ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ରଙ୍କୁ ବିଜେଡିରୁ ନିଲମ୍ବନ କରାଯିବା ପରେ ଦଳ ଭିତରେ ରାଜନୀତି ଜୋର ଧରିଛି। ଅରବିନ୍ଦଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପଛର ବଡ଼ କାରଣ ତାଙ୍କ ପିତା ବିଜୟ ମହାପାତ୍ର ବୋଲି ବିଜେଡି ଇଙ୍ଗିତ କରିଛି। ଓଡ଼ିଶା ରାଜନୀତିରେ ବେଶ୍ ପ୍ରଭାବ ରଖୁଥିବା ଶ୍ରୀ ମହାପାତ୍ରଙ୍କ ରାଜନୈତିକ ସକ୍ରିୟତା ପାଇଁ ଅରବିନ୍ଦଙ୍କୁ ମୂଲ୍ୟ ଦେବାକୁ ପଡ଼ିଛି ବୋଲି କୁହାଯାଉଛି। ସେହିପରି କଟକ-ବାରବାଟୀ ପୂର୍ବତନ ବିଧାୟକ ମହମ୍ମଦ ମୋକିମ କଂଗ୍ରେସର କେନ୍ଦ୍ର ଓ ଶୀର୍ଷ ନେତୃତ୍ବଙ୍କ କାର୍ଯ୍ୟଶୈଳୀ ଉପରେ ଅଙ୍ଗୁଳି ଉଠାଇ ଦଳରୁ ବିଦା ହୋଇଛନ୍ତି। କ୍ରମାଗତ ଭାବେ କଂଗ୍ରେସରୁ ଆହ୍ବାନ ଜଣାଇ ଆସୁଥିବା ଶ୍ରୀ ମୋକିମ ନିଜ ଝିଅର ରାଜନୈତିକ କ୍ୟାରିୟରକୁ ପ୍ରଭାବିତ କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି। ଗତ ନିର୍ବାଚନରେ କଂଗ୍ରେସ ଟିକଟରେ ପ୍ରଥମ ଥର ପାଇଁ ବିଧାୟକ ହୋଇଥିବା ତାଙ୍କ ଝିଅ ସୋଫିଆ ଫିର୍ଦୋସ ମଧ୍ୟ ପିତାଙ୍କ ସମର୍ଥନରେ ବାହାରି ନିଜ ଦଳର ନେତୃତ୍ବଙ୍କୁ ଚ୍ୟାଲେଞ୍ଜ ଦେଉଛନ୍ତି। ଶ୍ରୀ ମୋକିମ୍ ନୂଆ ଦଳ ଗଢ଼ିଲେ ତାହା କେତେଦୂର ସଫଳ ହେବ ଏହା ବଡ଼ ପ୍ରଶ୍ନ ହୋଇଥିବା ବେଳେ ସୋଫିଆ ନିଜ ପିତାଙ୍କ ସହ ରହିବେ ନା କଂଗ୍ରେସର ହାତ ଧରି ଚାଲିବେ ତାହା ଏବେ କର୍ମୀଙ୍କୁ ଦ୍ବନ୍ଦ୍ବରେ ପକାଇଛି। ବିଜେଡିର ଟାଣୁଆ ନେତା ପ୍ରଭାତ ବିଶ୍ବାଳ ଚିଟ୍ଫଣ୍ଡ ମାମଲାରେ ଫସିବା ପରେ ନିଜ ପୁଅ ସୌଭିକ୍ ବିଶ୍ବାଳଙ୍କୁ ଟିକଟ ଦେବାରେ ସଫଳ ହୋଇଛନ୍ତି। କଟକ-ଚୌଦ୍ବାର ଆସନରୁ ଦୁଇ ଦୁଇ ଥର ବିଧାନସଭାକୁ ନିର୍ବାଚିତ ହୋଇ ସୁଦ୍ଧା ସୌଭିକ ଜଣେ ପ୍ରଭାବୀ ଯୁବ ରାଜନେତାର ମାନ୍ୟତାଠାରୁ ବହୁ ଦୂରରେ ଅଛନ୍ତି। ରାଜନୀତିରୁ ଏକ ପ୍ରକାର ସନ୍ନ୍ୟାସ ନେଇଥିବା ପ୍ରଭାତଙ୍କ ରାଜନୈତିକ ବୟାନବାଜି ପୁଅ ସୌଭିକ ପାଇଁ ଅଡୁଆ ସୃଷ୍ଟି କରୁଛି ବୋଲି କୁହାଯାଉଛି। ସେହିପରି ବାଙ୍କୀର ପୂର୍ବତନ ବିଧାୟକ ପ୍ରଭାତ ତ୍ରିପାଠୀ ନିଜ ପୁଅ ଦେବୀ ରଞ୍ଜନ ତ୍ରିପାଠୀଙ୍କୁ ବିଜେଡି ଟିକଟ ଦେବାରେ ସଫଳ ହୋଇଛନ୍ତି। ପୁଅ ଦୁଇ ଥର ବିଧାନସଭାକୁ ନିର୍ବାଚିତ ହେବା ସହିତ ଦୀର୍ଘ ଦିନ ଧରି ଛାତ୍ର ବିଜେଡିର ମଙ୍ଗ ଧରିଥିଲେ; କିନ୍ତୁ ଏଥର ବିଜେଡି ତାଙ୍କୁ ସାଙ୍ଗଠନିକ ଦାୟିତ୍ବରୁ ଦୂରେଇ ରଖିଛି। ଅସନ୍ତୁଷ୍ଟ ନେତାଙ୍କ ମେଳିରେ ଦେବୀ ସାମିଲ ହେବାକୁ ଦଳ ସହଜରେ ଗ୍ରହଣ କରିପାରୁ ନାହିଁ। ଏପରିସ୍ଥଳେ ପ୍ରଭାତଙ୍କ ରାଜନୈତିକ ଅଭିଳାଷ ପୁଅ ପାଇଁ ବିସ୍ଫୋରକ ପରିସ୍ଥିତି ସୃଷ୍ଟି କରିପାରେ ବୋଲି ଆଲୋଚନା ହେଉଛି। ସେହିପରି ପୁଅଙ୍କ ରାଜନୈତିକ ଭବିଷ୍ୟତ ପ୍ରଭାତଙ୍କ ଅତୀତ ପାଇଁ ପ୍ରଭାବିତ ହେଉଥିବା ମଧ୍ୟ ଚର୍ଚ୍ଚା ହେଉଛି। ମାହାଙ୍ଗା ଟ୍ରିପଲ ମର୍ଡର ମାମଲାରେ ନାମ ଆସିବା ପରେ ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନା ନିଜ ପୁଅ ଅଙ୍କିତ ଜେନାଙ୍କୁ ସକ୍ରିୟ ରାଜନୀତିକୁ ଆଣିଥିଲେ। ହେଲେ ପ୍ରଥମ ଥର ନିର୍ବାଚନ ଲଢ଼ି ପରାଜିତ ହେବା ପରେ ଅଙ୍କିତ ଆଉ ରାଜନୀତିରେ ସକ୍ରିୟ ନଥିବା ବେଳେ ତାଙ୍କ ବାପା କିନ୍ତୁ ଚର୍ଚ୍ଚାରେ ରହିଛନ୍ତି। ନବୀନ ସରକାରରେ ବହୁ ଗୁରୁତ୍ବପୂର୍ଣ୍ଣ ବିଭାଗର ମନ୍ତ୍ରୀ ଦାୟିତ୍ବ ସମ୍ଭାଳି ଥିବା ପ୍ରତାପ ପରାଜିତ ହେବା ପରେ ବି ଦଳ ଆଗ ଧାଡ଼ିରେ ରଖିଛି।ପୂର୍ବତନ ବିଧାୟକ ତଥା ପୂର୍ବତନ ସାଂସଦ ବସନ୍ତ ପଣ୍ଡା ନୂଆପଡ଼ା ବିଧାନସଭା ଆସନରୁ ୨୦୨୪ରେ ନିଜ ପୁଅ ଅଭିନନ୍ଦନଙ୍କୁ ବିଜେପି ପ୍ରାର୍ଥୀ କରାଇଥିଲେ। ସେଥିରେ ପରାଜିତ ହେବା ପରେ ନିକଟରେ ଅନୁଷ୍ଠିତ ନୂଆପଡ଼ା ଉପ-ନିର୍ବାଚନରେ ବସନ୍ତଙ୍କ ଅଭିଳାଷ ପୂରଣ ହେଲା ନାହିଁ। ପାର୍ଟି ପ୍ରାର୍ଥୀ କରିଥିବା ବିଜେଡି ସରକାରର ପୂର୍ବତନ ମନ୍ତ୍ରୀ ରାଜେନ୍ଦ୍ର ଢ଼ୋଲକିଆଙ୍କ ପୁଅ ଜୟ ଢ଼ୋଲକିଆଙ୍କୁ ସମର୍ଥନ ଦେବା ପାଇଁ ବସନ୍ତ ଓ ତାଙ୍କ ପୁଅ ବାଧ୍ୟ ହୋଇଥିଲେ। ପାର୍ଟିର ନିଷ୍ପତ୍ତି ବିରୋଧରେ ଯାଇପାରି ନ ଥିଲେ ସୁଦ୍ଧା ବସନ୍ତଙ୍କ ମୁହଁରେ ପୁଅକୁ ଟିକଟ ନ ମିଳିବାର କ୍ଷୋଭ ସ୍ପଷ୍ଟ ବାରି ହୋଇ ପଡୁଥିଲା। ଆଗକୁ ପାର୍ଟି ତାଙ୍କୁ ରାଜ୍ୟସଭା ଆସନ କିମ୍ବା କୌଣସି ଗୁରୁତ୍ବପୂର୍ଣ୍ଣ ପଦ ଦେଇ ତାଙ୍କ କୋହକୁ ପ୍ରଶମିତ କରିପାରେ; କିନ୍ତୁ ଆଗକୁ ସ୍ବାର୍ଥରେ ଆଞ୍ଚ ଆସିଲେ ବସନ୍ତଙ୍କ ଅସନ୍ତୋଷ ପୁଅର ରାଜନୈତିକ ଭବିଷ୍ୟତକୁ ବିପଦରେ ପକାଇବା ଆଶଙ୍କା ରହିଛି। ବସନ୍ତଙ୍କ କ୍ଷୋଭ ପୁଅ ଅଭିନନ୍ଦନଙ୍କ ପାଇଁ ସମସ୍ୟା ଆଣିପାରେ। କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ନରସିଂହ ମିଶ୍ର ୨୦୨୪ ନିର୍ବାଚନରୁ ଦୂରେଇ ରହିଥିଲେ ସୁଦ୍ଧା ବଲାଙ୍ଗିର ବିଧାନସଭା ଆସନରୁ ନିଜ ପୁଅ ସମରେନ୍ଦ୍ର ମିଶ୍ରଙ୍କୁ କଂଗ୍ରେସ ଟିକଟରେ ପ୍ରାର୍ଥୀ କରାଇଥିଲେ। ହେଲେ ପିତାଙ୍କ ଗଡ଼ ଅତୁଟ ରଖିବାରେ ସେ ବିଫଳ ହେଲେ। ସମ୍ପ୍ରତି ସମରେନ୍ଦ୍ରଙ୍କ ରାଜନୈତିକ କାର୍ଯ୍ୟକଳାପ ଶିଥିଳ ପଡ଼ି ଯାଇଥିବା ବେଳେ ରାଜ୍ୟ ରାଜନୀତିରେ ଜଣେ ଧୁରୀଣ ରାଜନେତା ଭାବେ ନରସିଂହଙ୍କ ପତିଆରା ଅତୁଟ ରହିଛି। ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ରାଜନେତା ପ୍ରଫୁଲ୍ଲ ସାମଲ ବିଜେଡିର ଆଗଧାଡ଼ିର ନେତା ହୋଇ ରହିଥିଲେ ସୁଦ୍ଧା ତାଙ୍କର ଦୁଇ ପୁଅ ପ୍ରୟାସକାନ୍ତି ଓ ପ୍ରଣିତକାନ୍ତି ସାମଲ ନିକଟରେ ବିଜେପି ଶିବିରରେ ସାମିଲ ହୋଇଛନ୍ତି। ବିଜେପିରେ ଯୋଗ ଦେଉଥିବା କଥା ତାଙ୍କ ପିତା ଜାଣି ନାହାନ୍ତି ବୋଲି ପ୍ରୟାସକାନ୍ତି ଗଣମାଧ୍ୟମରେ କହିଥିଲେ। ଏଥିରୁ ପିତା-ପୁତ୍ର ମଧ୍ୟରେ ଫାଟ ଜଳ ଜଳ ଦେଖାଯାଉଥିଲା। ଯେଉଁ ପିତାମାନେ ପିଲାଙ୍କୁ ରାଜନୀତିର ଅକ୍ଷର ଶିକ୍ଷା ଦେଇ ଦଳୀୟ ଟିକଟ ସୁନିଶ୍ଚିତ କରାଇଥିଲେ ଏବେ ସେହିମାନେ ନିଜ ସନ୍ତାନଙ୍କ ରାଜନୈତିକ ଉତ୍ଥାନରେ ପ୍ରତିବନ୍ଧକ ଭଳି ସ୍ଥିତି ସୃଷ୍ଟି କରୁଥିବା ନେଇ ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି।






