ପ୍ରଜ୍ଞାପନ ମେଢ଼ ପ୍ରସ୍ତୁତି ଶେଷ, ଆଜି ଅଭ୍ୟାସ,ଦିଲ୍ଲୀର କର୍ତ୍ତବ୍ୟପଥରେ ଗଡ଼ିବ ଓଡ଼ିଶାର ପ୍ରଜ୍ଞାପନ ମେଢ଼।

👇समाचार सुनने के लिए यहां क्लिक करें

ଦିଲ୍ଲୀର କର୍ତ୍ତବ୍ୟପଥରେ ଗଡ଼ିବ ଓଡ଼ିଶାର ପ୍ରଜ୍ଞାପନ ମେଢ଼।  ସମସ୍ତ ପ୍ରସ୍ତୁତି ଶେଷ ହୋଇଥିବାବେଳେ ଶୁକ୍ରବାର ରହିଛି ଅଭ୍ୟାସ କାର୍ଯ୍ୟକ୍ରମ। ଏହା ଚୂଡ଼ାନ୍ତ ଅଭ୍ୟାସ ବୋଲି ଜଣାପଡ଼ିଛି। ଏହାପରେ ସିଧାସଳଖ ୨୬ ତାରିଖରେ କର୍ତ୍ତବ୍ୟ ପଥରେ ୨୪ ନମ୍ବରରେ ଗଡ଼ିବ ଓଡ଼ିଶାର ପ୍ରଜ୍ଞାପନ ମେଢ଼।  ପ୍ରଜ୍ଞାପନ ମେଢ଼ ମାଧ୍ୟମରେ ଓଡ଼ିଶାର କୃଷି ଓ ସାଂସ୍କୃତିକ ସମୃଦ୍ଧିରୁ ଆଧୁନିକ ଶିଳ୍ପ, ଦକ୍ଷତା ବିକାଶ ଏବଂ ନବସୃଜନ ଓ ପ୍ରଯୁକ୍ତିର ଏକ ସମ୍ମିଳିତ ଦୃଶ୍ୟ ଉପସ୍ଥାପନ କରାଯିବ। ମେଢ଼ର ବିଭିନ୍ନ ଅଂଶରେ କୋରାପୁଟ କଫିରୁ ସିଲିକନ ସେମିକଣ୍ଡକ୍ଟର ପର୍ଯ୍ୟନ୍ତ ନିରନ୍ତର ଯାତ୍ରାକୁ ଉପସ୍ଥାପନ କରାଯାଇଛି।

ଶ୍ରୀଜଗନ୍ନାଥ ରଥର ଭୂମି ଭାବେ ନିର୍ମିତ ପ୍ରଜ୍ଞାପନ ମେଢ଼ର ସମ୍ମୁଖ ଭାଗ ଉପରେ ଲିଙ୍ଗଗତ ସମାନତା ଏବଂ ମହିଳା ସଶକ୍ତୀକରଣ ପ୍ରତି ଓଡ଼ିଶାର ଅସ୍ମିତାକୁ ପ୍ରଦର୍ଶନ କରାଯାଇଥିବାବେଳେ ମଧ୍ୟଭାଗରେ ସ୍ଥାୟୀ ଜୀବିକା ଓ ରାଜ୍ୟର କୃଷି ଉତ୍କୃଷ୍ଟତାର ପ୍ରତିନିଧି ସ୍ବରୂପ କୋରାପୁଟ କଫି ଏବଂ ଏହାର ଅପରପାର୍ଶ୍ବରେ ଉନ୍ନତ ପ୍ରଯୁକ୍ତିବିଦ୍ୟା ଆଧାରିତ ଜଟିଳ ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ଉତ୍ପାଦନ ଦିଗରେ ଓଡ଼ିଶାର ପ୍ରଗତିକୁ ସିଲିକନ୍ ସେମିକଣ୍ଡକ୍ଟର ଚିପ୍ ମାଧ୍ୟମରେ ପ୍ରତିଫଳିତ କରାଯାଇଛି। ପଶ୍ଚାତ ଭାଗରେ ଓଡ଼ିଶାର ଅନନ୍ୟ ସ୍ଥାପତ୍ୟ ଏବଂ କାଳଜୟୀ କଳାତ୍ମକ ଐତିହ୍ୟର ପ୍ରଦର୍ଶନ ସ୍ବରୂପ କୋଣାର୍କ ସୂର୍ଯ୍ୟ ମନ୍ଦିରର ଏକ ପ୍ରତିରୂପ ସ୍ଥାନିତ ହେବ। ସମ୍ବଲପୁରୀ ବସ୍ତ୍ର ଆଚ୍ଛାଦିତ ପ୍ରଜ୍ଞାପନ ମେଢ଼ର ଉଭୟ ପାର୍ଶ୍ବରେ ପାରମ୍ପରିକ ଜନଜାତି ଚିତ୍ରକଳା ଉପରେ ରୁପା ତାରକସି କାରୁକାର୍ଯ୍ୟ, ଓଡ଼ିଶାର ଗଭୀର ସାଂସ୍କୃତିକ ପରିଚୟ ଏବଂ ଉତ୍କୃଷ୍ଟ ହସ୍ତଶିଳ୍ପ ପରମ୍ପରାକୁ ପ୍ରତିଫଳିତ କରାଯାଇଛି। ସେହିପରି ଚଇତି ଘୋଡ଼ା ଗୀତ ଓ ନୃତ୍ୟ ମାଧ୍ୟମରେ ନୃତ୍ୟଶିଳ୍ପୀମାନେ ଆତ୍ମନିର୍ଭର ଭାରତରେ ଓଡ଼ିଶାର ଭୂମିକାକୁ ପ୍ରଜ୍ଞାପନ ମେଢ଼ର ଉଭୟ ପାର୍ଶ୍ବରେ ଉପସ୍ଥାପନ କରିବେ। ସୂଚନାଯୋଗ୍ୟ, ଏହି ଅବସରରେ ୧୭ ରାଜ୍ୟ ସମେତ ୧୩ ମନ୍ତ୍ରଣାଳୟ ପକ୍ଷରୁ ମୋଟ ୩୦ ମେଢ଼ ଗଡ଼ିବ।

Sidha Sambad
Author: Sidha Sambad

Leave a Comment

और पढ़ें