ସ୍ତତନ୍ତ ପିନ୍ଧି ଓଡ଼ିଶା ବାସୀ ପାଳିଲେ “ଆମ ପୋଷାକ ଆମ ପରିଚୟ” ଦିବସ

👇समाचार सुनने के लिए यहां क्लिक करें

ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଏପ୍ରିଲ ୧ରୁ ୧୪ ତାରିଖ ପର୍ଯ୍ୟନ୍ତ ପାଳନ ହେଉଛି ଓଡ଼ିଆ ପକ୍ଷ। ଆଜି ଓଡ଼ିଆ ପକ୍ଷ ପାଳନର ଦ୍ଵିତୀୟ ଦିବସରେ ଓଡ଼ିଶା ବାସୀ ପାରମ୍ପରିକ ପୋଷାକ ପରିଧାନ କରି “ଆମ ପୋଷାକ ଆମ ପରିଚୟ” ଅଭିଯାନରେ ସାମିଲ ହୋଇଛନ୍ତି।

ହସ୍ତତନ୍ତ ଆମ ସାଂସ୍କୃତିକ ବିବିଧତା ଓ ଗୌରବମୟ ଐତିହ୍ୟର ପ୍ରତୀକ। ଓଡ଼ିଆ ଅସ୍ମିତାର ନିଚ୍ଛକ ନିଦର୍ଶନ। ଓଡ଼ିଶାର ପୁରପଲ୍ଲୀ ଠାରୁ ଆରମ୍ଭ କରି ରାଜଧାନୀ ଭୁବନେଶ୍ୱର ପର୍ଯ୍ୟନ୍ତ ସମସ୍ତ ଜନସାଧାରଣ ଆଜି ପାରମ୍ପରିକ ପୋଷାକ ପରିଧାନ କରି ବୟନ ଅସ୍ମିତାର ଏହି ମହାପର୍ବରେ ନିଜକୁ ସାମିଲ କରିଛନ୍ତି।

ରାଜ୍ୟ ସରକାରଙ୍କ ଲୋକସେବା ଭବନ ଏବଂ ବିଭିନ୍ନ ବିଭାଗର ମୁଖ୍ୟାଳୟରେ କାର୍ଯ୍ୟ କରୁଥିବା ଅଧିକାରୀ ଓ କର୍ମଚାରୀମାନେ ଆଜି ହସ୍ତତନ୍ତ ଓ ପାରମ୍ପରିକ ପୋଷାକ ପରିଧାନ କରିଥିଲେ। ବିଭିନ୍ନ ଜିଲ୍ଲାରେ ଆଜି “ଓଡ଼ିଶାର ହସ୍ତତନ୍ତ ଓ ବୟନ ଶିଳ୍ପ” ଶୀର୍ଷକକୁ ନେଇ ଆଲୋଚନା ଚକ୍ରର ଆୟୋଜନ କରାଯାଇଥିଲା। ହସ୍ତଶିଳ୍ପ ସାମଗ୍ରୀ ଏବଂ ପଟ୍ଟଚିତ୍ର ପ୍ରଦର୍ଶନୀ ଆୟୋଜନ କରାଯାଇ ଯୁବପିଢ଼ିଙ୍କୁ ଆମ ସମୃଦ୍ଧ ହସ୍ତତନ୍ତ, ବୟନଶିଳ୍ପ, ହସ୍ତଶିଳ୍ପ ଏବଂ ଚିତ୍ରକଳା ସମ୍ବନ୍ଧରେ ଅବଗତ କରାଯାଇଥିଲା। ଓଡ଼ିଶାର ହସ୍ତତନ୍ତକୁ ଝୋଟି, ଚିତା, ମୁରୁଜ ଆଦିରେ ଖୁବ ସୁନ୍ଦର ଭାବେ ପ୍ରଦର୍ଶିତ କରାଯାଇଥିଲା। ବୁଣାକାର ଏବଂ ତନ୍ତୁବାୟ ସହଯୋଗ ସମିତିର ସଦସ୍ୟ ଓ ସଦସ୍ୟାମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।

ଏଥିସହ ଯୁବବର୍ଗ, ଛାତ୍ରଛାତ୍ରୀ, ବିଭିନ୍ନ ସ୍ବେଚ୍ଛାସେବୀ ଅନୁଷ୍ଠାନର ସଦସ୍ୟ ଓ ସଦସ୍ୟାମାନେ ପାରମ୍ପରିକ ପୋଷାକ ପରିଧାନ କରି ନିଜର ସେଲ୍ଫି ଉଠାଇ ଏହାକୁ ଓଡ଼ିଆ ପକ୍ଷ ୱେବ୍ସାଇଟ (odiapakhya.com)ରେ ଅପଲୋଡ଼ କରିବା ସହ ନିଜର ଡିଜିଟାଲ ସାର୍ଟିଫିକେଟ ମଧ୍ୟ ଡ଼ାଉନଲୋଡ଼ କରିଥିଲେ। ପାରମ୍ପରିକ ପୋଷାକ ପରିଧାନ କରି ନିଜକୁ “ଆମ ପୋଷାକ ଆମ ପରିଚୟ” ଅଭିଯାନରେ ସାମିଲ କରିବା ପାଇଁ ସମସ୍ତଙ୍କ ମଧ୍ୟରେ ଉତ୍ସାହ ପରିଲକ୍ଷିତ ହୋଇଥିଲା।

ସୂଚନାଯୋଗ୍ୟ ଯେ, ଆସନ୍ତାକାଲି ଅର୍ଥାତ ଏପ୍ରିଲ ୩ ତାରିଖକୁ ମଧ୍ୟ “ଆମ ପୋଷାକ ଆମ ପରିଚୟ” ଦିବସ ଭାବେ ପାଳନ କରାଯିବ। ଏପ୍ରିଲ ୪ ତାରିଖ ଦିନ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ “ଖଡ଼ିଛୁଆଁ ଓ ପ୍ରବେଶ ଉତ୍ସବ” ଏବଂ ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗ ପକ୍ଷରୁ “ଓଡ଼ିଆରେ ନାମ ଫଳକ ଲେଖା ଅଭିଯାନ”ର ଆୟୋଜନ କରାଯିବ।

Sidha Sambad
Author: Sidha Sambad

Leave a Comment

और पढ़ें