ଭୁବନେଶ୍ବର: ରାଜ୍ୟରେ ବଢ଼ିଲାଣି ତାପମାତ୍ରା। ମାର୍ଚ୍ଚ, ଏପ୍ରିଲ ଏବଂ ମେ’ରେ ବହିବ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ। ଗ୍ରୀଷ୍ମ ଋତୁରେ ପାନୀୟ ଜଳକଷ୍ଟ ବଢ଼ୁଛି। କେଉଁଠି ଲୋକେ ମାଇଲ ମାଇଲ ବାଟ ଚାଲି ଚୁଆରୁ ପାଣି ଆଣୁଛନ୍ତି ତ ଆଉ କେଉଁଠି ନାଳ ଓ କୂଳରୁ ପାଣି ଛାଣି ଆଣିଥାନ୍ତି। ଏହି ପରିପ୍ରେକ୍ଷୀରେ ଚଳିତ ବର୍ଷ ଗ୍ରୀଷ୍ମ ଋତୁରେ ନିର୍ଦ୍ଧାରିତ ସମୟରେ ଲୋକଙ୍କ ପାଖରେ ପାନୀୟ ଜଳ ପହଞ୍ଚାଇବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦେଶ ଦିଆଯାଇଛି। ନିର୍ଦ୍ଧାରିତ ସମୟରେ ଲୋକଙ୍କ ପାଖରେ ପାନୀୟ ଜଳ ନପହଞ୍ଚିଲେ ସମ୍ପୃକ୍ତ ଅଧିକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପଞ୍ଚାୟତିରାଜ ଓ ପାନୀୟ ଜଳ ଯୋଗାଣ ମନ୍ତ୍ରୀ ରବି ନାରାୟଣ ନାଏକ କହିଛନ୍ତି।ସେ କହିଲେ, ପୂର୍ବରୁ ବିଭିନ୍ନ ଏଜେନ୍ସି ଉପରେ ସରକାର କାର୍ଯ୍ୟାନୁଷ୍ଠାନ ନେଉଥିବା ବେଳେ ଏବେ ଅଧିକାରୀଙ୍କ ବିରୋଧରେ ବି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ନିଷ୍ପତ୍ତି ହୋଇଛି। ରାଜ୍ୟ ସରକାରଙ୍କ ଲକ୍ଷ୍ୟ ୨୦୨୭ ସୁଦ୍ଧା ସମସ୍ତଙ୍କ ପାଖରେ ପାନୀୟ ଜଳ ପହଞ୍ଚିବ। ଏଥିପାଇଁ ମେଗା ପାନୀୟ ଜଳ ପ୍ରକଳ୍ପଗୁଡ଼ିକର କାର୍ଯ୍ୟ ଶୀଘ୍ର ସାରିବାକୁ ସରକାର ତ୍ବରିତ ବେଗରେ କାମ କରୁଛନ୍ତି। ସେଥିରେ ଯିଏ ବି ବାଧକ ସାଜିବ ବା କାର୍ଯ୍ୟରେ ଅବହେଳା କରିବ ତା’ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ।ଅନ୍ୟପଟେ ଦେଢ଼ ଶହ ଜନସଂଖ୍ୟା ଥିବା ଗାଁକୁ ନିର୍ମାଣ ହେବ ପକ୍କା ରାସ୍ତା। ୨୦୨୭ ସୁଦ୍ଧା ୭୫ହଜାରରୁ ଊର୍ଦ୍ଧ୍ବ ଗ୍ରାମ୍ୟ ରାସ୍ତା ନିର୍ମାଣ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି। ଆସନ୍ତା ୩ ମାସରେ ଶତପ୍ରତିଶତ ବଜେଟ ଅର୍ଥ ଖର୍ଚ୍ଚ କରିବାକୁ ଅଧିକାରୀଙ୍କୁ ନିର୍ଦେଶ ଦିଆଯାଇଛି। ଏବେ ୩୦ ହଜାରରୁ ଅଧିକ ରାସ୍ତା ନିର୍ମାଣ ହୋଇଥିବା ବେଳେ ସମୟ ସୀମା ଭିତରେ ସମସ୍ତ କାର୍ଯ୍ୟ ସରିବ। ପୂର୍ବ ସରକାରଙ୍କୁ ମନ୍ତ୍ରୀ ଶ୍ରୀ ନାୟକ ନିଶାଣ କରି କହିଛନ୍ତି, ଗତ ସରକାରରେ ୯୨ଟି ବ୍ରିଜ୍କୁ ଆପ୍ରୋଚ୍ ରୋଡ୍ ନଥିଲା। ବିଜେପି ସରକାର ଆସିବା ପରେ ୫୦ଟି ବ୍ରିଜ୍ ପାଇଁ ଜମି ଅଧିଗ୍ରହଣ ସରିଲାଣି। ଏବେ ସୁଦ୍ଧା ୫୩ ପ୍ରତିଶତ ବଜେଟ ଅର୍ଥ ଖର୍ଚ୍ଚ ସରିଥିବା ବେଳେ ୩ ମାସରେ ଶତପ୍ରତିଶତ ଖର୍ଚ୍ଚ କରିବାକୁ ଅଧିକାରୀଙ୍କୁ ନିର୍ଦେଶ ଦିଆଯାଇଛି।



