ଗ୍ୟାସ୍ ସିଲିଣ୍ଡର ଦେଖାଇ ଅଭିନବ ଉପାୟରେ ଲୁଟ୍ ଉଦ୍ୟମ: ମହିଳାଙ୍କ ଚିତ୍କାର ଶୁଣି ଜଣକୁ କାବୁ କଲେ ଗ୍ରାମବାସୀ, ବାଇକ୍‌ରେ ଚମ୍ପଟ ମାରିଲା ଅନ୍ୟ ଜଣେ

👇समाचार सुनने के लिए यहां क्लिक करें

ଖଇରା (ସିଧାସମ୍ବାଦ): ବାଲେଶ୍ୱର ଜିଲ୍ଲା ଖଇରା ଥାନା ଅଧୀନ ବଟେଶ୍ୱର ଗ୍ରାମରେ ଏକ ଅଭିନବ ଉପାୟରେ ଲୁଟ୍ ଉଦ୍ୟମ ବିଫଳ ହୋଇଛି। ଗ୍ରାମବାସୀଙ୍କ ସତର୍କତା ଓ ତତ୍ପରତା ଯୋଗୁଁ ଜଣେ ଅଭିଯୁକ୍ତ ଧରାପଡ଼ିଥିବା ବେଳେ ଅନ୍ୟ ଜଣେ ଦୁର୍ବୃତ୍ତ ଘଟଣାସ୍ଥଳରୁ ବାଇକ୍‌ରେ ଫେରାର ହେବାରେ ସଫଳ ହୋଇଛି।

ସୂଚନା ଅନୁସାରେ, ବଟେଶ୍ୱର ଗ୍ରାମର ବୈଜୟନ୍ତୀ ଜେନାଙ୍କ ଘରକୁ ଦୁଇଜଣ ଅଜଣା ବ୍ୟକ୍ତି ଏକ ପଲସର ବାଇକ୍‌ରେ ଆସିଥିଲେ। ସେମାନଙ୍କ ମଧ୍ୟରୁ ଜଣେ ବାଇକ୍‌ ଉପରେ ବସି ରହିଥିବା ବେଳେ ଅନ୍ୟଜଣେ ହାତରେ ଏକ ଗ୍ୟାସ୍ ସିଲିଣ୍ଡର ଧରି ବୈଜୟନ୍ତୀଙ୍କୁ ଡାକିଥିଲେ। “ଆପଣଙ୍କ ଗ୍ୟାସ୍ ଆସିଛି” ବୋଲି କହି ସେ ବୈଜୟନ୍ତୀଙ୍କୁ ଘର ବାହାରକୁ ଆଣିଥିଲେ।

ମହିଳାଙ୍କ ସାହସିକତା ଓ ଗ୍ରାମବାସୀଙ୍କ ଆକ୍ସନ

ବୈଜୟନ୍ତୀ ବାହାରକୁ ଆସିବା ମାତ୍ରେ ହିଁ ଅଭିଯୁକ୍ତ ଜଣକ ତାଙ୍କ ମୋବାଇଲ୍ ଫୋନ୍ ଏବଂ କାନଫୁଲ ଝାମ୍ପି ନେବାକୁ ଉଦ୍ୟମ କରିଥିଲା। ଏଥିରେ ଭୟଭୀତ ନହୋଇ ବୈଜୟନ୍ତୀ ଜୋରରେ ଚିତ୍କାର କରିଥିଲେ। ତାଙ୍କ ଚିତ୍କାର ଶୁଣି ଆଖପାଖର ଗ୍ରାମବାସୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଯାଇଥିଲେ ଏବଂ ଜଣେ ଅଭିଯୁକ୍ତକୁ କାବୁ କରି ନେଇଥିଲେ। ତେବେ ଏହି ସୁଯୋଗ ଦେଖି ବାଇକ୍‌ରେ ଅପେକ୍ଷା କରିଥିବା ଅନ୍ୟ ଲୁଟେରା ଜଣକ ସେଠାରୁ ଚମ୍ପଟ ମାରିଥିଲା।

୨ କିଲୋମିଟର ଚଲାଲି ଚଲାଲି ନେଉଥିଲେ ଥାନାକୁ, ବାଟରୁ ଉଦ୍ଧାର କଲା ପୋଲିସ

ଉତ୍ତ୍ୟକ୍ତ ଗ୍ରାମବାସୀ ଧରାପଡ଼ିଥିବା ଅଭିଯୁକ୍ତକୁ ପ୍ରାୟ ୨ କିଲୋମିଟର ପର୍ଯ୍ୟନ୍ତ ଚାଲିଚାଲି ଖଇରା ଥାନାକୁ ନେଉଥିଲେ। ଏହି ସମୟରେ ଖଇରା ପୋଲିସ ଖବର ପାଇ ତୁରନ୍ତ ରାସ୍ତାରୁ ଅଭିଯୁକ୍ତକୁ ଉଦ୍ଧାର କରିବା ସହ ଥାନାକୁ ଆଣି ଅଟକ ରଖିଛି।

ପୋଲିସ ବର୍ତ୍ତମାନ ଘଟଣାର ସମସ୍ତ ଦିଗକୁ ନେଇ ଅଧିକ ତଦନ୍ତ ଜାରି ରଖିବା ସହ ଫେରାର ଥିବା ଅନ୍ୟ ଅଭିଯୁକ୍ତକୁ ଧରିବା ପାଇଁ ଛାନଭିନ୍ ଚଳାଇଛି। ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି।

Sidha Sambad
Author: Sidha Sambad

Leave a Comment

और पढ़ें