ମୁମ୍ବଇରେ ସ୍ବାସ୍ଥ୍ୟ ପରୀକ୍ଷା କରାଇବେ ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ।

👇समाचार सुनने के लिए यहां क्लिक करें

ସର୍ଭିକାଲ ଆର୍ଥ୍ରାଇଟିସ୍‌ରେ ପୀଡ଼ିତ ଅଛନ୍ତି। ଏ ସମ୍ପର୍କରେ ଶ୍ରୀ ପଟ୍ଟନାୟକ ସାମାଜିକ ଗଣମାଧ୍ୟମରେ ସୂଚନା ଦେଇଛନ୍ତି। ଶ୍ରୀ ପଟ୍ଟନାୟକ ଉଲ୍ଲେଖ କରିଛନ୍ତି ଯେ, ସ୍ବାସ୍ଥ୍ୟଜନିତ ସମସ୍ୟା ଯୋଗୁଁ ଚିକିତ୍ସା ପାଇଁ ସେ ମୁମ୍ବଇ ଯିବେ। ଆସନ୍ତା ୨୨ ତାରିଖରେ ମୁମ୍ବଇରେ ସ୍ବାସ୍ଥ୍ୟ ପରୀକ୍ଷା କରାଇବେ। ସର୍ଭାଇକାଲ ଆର୍ଥ୍ରାଇଟିସ୍‌ ସମସ୍ୟା ଥିବାରୁ ଚିକିତ୍ସିତ ହେବେ। ମୁମ୍ବଇରେ ଥିବା କୋକିଳାବେନ୍‌ ଧୀରୁଭାଇ ଅମ୍ବାନୀ ହସ୍‌ପିଟାଲରେ ସ୍ବାସ୍ଥ୍ୟ ପରୀକ୍ଷା କରାଇବେ। ସେଠାରେ ତାଙ୍କର ବ୍ୟକ୍ତିଗତ ଡାକ୍ତର ରମାକାନ୍ତ ପଣ୍ଡାଙ୍କ ତତ୍ତ୍ବାବଧାନରେ ଏହି ଚିକିତ୍ସା ହେବ।‌ ନବୀନଙ୍କ ଅନୁପସ୍ଥିତିରେ ବିଜୁ ଜନତା ଦଳ ପରିଚାଳନା କରିବ ରାଜନୈତିକ ବ୍ୟାପାର କମିଟି। ଏହି କମିଟି ଦଳର ଦୈନନ୍ଦିନ କଥା ବୁଝିବ। ସେହିପରି ଦଳର ବିଭିନ୍ନ ସାମ୍ମୁଖ୍ୟର କାର୍ଯ୍ୟକ୍ରମ ବିଷୟରେ ଦଳର ବରିଷ୍ଠ ଉପସଭାପତି (ମୁଖ୍ୟାଳୟ) ଦେବୀ ପ୍ରସାଦ ମିଶ୍ର ସମନ୍ବୟ ରକ୍ଷା କରିବେ। ଏନେଇ ବୁଧବାର ବିଜେଡି ସଭାପତି ଶ୍ରୀ ପଟ୍ଟନାୟକ ଏକ ନିର୍ଦେଶନାମା ଜାରି କରିଛନ୍ତି। ଶ୍ରୀ ପଟ୍ଟନାୟକ ଚିକିତ୍ସା ପୂର୍ବରୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦ ମାଗିଛନ୍ତି। ଓଡ଼ିଆ ଭାଇଭଉଣୀଙ୍କର ଶୁଭକାମନା ମଧ୍ୟ ଲୋଡ଼ିଛନ୍ତି। ‘ମୁଁ ଶୀଘ୍ର ସୁସ୍ଥ ହୋଇ ଫେରି ଆସିବି। ଓଡ଼ିଶାର ସମସ୍ତଙ୍କ ସେବା ଜାରି ରଖିବାକୁ ଅପେକ୍ଷା କରିଛି’ ବୋଲି ସେ ସାମାଜିକ ଗଣମାଧ୍ୟମରେ ଉଲ୍ଲେଖ କରିଛନ୍ତି। ଶ୍ରୀ ପଟ୍ଟନାୟକ ପୋଷ୍ଟ କରିବା ପରେ ତାଙ୍କର ସମର୍ଥକ ସାମାଜିକ ଗଣମାଧ୍ୟମ ଜରିଆରେ ଶୁଭେଚ୍ଛା ଜଣାଇବା ସହ ଆରୋଗ୍ୟ କାମନା କରିଛନ୍ତି।
ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ଅସୁସ୍ଥତା ବିଷୟରେ ଜାଣି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଚିନ୍ତା ପ୍ରକଟ କରିବା ସହିତ ତାଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି। ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ତାଙ୍କର ଚିକିତ୍ସା ପ୍ରକ୍ରିୟା ସୁରୁଖୁରୁରେ ସମ୍ପନ୍ନ ହେଉ ଓ ଆଶୁ ଆରୋଗ୍ୟ ଲାଭକରି ଉତ୍ତମ ସ୍ୱାସ୍ଥ୍ୟ ଲାଭ କରନ୍ତୁ ବୋଲି ମହାପ୍ରଭୁ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରୁଥିବା ଉଲ୍ଲେଖ କରିଛନ୍ତି।
ଅନ୍ୟ ପକ୍ଷରେ ନବୀନଙ୍କ ଉତ୍ତମ ଚିକିତ୍ସା ଓ ଆଶୁ ଆରୋଗ୍ୟ କାମନା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ କରୁଣାରୁ ସେ ସୁସ୍ଥ ଓ ନିରୋଗ ରୁହନ୍ତୁ ତଥା ନିଜର ଯତ୍ନ ନିଅନ୍ତୁ ବୋଲି ସାମାଜିକ ଗଣମାଧ୍ୟମ ‘ଏକ୍ସ’ ଜରିଆରେ ଶ୍ରୀ ପ୍ରଧାନ କାମନା କରିଛନ୍ତି।

Sidha Sambad
Author: Sidha Sambad

Leave a Comment

और पढ़ें