କେନ୍ଦ୍ର ରାଜନୀତିରୁ ଆସୁଛି ଏକ ବଡ଼ ଖବର। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ଖୁବ୍ ଶୀଘ୍ର ଏକ ବଡ଼ ଅଦଳବଦଳ ହେବାକୁ ଯାଉଥିବା ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଜୋର୍ ଧରିଛି। ବିଜେପିର ସାଂଗଠନିକ ପରିବର୍ତ୍ତନ ଏବଂ ସମ୍ପ୍ରତି ରାଜ୍ୟସଭା ନାମାଙ୍କନ ପ୍ରକ୍ରିୟା ଏହି ଚର୍ଚ୍ଚାକୁ ଆହୁରି ଖୋରାକ୍ ଯୋଗାଇଛି। ସବୁଠାରୁ ବଡ଼ କଥା ହେଉଛି, ବର୍ତ୍ତମାନ ମନ୍ତ୍ରୀ ଥିବା ଦୁଇ ଜଣ ପ୍ରମୁଖ ନେତାଙ୍କୁ ପୁନର୍ବାର ରାଜ୍ୟସଭା ପାଇଁ ପ୍ରାର୍ଥୀ କରାଯାଇ ନାହିଁ। ଫଳରେ ସେମାନଙ୍କ ରାଜନୈତିକ ଭବିଷ୍ୟତ ଏବଂ ମନ୍ତ୍ରୀ ପଦକୁ ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।ଇତିହାସ ସାକ୍ଷୀ ଅଛି, ମୋଦୀ ସରକାରରେ ପ୍ରତି ଦୁଇ ବର୍ଷ କାର୍ଯ୍ୟକାଳ ଶେଷ ହେବା ପରେ ମନ୍ତ୍ରିମଣ୍ଡଳ ଅଦଳବଦଳ ହେବାର ନଜିର ରହିଛି। ଗତ ସପ୍ତାହରେ ହିଁ ମୋଦୀଙ୍କ ନେତୃତ୍ୱାଧୀନ ଏନଡିଏ-୩ ସରକାର ନିଜର ଦୁଇ ବର୍ଷର କାର୍ଯ୍ୟକାଳ ସଫଳତାର ସହ ଶେଷ କରିଛି। ତେଣୁ ଏହି ସମୟରେ କ୍ୟାବିନେଟ୍ ସମ୍ପ୍ରସାରଣ ପ୍ରାୟ ନିଶ୍ଚିତ ବୋଲି କୁହାଯାଉଛି। ସୂତ୍ର ଅନୁଯାୟୀ, ଆଗାମୀ ଦିନରେ ହେବାକୁ ଥିବା ବିଭିନ୍ନ ରାଜ୍ୟର ବିଧାନସଭା ନିର୍ବାଚନକୁ ଆଖିରେ ରଖି ଏହି ପରିବର୍ତ୍ତନ କରାଯାଉଛି। ଏଥର ମନ୍ତ୍ରିମଣ୍ଡଳରେ:ଅଧିକ ସଂଖ୍ୟକ ମହିଳା ଚେହେରାଙ୍କୁ ସ୍ଥାନ ମିଳିପାରେ।ସହଯୋଗୀ ଦଳ ବା ମେଣ୍ଟର ନେତାଙ୍କୁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ମିଳିପାରେ।ଏବଂ ନିର୍ବାଚନ ହେବାକୁ ଥିବା ରାଜ୍ୟର ପ୍ରଭାବଶାଳୀ ନେତାଙ୍କୁ ସାମିଲ କରାଯିବାର ଲକ୍ଷ୍ୟ ରଖାଯାଇଛି।ମନେପକାଇ ଦେବାକୁ ଚାହିଁବୁ, ୨୦୨୪ ଜୁନ୍ ୯ରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ୩୦ ଜଣ କ୍ୟାବିନେଟ୍ ମନ୍ତ୍ରୀ, ୫ ଜଣ ରାଜ୍ୟ (ସ୍ୱାଧୀନ ପାହ୍ୟା) ଏବଂ ୩୬ ଜଣ ରାଜ୍ୟମନ୍ତ୍ରୀ ଶପଥ ନେଇଥିଲେ।୨୦୦୩ ସମ୍ବିଧାନ ସଂଶୋଧନ ନିୟମ ଅନୁଯାୟୀ, ଲୋକସଭାର ମୋଟ ସଦସ୍ୟ ସଂଖ୍ୟାର ସର୍ବାଧିକ ୧୫% ନେତା ମନ୍ତ୍ରୀ ହୋଇପାରିବେ। ଏବେ ଦେଖିବାକୁ ବାକି ରହିଲା ପ୍ରଧାନମନ୍ତ୍ରୀଙ୍କ ଏହି ନୂଆ ଟିମ୍ରେ କେଉଁ ନୂଆ ଚେହେରାଙ୍କୁ ସୁଯୋଗ ମିଳୁଛି ଏବଂ କାହାର ପଦ ଯାଉଛି।





