ନୟାଗଡ, ଖୋର୍ଦ୍ଧା ଓ ପୁରୀ ଜିଲ୍ଲା ପାଇଁ ଜାରି ହୋଇଛି ୟେଲୋ ଓ୍ବାର୍ଣ୍ଣିଂ । ୮ଟି ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି । ଆସନ୍ତା ୨୧ ତାରିଖରେ ଦକ୍ଷିଣ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହୋଇପାରେ । ଲଘୁଚାପ ପରେ ଏହା ଉତ୍ତର ପଶ୍ଚିମ ଦିଗରେ ମୁହାଁଇବ। ପରେ ଏହା ତାମିଲନାଡୁ ଓ ଦକ୍ଷିଣ ଆନ୍ଧ୍ରପ୍ରଦେଶ ଆଡ଼କୁ ଗତି କରିବ। ୨୩ ତାରିଖ ବେଳକୁ ଏହା ଅଧିକ ଘନୀଭୂତ ହୋଇ ଅବପାତ ରୂପ ନେବ ବୋଲି କିଛି ପାଣିପାଗ ବିଭାଗ ଆକଳନ କରିଛନ୍ତି।ଅନ୍ୟପଟେ ବଦଳୁଛି ପାଣିପାଗ । କାର୍ତ୍ତିକ ଆରମ୍ଭ ହୋଇଥିଲେ ବି ଥଣ୍ଡା ପଡ଼ୁନି । ‘ଲା ନୀନା’ ପ୍ରଭାବରେ ଅସ୍ଵାଭାବିକ ହୋଇପଡ଼଼ିଛି ଜଳ ବାୟୁ । ପାଣିପାଗ ବିଶେଷଜ୍ଞଙ୍କ ଅନୁସାରେ, ଚଳିତବର୍ଷ ରାଜ୍ୟରେ ଶୀତ କମ୍ ଅନୁଭୂତ ହେବ । ସ୍ଵାଭାବିକ ଠାରୁ ଉପରେ ରହିବ ରାତି ତାପମାତ୍ରା । ଏଥିସହ ଚଳିତ ମୌସୁମୀ ପରବର୍ତ୍ତୀ ଋତୁ ଅକ୍ଟୋବରରୁ ଡିସେମ୍ବର ମଧ୍ୟରେ ରାଜ୍ୟରେ ସ୍ୱାଭାବିକ ଠାରୁ ଅଧିକ ବର୍ଷା ସମ୍ଭାବନା ରହିଛି । ପାଣିପାଗ ବିଶେଷଜ୍ଞଙ୍କ ଏଭଳି ଆକଳନ ଲୋକଙ୍କୁ ବି ଚିନ୍ତାରେ ପକାଇଛି । ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ ବିଦାୟ ନେଇସାରିଛି । ସମଗ୍ର ଭାରତରୁ ଅପସାରଣ ହୋଇଛି ଦକ୍ଷିଣପଶ୍ଚିମ ମୌସୁମୀ । ଚଳିତ ବର୍ଷ ନିର୍ଦ୍ଧାରିତ ସମୟର ଗୋଟିଏ ଦିନ ପରେ ମୌସୁମୀ ସାରା ଦେଶରୁ ଅପସରି ଯାଇଛି । ଆଗାମୀ ୬ରୁ ୭ ଦିନ ମଧ୍ୟରେ ତାପମାତ୍ରାରେ ବଡ଼ ପରିବର୍ତ୍ତନ ନଥିବା ବେଳେ ବର୍ତ୍ତମାନ ଶୀତ ଅନୁଭୂତ ହେବ ନାହିଁ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।ଚଳିତ ମୌସୁମୀ ଋତୁରେ ରାଜ୍ୟରେ ସ୍ୱାଭାବିକ ବର୍ଷା ରେକର୍ଡ କରାଯାଇଛି । ଜୁନ୍ ୧ରୁ ସେପ୍ଟେମ୍ବର ୩୦ ମଧ୍ୟରେ ରାଜ୍ୟରେ ସ୍ୱାଭାବିକ ବର୍ଷା ୧୧୫୦.୨ ମିମି ତୁଳନାରେ ୧୧୫୦.୯ ମିମି ବର୍ଷା ରେକର୍ଡ ହୋଇଛି । କୋରାପୁଟରେ ସର୍ବାଧିକ ୧୫୮୬.୧ ମିମି ବର୍ଷା ରେକର୍ଡ ହୋଇଥିବା ବେଳେ ପୁରୀ, ଖୋର୍ଦ୍ଧା, କଳାହାଣ୍ଡିରେ ନିଅଣ୍ଟିଆ ବର୍ଷା ହୋଇଛି । ରାଜ୍ୟର ୬ ଜିଲ୍ଲା ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ଦେବଗଡ଼, ଝାରସୁଗୁଡ଼ା ଏବଂ କୋରାପୁଟରେ ସ୍ୱାଭାବିକ ଠାରୁ ଅଧିକ ବର୍ଷା ହୋଇଛି । ଅବଶିଷ୍ଟ ୨୧ ଜିଲ୍ଲାରେ ସ୍ୱାଭାବିକ ବର୍ଷା ରେକର୍ଡ ହୋଇଛି ।



