ନୂଆଦିଲ୍ଲୀ: ଯଦି ଆପଣ କ୍ରେଡିଟ୍ କାର୍ଡ ବ୍ୟବହାର କରି ଅତ୍ୟଧିକ ସପିଂ କରୁଛନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଆସନ୍ତା ଏପ୍ରିଲ ୧, ୨୦୨୬ ରୁ କ୍ରେଡିଟ୍ କାର୍ଡ ବ୍ୟବହାର ନିୟମରେ ବଡ଼ ଧରଣର ପରିବର୍ତ୍ତନ ହେବାକୁ ଯାଉଛି। ଆୟକର ଆଇନ ୨୦୨୫ ଅଧୀନରେ କାର୍ଯ୍ୟକାରୀ ହେବାକୁ ଥିବା ଏହି ନୂତନ ନିୟମ ଆପଣଙ୍କ ଖର୍ଚ୍ଚ ଉପରେ କଡ଼ା ନଜର ରଖିବ।
ସାଧାରଣ ବ୍ୟବହାରକାରୀଙ୍କ ଦୈନନ୍ଦିନ ଖର୍ଚ୍ଚ ଉପରେ ଏହାର ବିଶେଷ ପ୍ରଭାବ ପଡ଼ିବ ନାହିଁ। କିନ୍ତୁ ଯେଉଁମାନେ:
-
ବାରମ୍ବାର ବିଦେଶ ଯାତ୍ରା କରନ୍ତି।
-
ବିଳାସପୂର୍ଣ୍ଣ ସାମଗ୍ରୀ କିଣିବା ପାଇଁ ମୋଟା ଅଙ୍କର ଟଙ୍କା ଖର୍ଚ୍ଚ କରନ୍ତି।
-
କ୍ରେଡିଟ୍ କାର୍ଡ ମାଧ୍ୟମରେ ଉଚ୍ଚ-ମୂଲ୍ୟର କାରବାର କରନ୍ତି।
ସେମାନଙ୍କ ପାଇଁ ଏହି ନୂଆ ନିୟମ ସମସ୍ୟା ସୃଷ୍ଟି କରିପାରେ। ବିଶେଷ କରି ପାନ୍ କାର୍ଡ ଲିଙ୍କ୍ ଥିବା ସମସ୍ତ କ୍ରେଡିଟ୍ କାର୍ଡର ତଦାରଖ ପ୍ରକ୍ରିୟାକୁ ଅଧିକ କଡ଼ାକଡ଼ି କରାଯାଇଛି।ନୂତନ ପ୍ରସ୍ତାବ ଅନୁଯାୟୀ, ଯଦି ଜଣେ ଗ୍ରାହକ ଗୋଟିଏ ଆର୍ଥିକ ବର୍ଷରେ କ୍ରେଡିଟ୍ କାର୍ଡ ମାଧ୍ୟମରେ ୧୦ ଲକ୍ଷ ଟଙ୍କା କିମ୍ବା ତା’ଠାରୁ ଅଧିକ ଦେୟ ପ୍ରଦାନ କରନ୍ତି, ତେବେ ସମ୍ପୃକ୍ତ ବ୍ୟାଙ୍କ ଏହି ସୂଚନା ଆୟକର ବିଭାଗକୁ ଜଣାଇବ। ସେହିପରି ବିଦେଶରେ କରୁଥିବା ଖର୍ଚ୍ଚ ଉପରେ ମଧ୍ୟ ସୀମା ନିର୍ଦ୍ଧାରଣ କରାଯାଇଛି।ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଯଦି ଆପଣଙ୍କର ବାର୍ଷିକ ଖର୍ଚ୍ଚ ଆପଣଙ୍କ ଦ୍ୱାରା ଦାଖଲ କରାଯାଇଥିବା ଟିକସ ରିଟର୍ଣ୍ଣ (ITR) ରେ ଦର୍ଶାଯାଇଥିବା ଆୟଠାରୁ ଅଧିକ ହୁଏ, ତେବେ ଆୟକର ବିଭାଗ ଆପଣଙ୍କୁ ସ୍ପଷ୍ଟୀକରଣ ମାଗି ନୋଟିସ୍ ପଠାଇପାରେ। ତେଣୁ ଏପ୍ରିଲ ପହିଲାରୁ କ୍ରେଡିଟ୍ କାର୍ଡ ବ୍ୟବହାର କରିବା ସମୟରେ ନିଜ ଆୟ ଓ ବ୍ୟୟ ମଧ୍ୟରେ ସନ୍ତୁଳନ ରଖିବାକୁ ପରାମର୍ଶ ଦିଆଯାଇଛି।
ବ୍ୟୁରୋ ରିପୋର୍ଟ, ସିଧା ସମ୍ବାଦ



