ଖଣ୍ଡପଡା ୨୩|୨ (ସିଧା ସମ୍ବାଦ) ଖଣ୍ଡପଡା ବ୍ଲକ ଅଧୀନ ମର୍ଦ୍ଦରାଜପୁର ପଞ୍ଚାୟତ ଦାୟୀତ୍ବରେ ଥିବା ପଞ୍ଚାୟତ କାର୍ଯ୍ଯନିର୍ବାହୀ ଅଧିକାରୀ ସୁରେନ୍ଦ୍ର ସେଠୀ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ବାବଦରେ ଖୋଲାଖୋଲି ଭାବେ ହିତାଧିକାରୀଙ୍କ ଠାରୁ ଲାଞ୍ଚ ମାଗୁଥିବା ନେଇ ପଞ୍ଚାୟତବାସୀ ଅଭିଯୋଗ କରିବା ସହ ଏ ସଂର୍ପକରେ ଖଣ୍ଡପଡ଼ା ବ୍ଲକ ପ୍ରଶାସନ ଓ ଜିଲ୍ଲାପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିବା ଜଣାଯାଇଛି। ସଂପୃକ୍ତ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ କାର୍ଯ୍ଯରେ ଯୋଗ ଦେବା ପର ଠାରୁ ଦୁର୍ନୀତିକୁ ନୀତି ଭାବେ ଆପଣେଇ ମର୍ଦ୍ଦରାଜପୁର ପଞ୍ଚାୟତରେ ଏକରକମ ରାଜୁତି ଚଳାଇଥିବାରୁ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।ଏବେ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେଉଥିବା ଏକ ଅଡିଓରେ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଜଣେ ଠିକାଦାରଙ୍କ ଠାରୁ ଖୋଲାଖୋଲି ଭାବେ ୩ ହଜାର ଟଙ୍କା ଲାଞ୍ଚ ମାଗୁଥିବା ଘଟଣା ପ୍ରଘଟ ହେବା ପରେ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ କାର୍ଯ୍ଯକଳାପକୁ ନେଇ ପଞ୍ଚାୟତ ସାରା ଏବେ ଚର୍ଚ୍ଚା ଜୋର ଧରିଛି।ତେବେ ଏ ସଂର୍ପକରେ ବ୍ଲକ ପ୍ରଶାସନିକ ଅଧିକାରୀମାନେ ଅବଗତ ହେବା ପରେ ମଧ୍ଯ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ବିରୁଦ୍ଧରେ ସେଭଳି କୌଣସି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରି ନୀରବଦ୍ରଷ୍ଟା ସାଜିଥିବାରୁ ବୁଦ୍ଧିଜୀବୀ ମହଲରେ ପ୍ରତିକ୍ରୀୟା ପ୍ରକାଶ ପାଇଛି। ଦିର୍ଘ ବର୍ଷ ଧରି ଉନ୍ନୟନମୂଳକ କାର୍ଯ୍ୟ ବାବଦରେ ଲାଞ୍ଚ କାରବାର ଖଣ୍ଡପଡ଼ା ବ୍ଲକ ଅଞ୍ଚଳରେ ଏକ ସାଧାରଣ କଥା ହୋଇଥିବା ସାଧାରଣରେ ଆଲୋଚନା ହେଉଛି।ଦୁର୍ନୀତିକୁ ପ୍ରଶୟ ଦେଇଥିବା ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ କାର୍ଯ୍ଯକଳାପ ପ୍ରତି ଭିଜିଲାନ୍ସ ବିଭାଗ ଓ ନୟାଗଡ ଜିଲ୍ଲାପାଳ ଦୃଷ୍ଟି ଦେବାକୁ ମର୍ଦ୍ଦରାଜପୁର ପଞ୍ଚାୟତବାସୀ ଦାବି କରିଛନ୍ତି।ଖଣ୍ଡପଡ଼ା ବିଡିଓ ଅଙ୍କୁର ଅଭିଳାଷଙ୍କୁ ଏ ନେଇ ପଚାରିବାରେ ସେଥିପ୍ରତି ସେ ଦୃଷ୍ଟି ଦେବେ ବୋଲି କହିଛନ୍ତି।ସେହିପରି ଅଭିଯୋଗ ସଂର୍ପକରେ ମର୍ଦ୍ଦରାଜପୁର ପଞ୍ଚାୟତ କାର୍ଯ୍ଯନିର୍ବାହୀ ଅଧିକାରୀଙ୍କୁ ଯୋଗାଯୋଗ କରାଯାଇଥିଲେ ହେଁ ସେ ଫୋନ ନ ଉଠାଇବାରୁ ତାଙ୍କ ପ୍ରତିକ୍ରୀୟା ମିଳି ପାରିନାହିଁ।



