ଭୁବନେଶ୍ବର 🙁
ସିଧାସମ୍ବାଦ)ଗ୍ରାହକଙ୍କ ମୁଣ୍ଡରେ ପୁଣି ଚଡ଼କ। ସୁନା ଓ ରୂପା ଦରରେ ଲାଗୁନି ବ୍ରେକ୍। ବିବାହ ଋତୁ ପୂର୍ବରୁ ସୁନା ଦର ଯେଉଁଭଳି ଭାବେ ବଢ଼ିବାରେ ଲାଗିଛି, ତାହା ସାଧାରଣ ଲୋକଙ୍କ ‘ହୋସ୍ ଉଡାଇ ଦେଇଛି’। ଆଜି ବଜାର ଖୋଲୁ ଖୋଲୁ ସୁନା ଦରରେ ଏକ ବଡ଼ ଧରଣର ବୃଦ୍ଧି ଦେଖିବାକୁ ମିଳିଛି।
ସୁନା ଦରରେ ବଡ଼ ଲମ୍ଫ: ଆଜି ୨୪ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ ପ୍ରତି ୧୯୧୦ ଟଙ୍କା ବୃଦ୍ଧି ପାଇ ୧ ଲକ୍ଷ ୫୯ ହଜାର ୪୩୦ ଟଙ୍କାରେ ପହଞ୍ଚିଛି। ଗତକାଲି ଏହି ଦର ୧ ଲକ୍ଷ ୫୭ ହଜାର ୫୨୦ ଟଙ୍କା ରହିଥିଲା। ସେହିପରି ଗହଣା ପ୍ରସ୍ତୁତି ପାଇଁ ବ୍ୟବହୃତ ୨୨ କ୍ୟାରେଟ୍ ସୁନା ଦର ମଧ୍ୟ ଆଜି ୧୭୫୦ ଟଙ୍କା ବଢ଼ିଛି। ଫଳରେ ଆଜି ୨୨ କ୍ୟାରେଟ୍ ସୁନାର ଦାମ୍ ୧୦ ଗ୍ରାମ ପିଛା ୧ ଲକ୍ଷ ୪୬ ହଜାର ୧୫୦ ଟଙ୍କା ହୋଇଛି, ଯାହା ଗତକାଲି ୧ ଲକ୍ଷ ୪୪ ହଜାର ୪୦୦ ଟଙ୍କା ଥିଲା।
ରୂପା ମଧ୍ୟ ମହଙ୍ଗା: କେବଳ ସୁନା ନୁହେଁ, ରୂପା ଦର ମଧ୍ୟ ଗ୍ରାହକଙ୍କୁ ବଡ଼ ଝଟ୍କା ଦେଇଛି। ରୂପା କିଲୋଗ୍ରାମ ପିଛା ଏକାଥରକେ ୫ ହଜାର ଟଙ୍କା ବୃଦ୍ଧି ପାଇ ୨ ଲକ୍ଷ ୭୫ ହଜାର ଟଙ୍କାରେ ପହଞ୍ଚିଛି। ଗତକାଲି ରୂପା ଦର ୨ ଲକ୍ଷ ୭୦ ହଜାର ଟଙ୍କା ରହିଥିଲା।
ମଧ୍ୟବିତ୍ତ ପରିବାର ଚିନ୍ତାରେ: ହୁହୁ ହୋଇ ବଢୁଥିବା ଏହି ଦର ଯୋଗୁଁ ବିଶେଷ କରି ମଧ୍ୟବିତ୍ତ ପରିବାର ସବୁଠୁ ଅଧିକ ପ୍ରଭାବିତ ହୋଇଛନ୍ତି। ବିବାହ ଋତୁ ପାଇଁ ଗହଣା କିଣିବାକୁ ଯୋଜନା କରୁଥିବା ଲୋକମାନେ ଏବେ ଦୋକାନକୁ ଯିବାକୁ ଡରିଲେଣି। ଚାହିଦା ଅଧିକ ଥିବା ସମୟରେ ଦର ବୃଦ୍ଧି ପାଇବା ସେମାନଙ୍କ ବଜେଟ୍କୁ ସମ୍ପୂର୍ଣ୍ଣ ଭାବେ ବିଗାଡ଼ି ଦେଇଛି। ବାରମ୍ବାର ଦରରେ ଏପରି ଅସ୍ଥିରତା ଗ୍ରାହକଙ୍କ ମନରେ ନାହିଁ ନଥିବା ଅସନ୍ତୋଷ ସୃଷ୍ଟି କରିଛି।




