ଓଲିଉଡ୍ ସୁପରଷ୍ଟାର୍ ତଥା ପୂର୍ବତନ ସାଂସଦ ଅନୁଭବ ମହାନ୍ତିଙ୍କ ପାଇଁ ପୁଣି ବଢ଼ିଲା ଅଡୁଆ। ହାଇକୋର୍ଟରୁ ତାଙ୍କୁ ମିଳିଛି ଏକ ଶକ୍ତ ଝଟ୍କା। ପୂର୍ବତନ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ଦ୍ୱାରା ଦାୟର କରାଯାଇଥିବା ଏକ ମାମଲାକୁ ରଦ୍ଦ କରିବା ପାଇଁ ଅନୁଭବ କରିଥିବା ଆବେଦନକୁ ହାଇକୋର୍ଟ ଖାରଜ କରିଦେଇଛନ୍ତି।
ସୂଚନା ଅନୁଯାୟୀ, ଅନୁଭବ ମହାନ୍ତି ନିମ୍ନ ଅଦାଲତରେ ଚାଲିଥିବା ଏକ ଫୌଜଦାରୀ ମାମଲାକୁ ଖାରଜ କରିବା ପାଇଁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। କିନ୍ତୁ ହାଇକୋର୍ଟ ଏହି ଆବେଦନକୁ ଅଗ୍ରାହ୍ୟ କରିଦେଇଛନ୍ତି। ଫଳରେ ବର୍ତ୍ତମାନ ଅନୁଭବଙ୍କ ବିରୋଧରେ ତଳ କୋର୍ଟରେ ଏହି ମାମଲାର ବିଚାର ଚାଲୁ ରହିବ ବୋଲି ସ୍ପଷ୍ଟ ହୋଇଛି।
ଏହି ମାମଲାଟି ଅନୁଭବଙ୍କ ପୂର୍ବତନ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ଅଭିଯୋଗ ଉପରେ ଆଧାରିତ। ବର୍ଷା ଅଭିଯୋଗ କରିଥିଲେ ଯେ, ଯେତେବେଳେ ସେ କଟକ ସ୍ଥିତ ଅନୁଭବଙ୍କ ପୈତୃକ ଘରେ ରହୁଥିଲେ, ସେତେବେଳେ ଅନୁଭବ ଏବଂ ତାଙ୍କ କର୍ମଚାରୀମାନେ ମିଶି ତାଙ୍କୁ ମାନସିକ ନିର୍ଯାତନା ଦେଉଥିଲେ।
ବର୍ଷାଙ୍କ ଅଭିଯୋଗ ଅନୁଯାୟୀ, ଘରେ ରହୁଥିବା ସମୟରେ ତାଙ୍କର ଅନେକ ଭିଡିଓ ସୁଟିଂ କରାଯାଉଥିଲା ଏବଂ ତାଙ୍କୁ ବିଭିନ୍ନ ଉପାୟରେ ହଇରାଣ କରାଯାଉଥିଲା। ଏନେଇ ସେ ଅନୁଭବ ଓ ତାଙ୍କ ସହଯୋଗୀଙ୍କ ନାଁରେ ପୁରୀଘାଟ ଥାନାରେ ଏତଲା ଦେଇଥିଲେ।
ଛାଡ଼ପତ୍ର ମାମଲା ସମାଧାନ ହୋଇସାରିଥିଲେ ମଧ୍ୟ ଏହି ପୁରୁଣା ମାମଲା ଏବେ ଅନୁଭବଙ୍କ ପିଛା ଛାଡ଼ିନାହିଁ। ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଅନୁଭବଙ୍କୁ ଏବେ ପୁଣିଥରେ ଆଇନଗତ ଲଢ଼େଇର ସାମ୍ନା କରିବାକୁ ପଡ଼ିବ।




