ଉଷ୍ମ ହେଲାଣି ନୂଆପଡାରେ ରାଜନୀତି । ପ୍ରକମ୍ପିତ ହେଲାଣି ନୂଆପଡ଼ା ଅଂଚଳ । ଘନ ଘନ ପ୍ରଚାର ମଧ୍ୟ୍ୟ ଆରମ୍ଭ ହୋଇଗଲାଣି ହେଲେ ପ୍ରାର୍ଥୀଙ୍କୁ ନେଇ ଏଯାଏଁ ନିଜର କାର୍ଡ ଖୋଲିନି ବିଜେପି ଓ ବିଜେଡି। ବିଜେଡି ଜୟ ଢ଼ୋଲକିଆଙ୍କୁ ପ୍ରାର୍ଥୀ କରିବାକୁ ସଂକେତ ଦେଇଥିଲେ ବି ବିଧିବଦ୍ଧ ଭାବେ ଘୋଷଣା କରିନି । ଆଉ ବଡ କଡା ହେଲା ବିନା ଶଙ୍ଖ ଚିହ୍ନରେ ବିଭିନ୍ନ କାର୍ଯ୍ୟକ୍ରମରେ ଜୟ ଢୋଲକିଆ ବୁଲୁଥିବା ନଜରକୁ ଆସୁଛନ୍ତି। ଅନ୍ୟପଟେ ଆଦିବାସୀ ବହୁଳ ନୂଆପଡା ଆସନରେ ବିଜେପି, ବସନ୍ତ ପଣ୍ଡା, ଅଭିନନ୍ଦନ ପଣ୍ଡା, ଯଦୁମଣି ପାଣିଗ୍ରାହୀ ନା ଆଉ କିଏ ନୂଆ ଚେହେରା ସାମ୍ନାକୁ ଆସିବ ତାକୁ ନେଇ ରହିଛି ସମସ୍ତ ଙ୍କ ନଜର।
ନୂଆପଡ଼ା ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ଦେହାନ୍ତ ପରେ ଖାଲି ପଡିଛି ନୂଆପଡ଼ା ଆସନ । ସେପ୍ଟେମ୍ବର ୮ରେ ତାଙ୍କର ଦେହାନ୍ତ ହୋଇଥିଲା । ବିଧାୟକ ରାଜେନ୍ଦ୍ର ଢୋଲକିଆ ଚାରିଥର ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ପ୍ରଥମେ ସ୍ୱାଧୀନ ପ୍ରାର୍ଥୀ ଭାବରେ ଲଢ଼ି ବିଧାନସଭାକୁ ଯାଇଥିଲେ । ପରେ ବିଜେଡିରୁ ତିନିଥର ବିଧାୟକ ହୋଇଥିଲେ ସ୍ବର୍ଗତ ରାଜେନ୍ଦ୍ର ଢୋଲକିଆ । ଗତ ବିଜେଡି ସରକାରରେ ଯୋଜନା ଓ ସଂଯୋଜନା ମନ୍ତ୍ରୀ ଥିଲେ ଢୋଲକିଆ । ତାଙ୍କର ଦେହାନ୍ତ ହେବା ପରେ ନୂଆପଡ଼ାରେ ଉପନିର୍ବାଚନ ହେବାକୁ ଯାଉଛି। ଏଥିପାଇଁ ସରଗରମ ରାଜନୀତି । ସବୁ ରାଜନୈତିକ ଦଳର ଫୋକସ ଏବେ ନୂଆପଡା ବିଧାନସଭା ଆସନ । ତେବେ ଏ ସବୁ ଭିତରେନୂଆପଡ଼ା ଉପନିର୍ବାଚନ କୁ ନେଇ ଆସିଛି ବଡ ଖବର। ବିଜେଡି ଛାଡ଼ି ବିଜେପିରେ ସାମିଲ ହୋଇପାରନ୍ତି ଦିବଙ୍ଗତ ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ପୁଅ ଜୟ ଢୋଲକିଆ । ଖୁବଶୀଘ୍ର ଜୟ ବିଜେପିରେ ସାମିଲ ହୋଇପାରନ୍ତି ବୋଲି ଚର୍ଚ୍ଚା ଜୋର ଧରିଛି । ଜୟ ଢୋଲକିଆ ଆଜି ବିଜେପି ରାଜ୍ୟ କାର୍ଯ୍ୟାଳୟରେ ପଦ୍ମ ଧରିପାରନ୍ତି । ବିଜେପିରେ ମିଶିବା ପରେ ଜୟ ଢୋଲକିଆଙ୍କୁ ଭାରତୀୟ ଜନତା ପାର୍ଟି ପକ୍ଷରୁ ନୂଆପଡ଼ା ଉପନିର୍ବାଚନ ପାଇଁ ପ୍ରାର୍ଥୀ କରାଯାଇପାରେ ବୋଲି ଚର୍ଚ୍ଚା ହେଉଛି । ତେବେ ଦେଖିବାକୁ ବାକି ରହିଲା ଆଗକୁ ନୂଆପଡା ରାଜନୀତି କଣ କଣ ସବୁ ଘଟୁଛି।






