ଗଣିତ ଓ ପ୍ରୟୋଗ ପ୍ରତିଷ୍ଠାନର ନୂତନ ଗ୍ରନ୍ଥାଗାର ଅଟ୍ଟାଳିକାର ଭିତ୍ତିପ୍ରସ୍ତର ସ୍ଥାପନ

👇समाचार सुनने के लिए यहां क्लिक करें

ଭୁବନେଶ୍ୱର ୨୩/୦୬/୨୦୨୫

ବିଜ୍ଞାନ ଓ କାରିଗରୀ ମନ୍ତ୍ରୀ ଶ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଭୁବନେଶ୍ୱର ଉପକଣ୍ଠସ୍ଥିତ ଗଣିତ ଓ ପ୍ରୟୋଗ ପ୍ରତିଷ୍ଠାନର ନୂତନ ଗ୍ରନ୍ଥାଗାର ଅଟ୍ଟାଳିକାର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ଏହି ନୂତନ ଅଟ୍ଟାଳିକା ପ୍ରାୟ ୨୬ କୋଟି ଟଙ୍କା ବ୍ୟୟରେ ନିର୍ମାଣ କରାଯିବ । ଉକ୍ତ ପ୍ରକଳ୍ପର ପ୍ରଥମ ପର୍ଯ୍ୟାୟରେ ଶିକ୍ଷକ ଆବାସ ଗୃହ, ଛାତ୍ରାବାସ ଓ ଶ୍ରେଣୀଗୃହ ନିର୍ମାଣ କରାଯିବ । ଆଜିର ଏହି ଭିତ୍ତିପ୍ରସ୍ତର କାର୍ଯ୍ୟକ୍ରମରେ ଯୋଗଦେଇ ମନ୍ତ୍ରୀ ଶ୍ରୀ ପାତ୍ର ଗଣିତରେ ଉଚ୍ଚକୋଟୀର ଗବେଷଣା ଓ ଗଣିତ ଶିକ୍ଷାକୁ ବିଦ୍ୟାଳୟ ଓ ମହାବିଦ୍ୟାଳୟ ସ୍ତରରେ ବୋଧଗମ୍ୟ କରିବା, ଶିକ୍ଷା ଓ ଶିକ୍ଷକମାନଙ୍କ ନିମନ୍ତେ ତାଲିମ ଶିବିର ଆୟୋଜନ କରିବା କ୍ଷେତ୍ରରେ ଗଣିତ ଓ ପ୍ରୟୋଗ ପ୍ରତିଷ୍ଠାନ ପ୍ରମୁଖ ଭୂମିକା ତୁଲାଇଛି ବୋଲି କହିଥିଲେ । ଏଥିରେ ଅଧିକରୁ ଅଧିକ ଗଣିତ କ୍ଷେତ୍ରରେ ପ୍ରୟୋଗାତ୍ମକ ଗବେଷଣା କରାଯିବା ପାଇଁ ସମସ୍ତ ଭିତ୍ତିଭୂମି ଯୋଗାଇଦେବାକୁ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ସେ ଉଲ୍ଲେଖ କରିଥିଲେ । ଏତଦ୍‌ବ୍ୟତୀତ ଭୁବନେଶ୍ୱରଠାରେ ୧୦୦ ଏକର ଜାଗାରେ ସାଇନ୍ସ ସିଟି ପ୍ରତିଷ୍ଠା ସହ ଜୈବପ୍ରଯୁକ୍ତି ବିଜ୍ଞାନ ଅନ୍ତର୍ଗତ ପ୍ରମୁଖ ୧୭ଟି କ୍ଷେତ୍ରରେ ଆସନ୍ତା ୫ ବର୍ଷ ମଧ୍ୟରେ ୧୧୧୩ କୋଟି ଟଙ୍କା ଖର୍ଚ୍ଚ କରାଯିବା ପାଇଁ ସରକାର ନିଷ୍ପତ୍ତି ନେଇଥିବା ସେ କହିଥିଲେ । ଏହି ଅବସରରେ ଯୋଗଦେଇ ବିଜ୍ଞାନ ଓ କାରିଗରୀ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଚିତ୍ରା ଅରୁମୁଗମ୍‌ ଗଣିତକୁ ପ୍ରୟୋଗ କରି ମାନବସମାଜର କଲ୍ୟାଣ ଦିଗରେ ଅଧିକ ଗବେଷଣା କରିବା ପାଇଁ ଛାତ୍ରଛାତ୍ରୀମାନଙ୍କୁ ପରାମର୍ଶ ଦେଇଥିଲେ । ଉକ୍ତ ପ୍ରତିଷ୍ଠାନରେ ଆସନ୍ତା ପାଞ୍ଚବର୍ଷ ମଧ୍ୟରେ ନୂତନ ଭାବେ ଆପ୍ଲାଏଡ୍‌ ମ୍ୟାଥ୍‌ମେଟିକ୍ସ, ମ୍ୟାଥ୍‌ମେଟିକ୍ସ ଉଇଥ୍‌ କମ୍ପୁ୍ଟିଂ, ମ୍ୟାଥ୍‌ମେଟିକ୍ସ ଉଇଥ୍‌ ଡାଟା ସାଇନ୍ସ, ମ୍ୟାଥ୍‌ମେଟିକ୍ସ ଉଇଥ୍‌ କମ୍ପୁ୍ଟେସନାଲ ଫାଇନାନ୍ସ, ମ୍ୟାଥ୍‌ମେଟିକ୍ସ ଉଇଥ୍‌ ଆର୍ଟିଫିସିଆଲ୍‌ ଇଣ୍ଟେଲିଜେନ୍ସରେ ପାଞ୍ଚବର୍ଷିଆ ଇଣ୍ଟିଗ୍ରେଟେଡ୍‌ ଏମ୍‌ଏସ୍‌ସି ପାଠ୍ୟକ୍ରମ ଆରମ୍ଭ ହେବ ବୋଲି ସେ ସୂଚନା ଦେଇଥିଲେ ।

ଗଣିତ ଓ ବିଜ୍ଞାନ ପ୍ରତିଷ୍ଠାନ ନିର୍ଦ୍ଦେଶକ ପ୍ରଫେସର ଯଶବନ୍ତ ଜେନା, କୁଳସଚିବ ପ୍ରଫେସର ତ୍ରୈଲୋକ୍ୟ ପାଣିଗ୍ରାହୀ, ବିଜ୍ଞାନ ଓ ବୈଷୟିକ ବିଭାଗ ଅତିରିକ୍ତ ଶାସନ ସଚିବ ଶ୍ରୀମତୀ ଶିବାନୀ ମହାନ୍ତି, ଶ୍ରୀମତୀ ବିଦୁ୍ୟତପ୍ରଭା ରାଉତ, ଶ୍ରୀମତୀ ପୂଜା ମିଶ୍ର, ପଠାଣି ସାମନ୍ତ ପ୍ଲାନେଟୋରିୟମ୍‌ ନିର୍ଦ୍ଦେଶକ ଶ୍ରୀମତୀ ଉର୍ମିପ୍ରଭା ମହାରଣା, ପ୍ରତିଷ୍ଠାନର ସୁନୀତା ଚକ୍ରବର୍ତ୍ତୀ, ଶିକ୍ଷକ ଓ ଛାତ୍ରଛାତ୍ରୀ ପ୍ରମୁଖ ଏହି ଅବସରରେ ଉପସ୍ଥିତ ଥିଲେ ।

Sidha Sambad
Author: Sidha Sambad

Leave a Comment

और पढ़ें