ଖଣ୍ଡପଡ଼ା ୪|୧ (ସିଧା ସମ୍ବାଦ) ଗତ ୨ ବର୍ଷ ତଳୁ ଖଣ୍ଡପଡ଼ା ସହରର ତ୍ରିନାଥ ଛକରୁ ଭାପୁର ବଜାର ଦେଇ ଫତେଗଡ ଗ୍ରାମକୁ ସଂଯୋଗ କରୁଥିବା ରାସ୍ତାର ସଂପ୍ରସାରଣ କାର୍ଯ୍ଯ ପୂର୍ତ୍ତବିଭାଗ ପକ୍ଷରୁ ଆରମ୍ଭ ହୋଇଛି।ତେବେ ମୁଖ୍ଯ ରାସ୍ତାର ଉଭୟ ପାର୍ଶ୍ବସ୍ଥ ଜାଗା ବର୍ଷ ବର୍ଷ ଧରି ଜବରଦଖଲକାରୀଙ୍କ କବଜାରେ ରହିଥିବାରୁ ରାସ୍ତା ସଂପ୍ରସାରଣରେ ସମସ୍ଯା ସୃଷ୍ଟି ହେବା ପରେ ସରକାରୀ ଜାଗାରୁ ଜବରଦଖଲ ଉଚ୍ଛେଦ ନିମନ୍ତେ ଖଣ୍ଡପଡ଼ା ତହସିଲ ପ୍ରଶାସନ ପକ୍ଷରୁ ସମସ୍ତଙ୍କୁ ନୋଟିସ ପଠାଯାଇଥିଲା।ମାତ୍ର ଜବରଦଖଲକାରୀମାନେ ନିର୍ଦ୍ଧାରିତ ସମୟରେ ରାସ୍ତା ପାର୍ଶ୍ବସ୍ଥିତ ସରକାରୀ ଜାଗାରୁ ନ ହଟିବା ପରେ ପୋଲିସ ଓ ପ୍ରଶାସନିକ ଅଧିକାରୀମାନଙ୍କ ଉପସ୍ଥିତିରେ ୨ ଟି ଜେସିବି ମେସିନ ଲଗାଇ ରାସ୍ତା ପାର୍ଶ୍ବରୁ ବୁଧବାର ଜବରଦଖଲ ଉଚ୍ଛେଦ ଅଭିଯାନ ଆରମ୍ଭ ହୋଇଥିବା ପ୍ରଶାସନ ସୁତ୍ରରୁ ଜଣାପଡିଛି। ଖଣ୍ଡପଡ଼ା ତହସିଲଦାର ବିଶ୍ବବିଶୃତ ତ୍ରିପାଠୀଙ୍କ ଉପସ୍ଥିତରେ ବ୍ଲକ ଉନ୍ନୟନ ଅଧିକାରୀ ଅଙ୍କୁର ଅଭିଳାଷ,ଏନଏସି କାର୍ଯ୍ଯନିର୍ବାହୀ ଅଧିକାରୀ ଅଭିଷେକ ମିଶ୍ର, ଖଣ୍ଡପଡ଼ା ପୂର୍ତ୍ତବିଭାଗ ସହକାରୀ ନିର୍ବାହୀଯନ୍ତ୍ରୀ ରାଧେଶ୍ୟାମ କାଲୋ,ବରିଷ୍ଠ ଯନ୍ତ୍ରୀ ପ୍ରାଣକୃଷ୍ଣ ମହାପାତ୍ର,ଖଣ୍ଡପଡ଼ା ସଦର ରାଜସ୍ବ ନିରୀକ୍ଷକ ବିଷ୍ନୁପ୍ରିୟା ବେହେରାଙ୍କ ସମେତ ଜନସ୍ଵାସ୍ଥ୍ୟ ବିଭାଗ ଓ ତହସିଲ କର୍ମଚାରୀମାନେ ଉପସ୍ଥିତ ଥିଲେ। ପ୍ରଥମ ଦିବସରେ ୭ ରୁ ଉର୍ଦ୍ଧ୍ବ ବାସଗୃହର ସମ୍ମୁଖ ଅଂଶ ଭଙ୍ଗା ଯାଇଥିବା ଜଣାପଡିଛି।ଖଣ୍ଡପଡ଼ା ଥାନାଧିକାରୀ କୃତିବାସ ହରିଚନ୍ଦନ ସଦଳବଳେ ଘଟଣାସ୍ଥଳରେ ଉପସ୍ଥିତ ରହି ଶାନ୍ତିଶୃଙ୍ଖଳା ରକ୍ଷା ଦାୟୀତ୍ବ ତୁଲାଇଥିଲେ।ଆସନ୍ତାକାଲି ଗୁରୁବାର ବି ଜବରଦଖଲ ଉଚ୍ଛେଦ ଅଭିଯାନ ଜାରି ରହିବ ବୋଲି ପ୍ରଶାସନ ସୁତ୍ରରୁ ଜଣାପଡିଛି




