ଦେବୋତ୍ତର ନିରୀକ୍ଷକ, ଅଡିଟର ଏବଂ ଅନ୍ୟ ଅଧିକାରୀଙ୍କ ତାଲିମ କାର୍ଯ୍ୟକ୍ରମ ଉଦ୍‌ଘାଟିତ ଦେବୋତ୍ତର ବିଭାଗକୁ ଅଧିକ ଶୃଙ୍ଖଳିତ କରିବାରେ ବିଭାଗୀୟ ଅଧିକାରୀଙ୍କ ଦାୟିତ୍ୱ ଗୁରୁତ୍ୱପୂର୍ଣ୍ଣ: ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ – ରହିବ ଅନ୍‌ଲାଇନ୍‌ ଅଭିଯୋଗ ବାକ୍ସ – ୱେବ୍‌ସାଇଟ୍‌ରେ ଉପଲବ୍ଧ ହେବ ପୁରାତନ ମନ୍ଦିର ସମ୍ପର୍କରେ ଅଧିକ ତଥ୍ୟ

👇समाचार सुनने के लिए यहां क्लिक करें

ମନ୍ଦିରଗୁଡ଼ିକର ରୀତିନୀତିଠାରୁ ଆରମ୍ଭ କରି ସମସ୍ତ ସେବା, ପୂଜା, ମନ୍ଦିର ସମ୍ପତ୍ତିର ରକ୍ଷଣାବେକ୍ଷଣ ଓ ଆୟବ୍ୟୟର ହିସାବ ରକ୍ଷଣରେ ଦେବୋତ୍ତର ବିଭାଗର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ଏହାକୁ ଅଧିକ ଶୃଙ୍ଖଳିତ କରିବା ପାଇଁ ଅନ୍‌ଲାଇନ୍‌ ଅଭିଯୋଗର ବାକ୍ସ ରହିବା ସହିତ ସମସ୍ୟାର ତୁରନ୍ତ ସମାଧାନ କିପରି ହୋଇପାରିବ ସେଥିନେଇ ବିଭାଗ ପକ୍ଷରୁ ବିଚାର କରାଯାଉଛି । ଏଥି ସହିତ ଦେବୋତ୍ତର ବିଭାଗ ଅଧିନରେ ଥିବା ସମସ୍ତ ପୁରାତନ ମନ୍ଦିରର ବିସ୍ତୃତ ତଥ୍ୟ ୱେବ୍‌ସାଇଟ୍‌ରେ ଉପଲବ୍ଧ କରିବା ନେଇ ପ୍ରକ୍ରିୟା ଆରମ୍ଭ ହୋଇଛି । ଏହା ଗବେଷକ, ପର୍ଯ୍ୟଟକ ଏପରିକି ସାଧାରଣ ଜନସାଧାରଣଙ୍କୁ ମନ୍ଦିର ସମ୍ପର୍କରେ ଅଧିକ ଜାଣିବାର ସୁଯୋଗ ସୃଷ୍ଟି କରିବ । ମନ୍ଦିର ପରିଚାଳନା ଓ ଅନ୍ୟାନ୍ୟ ଆନୁଷଙ୍ଗିକ ବିଷୟ ନେଇ ମଧ୍ୟ ଅନେକ ଆଇନ ରହିଛି । ତେଣୁ ନବନିଯୁକ୍ତ ଅଧିକାରୀ ଓ କର୍ମଚାରୀମାନେ ଆଇନକୁ ଭଲ ଭାବେ ଅନୁଶୀଳନ କରି କାର୍ଯ୍ୟ କଲେ ଅନେକ ସମସ୍ୟାର ସହଜ ସମାଧାନ ହୋଇପାରିବ ବୋଲି ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ ମତବ୍ୟକ୍ତ କରିଛନ୍ତି ।

ଆଜି ୟୁନିଟ୍‌-୨ସ୍ଥିତ ସଚିବାଳୟ ତାଲିମ ପ୍ରତିଷ୍ଠାନ ପରିସରରେ ଆରମ୍ଭ ହୋଇଥିବା ତାଲିମ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିବା ସହିତ ମନ୍ତ୍ରୀ ଶ୍ରୀ ହରିଚନ୍ଦନ କହିଲେ ଯେ ଯେକୌଣସି କ୍ଷେତ୍ରରେ ତାଲିମ ଗ୍ରହଣ କର୍ମଚାରୀଙ୍କୁ ନିଜ କାର୍ଯ୍ୟ ବିଷୟରେ ଅଧିକ ଜାଣିବା ସହିତ ନିପୁଣ ଭାବେ କାର୍ଯ୍ୟ ସମ୍ପାଦନ ଦିଗରେ ଅଧିକ ଦକ୍ଷ କରିଥାଏ । ଦେବୋତ୍ତର ବିଭାଗରେ ଅନେକ ସମସ୍ୟାର ସମାଧାନ ତୃଣମୂଳ ସ୍ତରରେ କାର୍ଯ୍ୟ କରୁଥିବା ଅଧିକାରୀଙ୍କ ଦ୍ୱାରା ସମ୍ଭବ ହୋଇପାରିବ । ତେଣୁ ଏହି ତାଲିମ କାର୍ଯ୍ୟକ୍ରମରୁ ଜ୍ଞାନ ଆହରଣ କରି ଆଗାମୀ ଦିନରେ ଏହାର ଉପଯୁକ୍ତ ବ୍ୟବହାର କରି ପ୍ରଶାସନକୁ ସ୍ୱଚ୍ଛ ଓ ଦକ୍ଷ କରିବା ପାଇଁ ମନ୍ତ୍ରୀ ପରାମର୍ଶ ଦେଇଥିଲେ ।

ବୈଠକରେ ଅବସରପ୍ରାପ୍ତ ଜଷ୍ଟିସ୍‌ ଏ. ଏସ୍‌. ନାଇଡୁ ଯୋଗଦେଇ ଅଧିକାରୀମାନଙ୍କୁ ଦେବୋତ୍ତର ସମ୍ପର୍କିତ ଆଇନ ଓ କାର୍ଯ୍ୟ ପ୍ରଣାଳୀକୁ ଭଲ ଭାବରେ ଜାଣି କାର୍ଯ୍ୟରେ ଲଗାଇବା ପାଇଁ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ ।

ପ୍ରମୁଖ ଶାସନ ସଚିବ ଡ. ପବିତ୍ର ମୋହନ ସାମଲ ଅଧିକାରୀମାନଙ୍କୁ ସରକାରୀ କାର୍ଯ୍ୟ ସମ୍ପାଦନବେଳେ ଧୈର୍ଯ୍ୟ ଓ ନିଷ୍ଠାର ସହ ନୂଆକିଛି କରିବାର ମନୋଭାବ ନେଇ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ ।

ଏହି ତାଲିମ କାର୍ଯ୍ୟକ୍ରମରେ ଦେବୋତ୍ତର କମିଶନର ଶ୍ରୀ ଲଲାଟେନ୍ଦୁ ଜେନା ସ୍ୱାଗତ ଭାଷଣ ଦେଇଥିବାବେଳେ ଡେପୁଟି କମିଶନର ଶ୍ରୀ ଦିଲ୍ଲୀପ କୁମାର ଶତପଥୀ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ଆଇନ ବିଭାଗ ଅତିରିକ୍ତ ଶାସନ ସଚିବ ଶ୍ରୀ ଶିବ ପ୍ରସାଦ ମହାପାତ୍ର, ସଚିବାଳୟର ତାଲିମ ପ୍ରତିଷ୍ଠାନର ଅଧ୍ୟକ୍ଷ ଶ୍ରୀ ମନୋଜ କୁମାର ଷଡ଼ଙ୍ଗୀଙ୍କ ସମେତ ବିଭାଗୀୟ ବରିଷ୍ଠ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।

Sidha Sambad
Author: Sidha Sambad

Leave a Comment

और पढ़ें