ନୂଆଦିଲ୍ଲୀ (ସିଧା ସମ୍ବାଦ): ଭାରତର ପ୍ରଧାନ ବିଚାରପତି (CJI) ସୂର୍ଯ୍ୟକାନ୍ତଙ୍କ ବିରୋଧରେ ଆପତ୍ତିଜନକ ଓ ଅପମାନଜନକ ଟିପ୍ପଣୀ ଦେବା ଅଭିଯୋଗରେ ବରିଷ୍ଠ ସାମ୍ବାଦିକ ନିଖିଲ ୱାଗଲେ ଏବଂ ଶିବସେନା (ଉଦ୍ଧବ ବାଲାସାହେବ ଠାକରେ) ସାଂସଦ ସଞ୍ଜୟ ରାଉତଙ୍କ ଅସୁବିଧା ବୃଦ୍ଧି ପାଇଛି। ସୁପ୍ରିମକୋର୍ଟ ବାର୍ ଆସୋସିଏସନ୍ (SCBA) ପକ୍ଷରୁ ଉଭୟଙ୍କ ବିରୋଧରେ କ୍ରିମିନାଲ୍ କଣ୍ଟେମ୍ପଟ୍ (ଫୌଜଦାରୀ ଅଦାଲତ ଅବମାନନା) ଆବେଦନ କରାଯାଇଛି।
ଆଟର୍ଣ୍ଣି ଜେନେରାଲ୍ ଆର୍. ଭେଙ୍କଟରମଣି ଏହି ମାମଲା ଚଲାଇବା ପାଇଁ ଆନୁଷ୍ଠାନିକ ମଞ୍ଜୁରୀ ପ୍ରଦାନ କରିଛନ୍ତି।
ଘଟଣାର ପୃଷ୍ଠଭୂମି: ସୂଚନାଯୋଗ୍ୟ ଯେ, ନିକଟରେ ବିରୋଧୀ ଦଳଗୁଡ଼ିକର ଏକ ପ୍ରତିନିଧିମଣ୍ଡଳୀ ପ୍ରଧାନ ବିଚାରପତିଙ୍କୁ ସାକ୍ଷାତ କରିବାକୁ ସମୟ ମାଗିଥିଲେ। ମାତ୍ର ପ୍ରଧାନ ବିଚାରପତି ସାକ୍ଷାତ ନକରି ଆନୁଷ୍ଠାନିକ ଭାବେ ଅଦାଲତରେ ପିଟିସନ୍ ଦାଖଲ କରିବାକୁ ପରାମର୍ଶ ଦେଇଥିଲେ। ଏହାକୁ ନେଇ ସୋସିଆଲ୍ ମିଡିଆ ଏକ୍ସ (X)ରେ ସାମ୍ବାଦିକ ନିଖିଲ ୱାଗଲେ ପ୍ରଧାନ ବିଚାରପତିଙ୍କ ପ୍ରତି ଗାଳିଗୁଲଜପୂର୍ଣ୍ଣ ଓ ଅସଂସଦୀୟ ଶବ୍ଦ ବ୍ୟବହାର କରିଥିଲେ।
ଅନ୍ୟପଟେ ସାଂସଦ ସଞ୍ଜୟ ରାଉତ ଗଣମାଧ୍ୟମ ଆଗରେ ବିଚାରପତିମାନଙ୍କ ନିରପେକ୍ଷତା ଉପରେ ପ୍ରଶ୍ନ ଉଠାଇ ମିଥ୍ୟା ଓ ଆପତ୍ତିଜନକ ବକ୍ତବ୍ୟ ଦେଇଥିବା ଅଭିଯୋଗ ହୋଇଛି।
ନିଖିଲ ୱାଗଲେଙ୍କ କ୍ଷମାପ୍ରାର୍ଥନା: ନୋଟିସ୍ ପାଇବା ପରେ ନିଖିଲ ୱାଗଲେ ନିଜର ଆପତ୍ତିଜନକ ପୋଷ୍ଟକୁ ଡିଲିଟ୍ କରିବା ସହ ଆଟର୍ଣ୍ଣି ଜେନେରାଲ୍ ଏବଂ ସର୍ବୋଚ୍ଚ ଅଦାଲତଙ୍କୁ ବିନା ସର୍ତ୍ତରେ କ୍ଷମାପ୍ରାର୍ଥନା କରିଛନ୍ତି। ଏହା ଏକ ଭାବପ୍ରବଣତାର ଆବେଗ ଥିଲା ବୋଲି ସେ ଦର୍ଶାଇଛନ୍ତି। ତଥାପି ଏହି ମାମଲାରେ ସୁପ୍ରିମକୋର୍ଟ କି ପଦକ୍ଷେପ ନେଉଛନ୍ତି, ତାହା ଉପରେ ସମସ୍ତଙ୍କ ନଜର ରହିଛି।