ଭୁବନେଶ୍ବର
“ବହୁଜନ ହିତାୟ, ବହୁଜନ ସୁଖାୟ”—ଏହା ହିଁ ମୋର ମନ୍ତ୍ର ବୋଲି କହିଛନ୍ତି ନୂଆ ଉନ୍ନୟନ କମିଶନର ଦେଓରଞ୍ଜନ କୁମାର ସିଂହ। ଶୁକ୍ରବାର ବିଧିବଦ୍ଧ ଭାବେ ଉନ୍ନୟନ କମିଶନର ଦାୟିତ୍ୱ ନେବା ପରେ ସେ ଏହି ପ୍ରତିକ୍ରିୟା ଦେଇଛନ୍ତି।
ବରିଷ୍ଠ ଆଇଏଏସ୍ ଅଧିକାରୀ ଦେଓରଞ୍ଜନ କୁମାର ସିଂହ ଉନ୍ନୟନ କମିଶନର ସହିତ ସହିତ ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଭାବେ ମଧ୍ୟ ଦାୟିତ୍ୱରେ ରହିବେ। ଅନୁ ଗର୍ଗ ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ୱ ନେବା ପରେ ରାଜ୍ୟ ସରକାର ଦେଓରଞ୍ଜନ ସିଂହଙ୍କୁ ଉନ୍ନୟନ କମିଶନର ଭାବେ ନିଯୁକ୍ତି ଦେଇଥିଲେ।
ଦାୟିତ୍ୱ ନେବା ପରେ ସେ କହିଛନ୍ତି, “ମୋ ଉପରେ ବିଶ୍ୱାସ ରଖିଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ। ଓଡ଼ିଶା ବିକାଶର ଏକ ନୂଆ ଅଧ୍ୟାୟ ଆରମ୍ଭ ହୋଇଛି। ୨୦୩୬ ସୁଦ୍ଧା ଓଡ଼ିଶାକୁ ସମୃଦ୍ଧ ରାଜ୍ୟ ଭାବେ ଗଢ଼ି ତୋଳିବା ମୁଖ୍ୟମନ୍ତ୍ରୀଙ୍କ ଲକ୍ଷ୍ୟ। ‘ବିକଶିତ ଓଡ଼ିଶା–୨୦୩୬’ ଗଠନ ପାଇଁ ଆମେ ସମସ୍ତେ ମିଶି କାମ କରିବୁ। ଏଥିପାଇଁ ସମସ୍ତଙ୍କ ସହଯୋଗ ଆବଶ୍ୟକ।”
ସେ ଆହୁରି କହିଛନ୍ତି ଯେ, ଅନେକ ଜିଲ୍ଲାରେ ଜିଲ୍ଲାପାଳ ଭାବେ କାମ କରିବାର ଅଭିଜ୍ଞତା ଥିବାରୁ ଜିଲ୍ଲା ସ୍ତରର ସମସ୍ୟା ସମ୍ପର୍କରେ ସେ ପୂର୍ଣ୍ଣ ଭାବେ ଅବଗତ।
ଉଲ୍ଲେଖଯୋଗ୍ୟ ଯେ, ନୂଆବର୍ଷର ପ୍ରଥମ ଦିନରେ ରାଜ୍ୟ ସରକାର ବରିଷ୍ଠ ପ୍ରଶାସନିକ ସ୍ତରରେ ବଡ଼ ଅଦଳବଦଳ କରିଥିଲେ। ୧୯୯୩ ବ୍ୟାଚର ବରିଷ୍ଠ ପ୍ରଶାସକ ଦେଓରଞ୍ଜନ କୁମାର ସିଂହଙ୍କୁ ଉନ୍ନୟନ କମିଶନର ଭାବେ ନିଯୁକ୍ତି ଦିଆଯାଇଥିଲା।




