“ଶୀତଳ ଭଣ୍ଡାର ପାଇଁ ଆର୍ଥିକ ସହାୟତା” ଯୋଜନା ନିମନ୍ତେ ପାଣ୍ଠି ବ୍ୟବସ୍ଥା ଆଗ୍ରହୀ ବ୍ୟକ୍ତି, ସମୁହ ପଞ୍ଜୀକୃତ ଚାଷୀ,କୃଷକ ଉତ୍ପାଦକ ଗୋଷ୍ଠୀ GO-SUGAM ପୋର୍ଟାଲରେ ଆବେଦନ କରିପାରିବେ

👇समाचार सुनने के लिए यहां क्लिक करें

ଭୁବନେଶ୍ୱର ୨୯/୪(ସିଧାସମ୍ବାଦ); ଆମ ରାଜ୍ୟର ଚାଷୀମାନେ ଉତ୍ପାଦନ କରୁଥିବା ଆଳୁ, ବିଭିନ୍ନ ପନିପରିବା ଓ ଫଳ ଆଦିକୁ ସଂରକ୍ଷିତ କରି ରଖିବା ବଡ ଆହ୍ଵାନ ପାଲଟିଥିଲା I ଉପଯୁକ୍ତ ଭିତ୍ତିଭୂମି ଅଭାବ ଯୋଗୁଁ ଚାଷୀମାନେ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଥିଲେ I ଅଧିକାଂଶ ସମୟରେ ସେମାନଙ୍କୁ କ୍ଷତି ସହିବାକୁ ପଡୁଥିଲା I ତେଣୁ ଚାଷୀମାନଙ୍କ ସୁବିଧା ପାଇଁ ରାଜ୍ୟ ସରକାର ଏକ ନୂତନ ରାଜ୍ୟ ଯୋଜନା “ଶୀତଳ ଭଣ୍ଡାର ପାଇଁ ଆର୍ଥିକ ସହାୟତା” ଯୋଜନା ନିମନ୍ତେ ପାଣ୍ଠି ବ୍ୟବସ୍ଥାର ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି I “ଶୀତଳ ଭଣ୍ଡାର ପାଇଁ ଆର୍ଥିକ ସହାୟତା” ଯୋଜନାରେ ରାଜ୍ୟର ୫୮ ଟି ଉପଖଣ୍ଡ ରେ ଅତି କମରେ ଗୋଟିଏ ଲେଖାଏଁ ଶୀତଳ ଭଣ୍ଡାର ନିର୍ମାଣ ପାଇଁ ପଦକ୍ଷେପ ନିଆଯାଉଛି I ଏହା ଦ୍ଵାରା ଚାଷୀମାନେ ନିଜ ଫସଲକୁ ସଂରକ୍ଷିତ କରି ରଖିବା ସହିତ ପରବର୍ତ୍ତୀ ସମୟରେ ବଜାରରେ ଏହାକୁ ବିକ୍ରି କରି ଉଚିତ ମୂଲ୍ୟ ପାଇପାରିବେ I ଶୀତଳ ଭଣ୍ଡାରରେ ବିଭିନ୍ନ ପନିପରିବା ଓ ଫଳ ସରଂକ୍ଷିତ ହୋଇ ରହିବା ଫଳରେ ବଜାର ମୂଲ୍ୟରେ ନିୟନ୍ତ୍ରଣ ଆସିପାରିବ I ଚାଷୀ ଭାଇ ଭଉଣୀମାନେ ବଜାରରେ ଯେଉଁ ଅଭାବି ବିକ୍ରିର ସମ୍ମୁଖୀନ ହେଉଥିଲେ, ସେଥିରେ ବିଶେଷ ଉନ୍ନତି ଆସିପାରିବ I ଶୀତଳ ଭଣ୍ଡାର ନିର୍ମାଣ ପାଇଁ ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ ଗୁରୁତ୍ୱ ଦେଇଆସିଛନ୍ତି । ବିଭିନ୍ନ ସମୟରେ ଏନେଇ କମ୍ପାନୀ ମାନଙ୍କ ସହ ବୈଠକ ମଧ୍ୟ ଅନୁଷ୍ଠିତ ହୋଇଛି ।
ଏହି ଯୋଜନା ଉନ୍ନତ ବଜାର ଦର ସୁଯୋଗ, କୃଷି ଓ ଉଦ୍ୟାନ କୃଷି ଏବଂ ଆନୁଷଙ୍ଗିକ କ୍ଷେତ୍ର ଦ୍ରବ୍ୟର ମୂଲ୍ୟ-ଯୋଗ ଏବଂ ପ୍ରକ୍ରିୟାକରଣ, ଅମଳ ପରବର୍ତ୍ତୀ ଫସଲ କ୍ଷୟକ୍ଷତି ଓ ଅମଳ ହୋଇଥିବା ଫସଲର ଅଭାବୀ ବିକ୍ରି ହ୍ରାସ ଏବଂ ଶୀତଳ ଭଣ୍ଡାର ମାଧ୍ୟମରେ ମଧ୍ୟମ ଅବଧି ସଂରକ୍ଷଣ ସୁବିଧା ଯୋଗାଇ କୃଷକମାନଙ୍କ ପାଇଁ ଆୟ ବୃଦ୍ଧି କରିବାରେ ସାହାଯ୍ୟ କରିବ I
ଏହି ଯୋଜନାଟିର ସୁପରିଚାଳନା ନିମନ୍ତେ ୫ବର୍ଷ ଅବଧି (୨୦୨୫-୨୬ ରୁ ୨୦୨୯-୩୦) ପାଇଁ ୨୫୨.୦୦କୋଟି ଟଙ୍କାର ବଜେଟ୍ ଅନୁମୋଦନ କରାଯାଇଛି।
ଏହି ଯୋଜନାରେ ଅନୁସୂଚିତ ଜନଜାତି/ ଅନୁସୂଚିତ ଜାତି/ ମହିଳା/ ତୃତୀୟ ଲିଙ୍ଗ ହିତାଧିକାରୀ ଏବଂ ଅନୁସୂଚିତ ଅଞ୍ଚଳର ହିତାଧିକାରୀଙ୍କୁ ସ୍ଥାୟୀ ପୁଞ୍ଜି ବ୍ୟୟର ୬୦% ବା ସର୍ବାଧିକ ୬.୫୦କୋଟି ଟଙ୍କା ପର୍ଯ୍ୟନ୍ତ ସବସିଡି ପ୍ରଦାନ କରାଯିବ ଏବଂ ଅନ୍ୟାନ୍ୟ ହିତାଧିକାରୀ ଙ୍କୁ ସ୍ଥାୟୀ ପୁଞ୍ଜି ବ୍ୟୟର ୫୦% ବା ସର୍ବାଧିକ ୬.୦୦ କୋଟି ଟଙ୍କା ସବସିଡି ପ୍ରଦାନ କରାଯିବ। ସ୍ଥାୟୀ ପୁଞ୍ଜି ଉପରେ ୬% ସୁଧରେ ଆର୍ଥିକ ସହାୟତା ପ୍ରଦାନ କରାଯିବ I କାର୍ଯ୍ୟକାରୀ ପୁଞ୍ଜିର ଋଣ ଉପରେ ଲାଗୁ ହେଉଥିବା ସୁଧ ଉପରେ ମଧ୍ୟ ଫେରସ୍ତର ପ୍ରIବଧାନ କରାଯାଇଛି I ନୂତନ ଶୀତଳ ଭଣ୍ଡାର, ପୁରାତନ ଶୀତଳ ଭଣ୍ଡାର ଏବଂ ଭବିଷ୍ୟତରେ ପୁନଃରୁଦ୍ଧIର ହେବାକୁ ଥିବା ଶୀତଳ ଭଣ୍ଡାରର ବିଦ୍ୟୁତ ଶୁଳ୍କ ଉପରେ ୭ ବର୍ଷ ପର୍ଯ୍ୟନ୍ତ ୫୦% ରିହାତିର ସୁବିଧା ରହିଛି I ଅଣକାର୍ଯ୍ୟକ୍ଷମ ଶୀତଳ ଭଣ୍ଡାରର ପୁନଃରୁଦ୍ଧIର ପାଇଁ ସର୍ବାଧିକ ୧.୫ କୋଟି ଟଙ୍କା ପର୍ଯ୍ୟନ୍ତ ସ୍ଵତନ୍ତ୍ର ଆର୍ଥିକ ପ୍ରIବଧାନ ରହିଛି I
ଆଗ୍ରହୀ ବ୍ୟକ୍ତି, ସମୁହ ପଞ୍ଜୀକୃତ ଚାଷୀ (କୃଷକ ଉତ୍ପାଦକ ଗୋଷ୍ଠୀ, ଆଗ୍ରହୀ କୃଷକ ଗୋଷ୍ଠୀ, ଉତ୍ପାଦକ ଗୋଷ୍ଠୀ, ସ୍ଵୟଂ ସହାୟିକା ଗୋଷ୍ଠୀ ଏବଂ ସମବାୟ ସମିତି), ପଞ୍ଜିକୃତ ଗୋଷ୍ଠୀ ଆଧାରିତ ସଂସ୍ଥା, ଶିଳ୍ପ ସଂଘ ଏବଂ ଘରୋଇ ଉଦ୍ୟୋଗୀମାନେ ଆବଶ୍ୟକ ପ୍ରମାଣପତ୍ର ସହିତ ରାଜ୍ୟ ସରକାରଙ୍କ GO-SUGAM ପୋର୍ଟାଲରେ (sugam.odisha.gov.in) ଆବେଦନ କରିପାରିବେ I ଅଧିକ ସୂଚନା ପାଇଁ ଆଗ୍ରହୀ ବ୍ୟକ୍ତି ଓ ଘରୋଇ ଉଦ୍ୟୋଗୀ ନିକଟସ୍ଥ ଉଦ୍ୟାନକୃଷି କାର୍ଯ୍ୟାଳୟ ସହିତ ଯୋଗାଯୋଗ କରିପାରିବେ I ରାଜ୍ୟରେ ବିଭିନ୍ନ ଜିଲ୍ଲାରୁ ଅଦ୍ୟାବଧି ୨୧ ଜଣ ଉଦ୍ୟୋଗୀ ଏହି ଯୋଜନାରେ GO-SUGAM ପୋର୍ଟାଲରେ ଆବେଦନ କରିଛନ୍ତି I

Sidha Sambad
Author: Sidha Sambad

Leave a Comment

और पढ़ें