୧୯ନଂ ରାଜ୍ୟରାଜପଥ ରାସ୍ତାକାର୍ଯ୍ୟ ସମ୍ପନ୍ନନେଇ ପ୍ରମୁଖ ସଚିବଙ୍କୁ ପତ୍ର ଲେଖିଲେ ପୂର୍ବତନ ବିଧାୟକ ସୁକାନ୍ତ ନାୟକ।
ନୀଳଗିରି -୩୧/୫(ସିଧାସମ୍ବାଦ);
ଶେରଗଡ଼ ଝରଣାଘାଟି ୧୯ନଂ ରାଜ୍ୟ ରାଜପଥର ପ୍ରଶସ୍ତିକରଣ ଏବଂ ନବୀକରଣ କାର୍ଯ୍ଯଜାରି ରହିଥିବା ବେଳେ ୨ବର୍ଷରୁ ଉର୍ଦ୍ଧ୍ବ ସମୟ ବିତିଯାଇଥିଲେ ମଧ୍ୟ ନିର୍ମାଣକାର୍ଯ୍ୟ କଚ୍ଛପଗତିରେ ଚାଲିଛି। ରାସ୍ତାମଧ୍ୟରେ ଥିବା କିଛି ପୋଲକୁ ମୁଖ୍ୟରାସ୍ତା ସହିତ ସଂଯୋଗ ହୋଇପାରିନାହିଁ। ଏଥିସହ ଟାଙ୍ଗଣା ନିକଟରେ ଭଗ୍ନଅବସ୍ଥାରେ ଥିବା ପୁରାତନ ପୋଲଦେଇ ଯାତାୟାତ କରୁଥିବା ଯାତ୍ରୀଙ୍କ ଜୀବନହାନୀକୁ ଏଡ଼ାଇବା ପାଇଁ ନୂତନପୋଲ ନିର୍ମାଣ ଏବଂ ମୁଖ୍ୟରାସ୍ତା ସହ ସଂଯୋଗ କରିବାକୁ ନୀଳଗିରିର ପୂର୍ବତନ ବିଧାୟକ ସୁକାନ୍ତ କୁମାର ନାୟକ ଗତ ୩୦ତାରିଖରେ ନିର୍ମାଣବିଭାଗ ପ୍ରମୁଖ ସଚିବଙ୍କୁ ଚିଠିଲେଖିଥିବା ସୂଚନା ମିଳିଛି। ତେଣୁ ତୁରନ୍ତ ଉକ୍ତରାସ୍ତାର ନିର୍ମାଣକାର୍ଯ୍ୟ ସାରିବାକୁ ସୁକାନ୍ତ ନାୟକ ପ୍ରମୁଖ ସଚିବଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି।ସୂଚନା ଅନୁଯାୟୀ ତତ୍କାଳୀନ କେନ୍ଦ୍ରମନ୍ତ୍ରୀ ତଥା ବର୍ତ୍ତମାନର ବାଲେଶ୍ୱର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀଙ୍କ ଉଦ୍ୟମରେ କେନ୍ଦ୍ର ସଡ଼କ ଓ ପରିବହନମନ୍ତ୍ରୀ ନୀତିନ ଗଡକରୀଙ୍କ ଦ୍ଵାରା ୧୨୫କୋଟି ଟଙ୍କାର ସ୍ଵତନ୍ତ୍ର ଅନୁଦାନ ମଞ୍ଜୁରୀପ୍ରାପ୍ତ ହୋଇଥିଲା।




