ଭୁବନେଶ୍ୱର: ବିକଶିତ ଓଡ଼ିଶା ଗଠନ ଦିଗରେ ଏକ ବଡ଼ ସଫଳତା। ରାଜ୍ୟର ବିଭିନ୍ନ ଜିଲ୍ଲାରେ ବିପୁଳ ପରିମାଣର ମୂଲ୍ୟବାନ ଖଣିଜ ସମ୍ପଦ ଥିବା ନେଇ ସରକାରୀ ସ୍ତରରେ ସ୍ପଷ୍ଟ କରାଯାଇଛି। ବିଧାନସଭା ଗୃହରେ ଏକ ପ୍ରଶ୍ନର ଉତ୍ତର ରଖି ରାଜ୍ୟ ଖଣି ମନ୍ତ୍ରୀ ବିଭୂତି ଭୂଷଣ ଜେନା ଏହି ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି।
କେଉଁଠି କେଉଁ ରତ୍ନର ସନ୍ଧାନ ମିଳିଛି?
ମନ୍ତ୍ରୀଙ୍କ ସୂଚନା ଅନୁଯାୟୀ, ରାଜ୍ୟର ଏକାଧିକ ଜିଲ୍ଲାରେ ହୀରା, ସୁନା ଏବଂ ମାଣିକ ଭଳି ଦୁର୍ଲଭ ପଥର ଚିହ୍ନଟ ହୋଇଛି:
-
ନୂଆପଡ଼ା: ଜିଲ୍ଲାର କାଲମିଦାଦର ଠାରେ ‘ହୀରା ପଥର’ ଚିହ୍ନଟ ହୋଇଛି।
-
କଳାହାଣ୍ଡି: ଜୁନାଗଡ଼ ବ୍ଲକର ହୀଞ୍ଜିଳିବାହାଲ ଓ ଜିଲିଙ୍ଗିବାର ଅଞ୍ଚଳରେ ‘ମାଣିକ’ର ସନ୍ଧାନ ମିଳିଛି।
-
ଦେବଗଡ଼: ଏଠାରେ ସୁନା, ନିକେଲ, ଗ୍ରାଫାଇଟ୍ ସହ ତମ୍ବାବାହୀ ପଥର ଥିବା ଜଣାପଡ଼ିଛି।
-
ମୟୂରଭଞ୍ଜ ଓ କେନ୍ଦୁଝର: ଏହି ଦୁଇ ଜିଲ୍ଲାରେ ମଧ୍ୟ ପ୍ରଚୁର ପରିମାଣର ସୁନା ପଥର ଥିବା ନେଇ ସନ୍ଧାନ ମିଳିଛି।
ଆଗକୁ ବଦଳିବ ଓଡ଼ିଶାର ଭାଗ୍ୟ
ରାଜ୍ୟରେ ଏହି ନୂଆ ଖଣିଜ ସମ୍ପଦର ଚିହ୍ନଟ ପ୍ରକ୍ରିୟା ଶେଷ ହେବା ପରେ ଏହାର ଉତ୍ତୋଳନ ଓ ବିନିଯୋଗ ଦ୍ୱାରା ଓଡ଼ିଶାର ଅର୍ଥନୀତି ସୁଦୃଢ଼ ହେବ। ବିଶେଷକରି ସୁନା ଓ ହୀରା ଭଳି ମୂଲ୍ୟବାନ ଧାତୁ ମିଳିବା ପରେ ରାଜ୍ୟର ବିକାଶ ଧାରା ଆହୁରି ତ୍ୱରାନ୍ୱିତ ହେବ ବୋଲି ଆଶା କରାଯାଉଛି।
ସିଧାସମ୍ବାଦ ବିଶେଷ ରିପୋର୍ଟ: ଓଡ଼ିଶାର ଖଣିଜ ମାନଚିତ୍ରରେ ଏବେ ଯୋଡ଼ି ହେବାକୁ ଯାଉଛି ନୂଆ ଅଧ୍ୟାୟ। ସୁନା ଓ ହୀରାର ସନ୍ଧାନ ମିଳିବା ପରେ ଏବେ ସାରା ରାଜ୍ୟରେ ଖୁସିର ଲହରି ଖେଳିଯାଇଛି।



