ନୀଳଗିରି -୨୬/୪(ସିଧାସମ୍ବାଦ);
ଜଣେ ନାବାଳିକା ଯୁବତୀକୁ କମେଣ୍ଟ ମାରିବା ଏବଂ ପ୍ରତିବାଦ କରିବାରୁ ଆକ୍ରମଣ କରି ଅପହରଣ କରିବା ଉଦ୍ୟମ ଦୁଇ ଯୁବକଙ୍କୁ ମହଙ୍ଗା ପଡ଼ିଛି | ପ୍ରାପ୍ତ ସୂଚନା ଅନୁଯାୟୀ ନୀଳଗିରି ଥାନା ଅନ୍ତର୍ଗତ ଦ୍ବାରିକା ଗ୍ରାମର ଗଣେଶ ଚନ୍ଦ୍ର ବେହେରାଙ୍କ ୧୭ ବର୍ଷୀୟା ଝିଅ ମୋନାଲିସା ବେହେରା ନିଜ ସମ୍ପର୍କୀୟଙ୍କ ସହିତ ପଞ୍ଚଲିଙ୍ଗେଶ୍ଵର ବୁଲିବାକୁ ଯାଇଥିଲେ। ପଞ୍ଚଲିଙ୍ଗେଶ୍ୱର ଛକ ନିକଟରେ ଫେରିବା ରାସ୍ତାରେ ଦୁଇଜଣ ଅଜଣା ଯୁବକ ଏକ ପଲସର ଗାଡ଼ିରେ ଆସି ଯୁବତୀଜଣଙ୍କ ସାଇକେଲକୁ ଅଟକାଇ କମେଣ୍ଟ୍ ମାରିଥିଲେ। ଯୁବତୀ ଜଣକ ପ୍ରତିବାଦ କରିବାରୁ ତାଙ୍କ ଚୁଟି ଟାଣି ଧକ୍କାମାରିବା ସହ ଜୋରଜବରଦସ୍ତ ଗାଡ଼ିରେ ଉଠାଇ ନେବାକୁ ଚେଷ୍ଟା କରିଥିଲେ। ଯୁବତୀଜଣକ ପାଟି କରିବାରୁ ସମ୍ପର୍କୀୟ କକା କମଳାକାନ୍ତ ପରିଡା ଘଟଣାସ୍ଥଳରେ ପହଞ୍ଚି ଯୁବତୀଙ୍କୁ ତାଙ୍କ ନିକଟରୁ ବଞ୍ଚାଇବାକୁ ଚେଷ୍ଟା କରିଥିଲେ | ଏଥିରେ କମଳାକାନ୍ତ ଯୁବକଙ୍କ ଆକ୍ରମଣର ଶିକାର ହୋଇଥିଲେ । ଆକ୍ରମଣରେ କମଳାଙ୍କ ମୁଣ୍ଡ ଏବଂ ମୁହଁରେ ଆଘାତ ଲାଗି ରକ୍ତସ୍ରାବ ହୋଇଥିଲା। ପରେ ସ୍ଥାନୀୟ ବାସିନ୍ଦା ସମ୍ପର୍କୀୟ କାକା, ଝିଆରୀକୁ ଯୁବକ ମାନଙ୍କ କବଳରୁ ଉଦ୍ଧାର କରିବା ସହିତ କାବୁକରି ପୋଲିସକୁ ଖବର ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁଇ ଯୁବକଙ୍କୁ ଥାନାକୁ ଆଣି ପଚରାଉଚରା କରୁଛି । ମୋନାଲିସା ଏବଂ କମଳାକାନ୍ତ ନୀଳଗିରି ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ, ମୋନାଲିସା ନୀଳଗିରି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଯୁବକ ଦୁଇଜଣ ବାଲେଶ୍ୱର ଫୁଲାଡ଼ି ଅଞ୍ଚଳର ବୋଲି ଜଣାପଡ଼ିଛି।




