁ ନେଇ ଦୀର୍ଘଦିନରୁ ଦାବି ହୋଇଆସୁଥିଲା।
ଜନସାଧାରଣଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଭାରତୀୟ ଷ୍ଟାମ୍ପ ଅଧିନିୟମ, ୧୮୯୯ (Indian Stamp Act, 1899)ର ଅନୁସୂଚୀ I-Aର ଅନୁଚ୍ଛେଦ ୨୩(ଗ)ରେ ସଂଶୋଧନ ପାଇଁ ପ୍ରସ୍ତାବ ଦିଆଯାଇଛି। ଏହି ବିଲ୍ ପାରିତ ହେବା ପରେ ଆପାର୍ଟମେଣ୍ଟ ଆସୋସିଏସନ୍କୁ ସାଧାରଣ ସମ୍ପତ୍ତି ହସ୍ତାନ୍ତର ସମୟରେ ଷ୍ଟାମ୍ପ ଡ୍ୟୁଟି କୋହଳ ହେବ, ଯାହା ଦ୍ୱାରା ହଜାର ହଜାର ଆପାର୍ଟମେଣ୍ଟ ମାଲିକ ପ୍ରତ୍ୟକ୍ଷ ଭାବେ ଲାଭବାନ ହେବେ।